ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନତା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସମୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହାର ବ୍ୟବହାରିକ ଜ୍ଞାନର ଅଭାବ ରହିଛି । ଏହି ସମ୍ପର୍କରେ ଜ୍ଞାନ ଓ ସଚେତନତାର ଅଭାବ ଯୋଗୁଁ ବହୁ ସମୟରେ ବଡ଼ବଡ଼ ଦୁର୍ଘଟଣାରେ ନିଜକୁ ବଞ୍ଚାଇ ନପାରି ଦୁର୍ଘଟଣାରେ ଧନ ଜୀବନର ହାନି ଘଟାଉଛନ୍ତି । ତେଣୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ମକଡ଼୍ରିଲ୍ ମାଧ୍ୟମରେ ଅଗ୍ନି ସୁରକ୍ଷା ସଂପର୍କିତ ଶିକ୍ଷା ମକଡ଼୍ରିଲ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ଗତକାଲି ବ୍ରହ୍ମପୁର ଖଲ୍ଲିକୋଟ କଲେଜ୍ ନିକଟସ୍ଥ  ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ ପରିସରରେ ଅଗ୍ନି ସୁରକ୍ଷା ସଂପର୍କରେ ଏକ ମକଡ଼୍ରିଲ୍ ଅନୁଷ୍ଠିତ ହୋଇଥିଲା । ଏହି ମକଡ଼୍ରିଲ୍ ରେ ବିଦ୍ୟାଳୟର ପ୍ରାୟ ୨ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଅଗ୍ନି ଦୁର୍ଘଟଣାରୁ ନିଜକୁ ଏବଂ ବିପଦରେ ଥିବା ଅନ୍ୟମାନଙ୍କୁ କିଭଳି ରକ୍ଷା କରାଯାଇପାରିବ ସେ ସଂପର୍କରେ ବିଭିନ୍ନ ପ୍ରକାରର କୌଶଳ ଶିକ୍ଷା ପ୍ରଦାନ କରାଇଥିଲେ । ଘରୋଇ ଗ୍ୟାସ୍ ଦୁର୍ଘଟଣାରୁ ମଧ୍ୟ କିଭଳି ପରିବାରକୁ ରକ୍ଷା କରାଯାଇ ପାରିବ  ସେ ସଂପର୍କରେ ମଧ୍ୟ ବ୍ୟବହାରିକ ପ୍ରଦର୍ଶନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଇଥିଲେ । ବ୍ରହ୍ମପୁର ଅଗ୍ନିଶମ ବିଭାଗ ପକ୍ଷରୁ ଏଏଫଓ ସନାତନ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମକଡ଼୍ରିଲ୍ କାର୍ଯ୍ୟକ୍ରମରେ ଏଲଏଫଏମ୍ ସୁରେଶ କୁମାର ମିଶ୍ର, ହାବିଲଦାର୍ ଏସ.ମହାପାତ୍ର, ଫାୟାରମ୍ୟାନ୍ ଦେବଦତ ନାୟକ, ଅରବିନ୍ଦ ପ୍ରଧାନ, କୂଳମଣି କିଶାନ୍, ରାଜୀବ ଲୋଚନ ନାୟକ ଓ ଶ୍ରୀନିବାସ ବେହୁରା ସାମିଲ୍ ରହି ବିଭିନ୍ନ ଅଗ୍ନି ନିର୍ବାପକ କୌଶଳର ଶିକ୍ଷା ପ୍ରଦାନ କରାଇଥିଲେ । ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଅଗ୍ନି ଦୁର୍ଘଟଣା ସମୟରେ କିଭଳି ଧନଜୀବନର ସୁରକ୍ଷା କରାଯାଇପାରିବ ସେ ସମ୍ପର୍କରେ ଜ୍ଞାନ ଓ ସଚେତନତାର ସହାୟକ ହୋଇପାରିବ । ତେଣୁ ବିଦ୍ୟାଳୟ ପକ୍ଷରୁ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ କୃତଜ୍ଞତା ଜ୍ଞାପନ କରାଇଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା