ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ଜଣେ ଯୁବ କଳାକାର ଗୌରନାରାୟଣ ପରିଡାଙ୍କ ଗତ ଶନିବାର ସଂଧ୍ୟାରେ ହଠାତ୍ ପରଲୋକରେ ସମଗ୍ର ଅଂଚଳରେ ବିଶାଦର ଛାୟା ଖେଳି ଯାଇଛି । କଳକୁ ଜୀବନର ସାଥି ବୋଲି ବାଛି ନେଇ ବିଭିନ୍ନ ସ୍ଥାନରେ ଯାତ୍ରା-ନାଟକରେ ହିରୋ ଭୂମିକାରେ ଅଂଶଗ୍ରହଣ କରି ଅତ୍ୟନ୍ତ ଲୋକପ୍ରିୟ ହୋଇ ପାରିଥିଲେ ଗୌରନାରାୟଣ ପରିଡା । କିନ୍ତୁ କିଛିମାସ ପୂର୍ବରୁ ଅସୁସ୍ଥତା ଯୋଗୁଁ ଯାତ୍ରାକଳାରୁ ସାମୟିକ ଓହରି ଆସି ନିଜର ଔଷଧ ଦୋକାନ ବ୍ୟବସାୟରେ ସେ ବ୍ୟସ୍ତ ରହୁଥିଲେ । ଆମ୍ବଳୁଅଠା ଗାଁର ସ୍ୱର୍ଗତ ହରନାରାୟଣ ପରିଡାଙ୍କ ଜ୍ୟେଷ୍ଠପୁତ୍ର ଗୌରନାରାୟଣଙ୍କ ଜଳେଶ୍ୱର ଜିକେଭଟ୍ଟର ସମ୍ମୁଖରେ ଥିବା ଔଷଧ ଦୋକାନ ମଧ୍ୟ ଜଳେଶ୍ୱରର ଅନ୍ୟତମ ପୁରାତନ ଔଷଧ ଦୋକାନ । ଗତ କିଛିଦିନ ଧରି ଅସୁସ୍ଥତା ଅନୁଭବ କରୁଥିବା ବେଳେ ଶନିବାର ଅପରାହ୍ନରେ ଧୌଳି ଏକ୍ସପ୍ରେସ୍ ଯୋଗେ ଭୁବନେଶ୍ୱରରୁ ଫେରି ଅଧିକ ଅସୁସ୍ଥ ଅନୁଭବ କରିବାରୁ ସେ ବିଶ୍ରମ ନେଇଥିଲେ । ନିଜ ୨ ସାଙ୍ଗଙ୍କ ଗହଣରେ ବିଶ୍ରାମ ନେଉଥିବା ବେଳେ ରକ୍ତ ବାନ୍ତି ହେବାରୁ ଚିକିତ୍ସାର ବ୍ୟବସ୍ଥା ଚାଲିଥିବା ବେଳେ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ଏକମାତ୍ର ଝିଅ ଥିବା ବେଳେ ବିଧବା ପତ୍ନ ବେସାହାରା ହୋଇପଡିଛନ୍ତି । ସେ ୪୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଶେଷକୃତ୍ୟ ମଧ୍ୟରାତ୍ରିରେ ସୁବର୍ଣ୍ଣରେଖା କୂଳ ଶିଖରପୁର ନଦୀଘାଟଟାରେ ସମ୍ପନ୍ନ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା