ଅଗ୍ନିଶମ ଡି.ଆଇ.ଜି ବରିଷ୍ଠ ଆଇପିଏସ ଅଫିସର ରାଜେଶ ପଣ୍ଡିତଙ୍କୁ ମୁଖ୍ୟମନ୍ତ୍ରୀ କଲେ ନିଲମ୍ବନ

ଭୁବନେଶ୍ୱର(ସମୃଦ୍ଧଓଡିଶା)୨୦୦୭ ବ୍ୟାଚ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଜ କ୍ଷମତାର ଅପବ୍ୟବହାର କରି ଜଣେ ମହିଳା ଇନ୍ସପେକ୍ଟରଙ୍କୁ ପ୍ରେମ ନିବେଦନ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ରାତିରେ ଦିଲ୍ଲୀରେ ଚାଲିଥିବା ନୀତି ଆୟୋଗ ବୈଠକରୁ ଫେରିବା ପରେ ରାଜେଶ ପଣ୍ଡିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ଦେଇଥିବା ଗୋପନୀୟ ରିପୋର୍ଟ ଆଧାରରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରାଜେଶ ପଣ୍ଡିତ ନିଲମ୍ବନ ଅବଧିରେ କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟ କରିବେ। ପୁଲିସ ଡିଜିଙ୍କ ବିନା ଅନୁମତିରେ ସେ ହେଡ କ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ଭୁବନେଶ୍ୱର କ୍ୟାପିଟାଲ ଥାନା ଅଞ୍ଚଳରେ ଗତ ୨୭ ତାରିଖ ରାତିରେ ଘଟିଥିବା ଅଭାବନୀୟ ଘଟଣା ପାଇଁ ରାଜେଶ ପଣ୍ଡିତଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।