ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହରରେ ଗତ କିଛିଦିନ ହେଲା ହେଉଥିବା ଅଘୋଷିତ ବିଦ୍ୟୁତ କଟାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି . ସହର ବିଭିନ୍ନ ଅଞ୍ଚଳରେ ସକାଳୁ ଓ ସନ୍ଧ୍ୟାରେ ୨ ଘଣ୍ଟାରୁ ଉର୍ଦ୍ଧ ସମୟ ବିଦ୍ୟୁତ କଟା ହେଉଛି . ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି . ବ୍ୟବସାୟୀ, ବୁଦ୍ଧିଜୀବୀ, ରାଜନୈତିକ ଦଳ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଥିବା ଜଣାପଡିଛି . ସିପିଏସ, କଂଗ୍ରେସ ପରେ ଓ଼କିଲା ସଂଘ ଏହି ଅଘୋଷିତ ବିଦ୍ୟୁତ କଟାକୁ ବିରୋଧ କରି ସ୍ୱର ଉଠାଇଛନ୍ତି . ସହରର ଗେଟବଜାର, ଗୋସାଇଁନୂଆଗାଁ, ବିଜିପୁର, ଲୋଚାପଡ଼ା, ଗିରିରୋଡ଼ ଭଳି ଅନେକ ଅଞ୍ଚଳରେ ସକାଳୁ ଓ ସନ୍ଧ୍ୟା ବେଳେ ଘଣ୍ଟାଏ ଲେଖାଏଁ ବିଦ୍ୟୁତ କାଟ ହେଉଛି . ଶୀତଦିନେ ବିଦ୍ୟୁତ କଟା ହେଉଥିବାରୁ ଲୋକେ ନାନା ସମସ୍ୟା ଭୋଗୁଛନ୍ତି .ବିଶେଷ କରି ସକାଳୁ ଓ ସନ୍ଧ୍ୟାରେ ଏହି ସମସ୍ୟା ଲାଗି ରହିଥିବାରୁ ମଶା ଉପଦ୍ରବ ବଢୁଛି . ଛାତ୍ରଛାତ୍ରୀମାନେ ସମସ୍ୟାରେ ପଡୁଛନ୍ତି . ଦିନରେ କେତେ ସମୟ ବିଦ୍ୟୁତ କଟା କରାଯିବ ସେ ନେଇ ସାଉଥକୋ ପକ୍ଷରୁ ପୂର୍ବ ସୂଚନା କିମ୍ବା ଘୋଷଣା ହୋଇନଥିବାରୁ ଲୋକଙ୍କ ମନରେ ଅସନ୍ତୋଷର ନିଆଁ ଜଳୁଛି . ଗତ ବୁଧବାର ସିପିଏମ ପକ୍ଷରୁ ସାଉଥକୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରଯାଇଥିଲା . ସାଉଥକୋ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ ସହ ବିଦ୍ୟୁତ କାଟର ଅସଲ ରହସ୍ୟ ଲୋକଙ୍କୁ ଜଣାଇବାକୁ ଦାବି କରାଯାଇଥିଲା . ସେହିପରି ଗତ ଗୁରୁବାର ଦିନ ଗଂଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସାଉଥକୋ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା.
ରିପୋର୍ଟ : ନିମାଇଁ ଚରଣ ପଣ୍ଡା