କୁକୁଡାଖଣ୍ଡି (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ବିରୋଧରେ ସି.ପି.ଆଇ(ଏମ୍-ଏଲ୍) ରେଡଷ୍ଟାର ଏବଂ ଟିୟୁସିଆଇ ସହବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରାଯାଇଛି । ଏଥିପାଇଁ କୁକୁଡାଖଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ପାଖରେ ପହଞ୍ଚିଥିଲେ । ସେଠାରେ ଏକ ସଭା ଆୟୋଜନ କରି କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ, କୃଷକ ଓ ଖାଉଟି ମାରଣ ନୀତିକୁ ତୀବ୍ର ଭର୍ସନା କରିଥିଲେ । ମିଛର ସୌଦାଗର କର୍ପୋରେଟମାନଙ୍କ ସ୍ୱାର୍ଥରେ ଦେଶର ସାଧାରଣ ଜନତାଙ୍କ ଉପରେ ଟିକସର ବୋଝ ବଢାଇ ଚାଲିଛନ୍ତି । ମାଗଣା କରୋନା ଟିକାକରଣ ପାଇଁ ମାତ୍ର ୩୫,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଏ ସରକାର ଗୋଟିଏ ବର୍ଷରେ ହିଁ ପେଟ୍ରୋଲ ଓ ଡିଜେଲରୁ ଚାରି ଲକ୍ଷ କୋଟି ଟଙ୍କା ଟିକସ ସଂଗ୍ରହ କରିଛନ୍ତି । ମୋଦି ନେତୃତ୍ଵାଧିନ ବିଜେପି ଓ ଆର୍ ଏସ୍ ଏସର ସରକାର ନିଜର ସାତ ବର୍ଷର ଶାସନକାଳରେ ଏ ବାବଦରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ଲୁଟି ନେଇଛନ୍ତି । ସେହିପରି ରନ୍ଧନ ଗ୍ୟାସରୂ ସରକାର କୌଣସି ଟିକସ ନେଉ ନଥିଲେ ସବସିଡିକୁ ଖତମ୍ କରି ମନଇଛା ଲୁଟି ଚାଲିଛନ୍ତି । କର୍ପୋରେଟ ସଂସ୍ଥାମାନଙ୍କ ଉପରୁ ବାରମ୍ବାର ଟିକସ ଛାଡ଼ ବା ରିହାତି ଦେଇ ଜନସାଧାରଣଙ୍କୁ ଲୂଟୁଛନ୍ତି । ଏହି ଆନ୍ଦୋଳନରେ ସିପିଆଇ(ଏମ୍-ଏଲ୍) ରେଡଷ୍ଟାର ଜିଲ୍ଲା କମିଟି ସଦସ୍ୟା ପି.ପାର୍ବତୀ, ଟିୟୁସିଆଇର ପି. ଯୋଗେନ୍ଦ୍ର, କ୍ରାନ୍ତିକାରୀ କୃଷକ ସଭାର ସଂଯୁକ୍ତା ନାୟକ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ବି ବୁଦ୍ଧିଆ, ଲକ୍ଷ୍ମୀ ନାୟକ, ବୁଲି ବେହେରା, ଅରୁଣ ବେହେରା, ମହେଶ୍ୱରୀ ଦାଶ, ପ୍ରଶାନ୍ତ ଦାସ, ସଦାନନ୍ଦ ଦାଶ ଆଦି ଯୋଗ ଦେଇଥିଲେ । କର୍ମକର୍ତ୍ତା ଯୋଗଦେଇଥିଲେ । କାର୍ତ୍ତିକ ପ୍ରଧାନ, ଶ୍ୟାମ ଜାନି ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା