
ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସହରରେ ବହୁ ଘରୋଇ ଶିକ୍ଷାନୁଷ୍ଠାନ ରହିଛି । ହେଲେ ସସବୁର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥାଇ ଚାଲିଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏନ୍ଓସି ନନେଇ ବେଆଇନ ଭାବେ ଚାଲିଥିବା ଜଣାପଡିଛି । ତେବେ କୌଣସି ଅଘଟଣ ଘଟିଲେ ସେଥିପ୍ରତି କିଏ ଦାୟୀ ରହିବ ବୋଲି ସେନେଇ ସାଧାରଣରେ ନାନା ସମାଲୋଚନା ସୃଷ୍ଟି ହୋଇଛି । ଦିଗପହଣ୍ଡି ସହରରେ ଏମଏଭି ପବ୍ଳିକ ସ୍କୁଲ, ଦିବ୍ୟା ପବ୍ଳିକ ସ୍କୁଲ, ବଚପନ୍ ପ୍ଲେ ସ୍କୁଲ, ସେଣ୍ଟ୍ ଜାଭିୟର ପବ୍ଳିକ୍ ପ୍ଲେ ସ୍କୁଲ, ଗୁରୁକୂଲ ଇଣ୍ଟର ନ୍ୟାସନାଲ୍ ପ୍ଲେ ସ୍କୁଲ, ବୀଣାପାଣୀ ନର୍ସରୀ ସ୍କୁଲ, ସେଣ୍ଟ୍ ଜୋସେଫ୍ ପ୍ଲେ ସ୍କୁଲ, ଜ୍ଞାନଶ୍ରୀ ପବ୍ଳିକ୍ ସ୍କୁଲ ଚିଦାନନ୍ଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମେତ ୩ ଗୋଟି ଛୋଟ ବଡ ସରସ୍ୱତୀ ଶିଶୁ ମନ୍ଦିର ରହିଛି । ପ୍ଲେ ସ୍କୁଲ ମାନଙ୍କରେ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ କୋମଳମତି ଶିଶୁମାନେ ଅଧ୍ୟୟନ କରୁଥିବା ବେଳେ ଅନ୍ୟ ବିଦ୍ୟାଳୟ ମାନଙ୍କରେ ୩ ବର୍ଷରୁ ୧୫ ବର୍ଷ ଯାଏଁ ଶିଶୁମାନେ ଶିକ୍ଷା ଗ୍ରହଣ କରୁଛନ୍ତି । ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ବହୁଳ ପରିମାଣରେ ପିଲାମାନେ ପାଠ ପଢୁଥିଲେ ହେଁ ସୁରକ୍ଷା ବ୍ୟବସ୍ଥାକୁ ହେୟ ଜ୍ଞାନ ମନେ କରୁନଥିବା ଜଣାପଡିଛି । ନିୟମପ୍ରକାରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ସ୍ଥାପନ କରିବା ପୂର୍ବରୁ ଏହାର ମାଲିକ ସମସ୍ତ ପ୍ରକାର ଏନଏସି ଆଣିବା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖି ଅଗ୍ନିଶମ ବିଭାଗରୁ ଏନଓସି ଆଣିବାକୁ ବ୍ୟବସ୍ଥା ରହିଛି । ସେହିପରି ଅଗ୍ନି ନିର୍ବାପକ ଯନ୍ତ୍ର ଏକ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ ଏସବୁ କୌଣସି ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ କଡାକଡି କରାଯାଉନଥିବା ବେଳେ କୌଣସି ପ୍ରକାର ଅଘଟଣ ଘଟିଲେ ସେଥିପ୍ରତି ଦାୟୀ ରହିବା ନିଶ୍ଚିତତା ଦେଖାଦେଇଛି । ଦିଗପହଣ୍ଡି ଅଗ୍ନିଶମ ବିଭାଗର ଫାୟର ଅଫିସର୍ ବିଜୟ କୁମାର ନାୟକଙ୍କୁ ପଚରାଯିବାରେ କହିଛନ୍ତି ଯେ, କୌଣସି ଘରୋଇ ଶିକ୍ଷାନୁଷ୍ଠାନମାନଙ୍କରେ ଫାୟର ସେଫ୍ଟି ନଥିବା ବେଳେ ଏନଓସି ପାଇଁ କେହି ହେଲେ ଆବୋଦନ କରିନାହାନ୍ତି । ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ମକ୍ ଡ୍ରିଲ୍ ମାନ ଆୟୋଜନ କରାଯାଇ ଜନସଚେତନତା ସୃଷ୍ଟି କରାଯାଉଛି । ତଥାରପି ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ମାନେ ସଜାଗ ନହେଲେ ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟପନ୍ଥା ଅବଲମ୍ବନ କରାଯିବ ବୋଲି ସେ କହିଛନ୍ତି । ସେହିପରି ଉଚ୍ଚ ଶିକ୍ଷା ପାଇଁ ସହରରେ ୫ଗୋଟି ଘରୋଇ ଶିକ୍ଷା ନୁଷ୍ଠାନ ରହିଛି । ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁନ୍ୟ ୧୦୦ରୁ ସର୍ବାଧିକ ୬୦୦ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । ଉକ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ଥାନ ଅଭାବ ପଡୁଥିବାରୁ ସେକ୍ସନ କରାଯାଇ ପର୍ଯ୍ୟାୟ କ୍ରମେ କ୍ଳାସ୍ କରାଯାଉଛି । ତେବେ ସହର ମଧ୍ୟରେ ଜନବସତି ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଉଥିବା ବେଳେ ସବୁଠାରେ ବିଦ୍ୟୁତ୍ ବ୍ୟବସ୍ଥାକୁ ସମସ୍ତ କ୍ଷେତ୍ରରେ ମୂଳ ଉତ୍ସ ଭାବେ ବ୍ୟବହାର କରାଯାଉଛି । ଫାୟର ସେଫ୍ଟି ପ୍ରତି କେହି ମଧ୍ୟ ଗୂରୂତ୍ୱାରୋପ ଦେଉନଥିବାର ସଟ୍ ସର୍କିଟ୍ରୁ କୌଣସି ଅଘଟଣ ଘଟିଲେ ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ପ୍ରତି ପ୍ରମାଦ ପଡିବାର ଆଶଙ୍କା ରହିଛି । ତେବେ ଏଥିପ୍ରତି ଉଚ୍ଚ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା