ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ଗଜପତି ଇଣ୍ଡୋର ଷ୍ଟାଡିୟମରେ ଗତ ଚାରି ଦିନ ଧରି ଚାଲିଥିବା ଅନ୍ତଃରାଜ୍ୟ ରବିରାଉଳ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳରୁ ୮୦ଟି ଦଳ ଅଂଶ ଗ୍ରହଣ କରିଥିଲେ । ଏହି ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଖେଳକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଉଦଘାଟନ କରିଥିବା ବେଳେ ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଖେଳରେ ବିଶାଖାପାଟଣାର ଭେଙ୍କଟେସ ଏବଂ ଚନ୍ଦ୍ରା ବାବୁ ଚାମ୍ପିଆନ ହୋଇ ୧୫ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ ସେହିଭଳି ବିଜୟୱାଡାର ମୁଲି ଓ ଗୋପିନାଥ ଯୋଡି ଦ୍ୱିତୀୟ ସ୍ଥାନ ରଖି ୧୦ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ । ବିଶାଖାପାଟଣାର ଅନ୍ୟ ଏକ ଯୋଡି ଚାରୁତା ଏବଂ ଶୁଶାନ୍ତ ତୃତୀୟ ସ୍ଥାନ ରଖି ୬ ହଜାର ଟଙ୍କା ଏବଂ ଜୟପୁରର ସିଦ୍ଧୁ ଓ କାହ୍ନୁ ଚତୁର୍ଥ ସ୍ଥାନ ରଖି ୪ ହଜାର ଟଙ୍କା ପୁରସ୍କାର ରାଶି ପାଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଗଜପତି ଜିଲ୍ଲାର କାର୍ଯ୍ୟରତ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ମଧ୍ୟ ଖେଳାଳି ଭାବେ ଅଂଶ ଗ୍ରହଣ କରି “ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ” ପୁରସ୍କାର ପାଇଥିଲେ । ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା ସମସ୍ତ ବିଜେତା ହୋଇଥିବା ଦଳର ଖେଳାଳିମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା