ଅବକ୍ଷୟର କବଳରେ ପୃଥିବୀ…

ବଡିସକାଳୁ ରାଧାକାନ୍ତ ବାବୁଙ୍କ ଉଠିବା ଅଭ୍ୟାସ । ତାଙ୍କର ଶୀତର କାକର, ଝଡ଼ିବରଷା, ଡହଡ଼ହ ତାତି କାହାରିକୁ ଖାତିର ନଥାଏ । ଛୁଆ ବେଳରୁ ଶିକ୍ଷକତା କରିବା,ଏପରିକି ଚାକିରିରୁ ଅବସର ନେବାପରେ ମଧ୍ୟ ସେଇ ଏକା ଅଭ୍ୟାସର ସାଥି ହୋଇଗଲେଣି । ପ୍ରକୃତି ସହ ଖାପଖୁଆଇ ଚଳିବାରେ ସେ ଏକଦମ ମାହୀର । ଅନେକ ଦେଖି ତାଙ୍କୁ ଇର୍ଷାରେ ଜଳନ୍ତି । କାହିଁକି ଜାଣନ୍ତି? କାଳେ ସେ ଚିର ସବୁଜ ପରି ସୁନ୍ଦର, ସତେଜ ଆଉ କର୍ମଠ । ଏ ବୟସରେ ବି କଠିନ ଶ୍ରମ କରିବାକୁ ପଶ୍ଚାଦପଦ ନୁହନ୍ତି । ତାଙ୍କୁ ଦେଖିଲେ କେହି ବୟସକୁ ଅନୁମାନ କରିପାରନ୍ତି ନାହିଁ । ନାଁ ମୁଣ୍ଡରୁ ଛିଡ଼ିଛି ଚୁଟି, ନାଁ ପାଟିରୁ ଭାଙ୍ଗିଛି ଗୋଟେ ବି ଦାନ୍ତ ! ଖାଲି ସେତିକି ନୁହେଁ । ସେ ସଭ୍ୟ, ଶିକ୍ଷିତ, ସଂସ୍କୃତି ସମ୍ପନ୍ନ, ଉଚ୍ଚ ଆଦର୍ଶ ଶୋଭିତ, ସ୍ନେହୀ, ବିବେକୀ, ଧର୍ମ ପରାୟଣ, ମେଳାପୀ, ଉଦ୍ୟୋଗୀ, ମିଷ୍ଟଭା- ଷୀ, ସତ୍ୟାନୁରାଗୀ ଆଦି ସମସ୍ତ ବିଶେଷଣର ଅଧିକାରୀ । କେହିକେହି ତ ତାଙ୍କୁ ସତ୍ୟଯୁଗର ମଣିଷଟିଏ ବୋଲି ଆଖ୍ୟା ଦେଇଥାନ୍ତି । ସମସ୍ତ ଦେବସୁଲଭ ଗୁଣ ତାଙ୍କରି ନିକଟରେ ପ୍ରତୀୟମାନ ହୁଏ ସତସଙ୍ଗରେ ଭିଡ଼ ଜମିବା ଭଳି ସକାଳ ଆଉ ସଂଜରେ କୌଣସି କାରଣର ସମାଧାନ ନିମନ୍ତେ ରାଧାକାନ୍ତ ବାବୁଙ୍କ ପାଖରେ ଆସି କିଏ ନା କିଏ ପହଞ୍ଚନ୍ତି । ଏଇ ଯିବାଆସିବାର ଘଟଣା ତାଙ୍କର ୧୪ବର୍ଷର ନାତି ରମଣ ସବୁ ଦେଖୁଥାଏ । କିନ୍ତୁ ଏହାର ରହସ୍ୟକୁ ଉନ୍ମୋଚନ କରିବାର ସାମର୍ଥ୍ୟ ତାର ନଥାଏ । ବହୁତ ଥର ବୁଝିବାକୁ ଚେଷ୍ଟା କରି ସେ ପାରେନି ଜେଜେଙ୍କୁ ପଚାରି । ପାଠର ବୋଝ ତାକୁ ଏ ଦୁନିଆରୁ ଅନେକ ଦୂରକୁ ନେଇଯାଏ । ତାକୁ କେବଳ ୯୦ ଶତକଡ଼ା ନମ୍ବର ରଖି ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାକୁ ପଡିବ ଏହା ତା ବାପାମାଆଙ୍କ ଇଛା । ଯେମିତି ଏଇଠି ତାର ଉତ୍ତମ ଭବିଷ୍ୟତର ଶୀର୍ଷ ପାହାଚ । ନହେଲେ ଜୀବନ ପଥରେ ଅଗ୍ରସର ହେବାର ପଥ ରୁଦ୍ଧ ହୋଇଯିବ । ଭବିଷ୍ୟତ ଅନ୍ଧାର ହୋଇଯିବ । ଏଇ ଅଭିଳାଷ ଶୁଣିଶୁଣି ସେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି । ଏଥିରୁ ମୁକୁଳିବାର ବାଟ ବି ପାଉନାହିଁ । ଟ୍ୟୁସନ ଯାଆ, ସ୍କୁଲ ଯାଆ, ପାଠ କର, ବିଷୟ ସାର ଏଇ ନିର୍ଦ୍ଧିଷ୍ଟ ବାକ୍ୟର ନିୟନ୍ତ୍ରିତ ଜୀବନ । ଅନ୍ତତଃ ସବୁ ସମୟରେ ଜେଜେଙ୍କ ପାଖକୁ ଏତେ ଲୋକ ଆସିବାର ଅଭିପ୍ରାୟ ତ ଟିକିଏ ସେ ଜାଣିପାରନ୍ତା ? କିନ୍ତୁ ନିରୁପାୟ ଏକବାର ସେ । ଦିନେ କୌଣସି କାରଣବଶତଃ ବାପାମାଆ ତାର ମାମୁଁ ଘରକୁ ଯାଇଛନ୍ତି । ରବିବାର କାରଣରୁ ଉପରଓଳି ଟ୍ୟୁସନ ବି ବନ୍ଦ ଅଛି । ହଠାତ ତାର ନିଦ ଭାଙ୍ଗିଗଲା ଘଣ୍ଟାକୁ ଚାହିଁଲା । ଦେଖିଲା ମାତ୍ର ୪ଟା ବାଜିଛି । ତୁରନ୍ତ ଯାଇ ଜେଜେଙ୍କୁ ନିଦରୁ ଉଠାଇଲା । ଜେଜେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, କିରେ ନାତିଆ ଟୋକା ଆଜି ତୋର କଣ ହୋଇଛି ? ଏମିତି ଛାନିଆଁ ହୋଇ କଣ ପାଇଁ ଡାକୁଛୁ ? କଣ ଘରେ ଚୋର ପଶିଗଲେ କିରେ ! ରମଣ ଜେଜେଙ୍କ ପାଟିରେ ହାତ ଦେଇଦେଲା । କହିଲା ସେମିତି କିଛିନାହିଁ । ତମେ ପାଟି ଚୁପ କର । ବାପାବୋଉ ଆଜି ଘରେ ନାହାନ୍ତି । ମୁଁ ଟିକେ ତୁମ ସହ କଥା ହେବାକୁ ଚାହୁଁଛି । ମୁଁ ପୁରା ବିରକ୍ତ ହେଲିଣି ଖାଲି ପାଠ, ପାଠ, ପାଠ । ଜମା ବି ଭଲ ଲାଗୁନି । ଯେମିତି ପାଠକୁ ଛାଡିଦେଲେ ଆଉ କିଛିନାହିଁ ମୋର । ରମାକାନ୍ତ ବାବୁ ଟିକେ ଚିଡାଇ କହିଲେ, କିରେ ନାତିଆ କଣ ପାଠକୁ ଡ଼ରିଗଲୁ କି ! ନାଇମ ଜେଜେ, ମୁଁ କାହିଁକି ଡରିବି, ମୁଁ କଣ ଗଧ ନା କ’ଣ ? ମୁଁ ତ କେବଳ ନଇ ଆଡେ ଟିକେ ତମ ସହ ବୁଲିବାକୁ ଚାହୁଁଥିଲି । ଆଉ ପ୍ରତିଦିନ ତୁମେ ଲୋକଙ୍କ ସହ କ’ଣ କଥା ହେଉଛ, ଜାଣିବାକୁ ଚାହୁଁଛି । ଜେଜେ ଠୋ ଠୋ ହସିଲେ । କହିଲେ, ଆରେ ଏଇ କଥାକୁ ଏତେ ମେହେନତ । ହଉ ଚାଲ- ଚାଲ ଦୁଇ ବୁଢ଼ା ଯାଇ ଟିକେ ଖୁସିରେ ବୁଲି ଆସିବା । ଆଉ ତୋ ପ୍ରଶ୍ନର ସମାଧାନ ବି ସେଇଠି ହୋଇଯିବ । ସାଙ୍ଗରେ ମୋ ଶିଙ୍ଗ ବାଡିଟା ଆଣିଥା । ରମଣ କୌତୁହଳପୂର୍ବକ ପଚାରିଲା,କାହିଁକି ତମେ କଣ ଠିକରେ ଚାଲିପାରୁନ କି ? ଛୋଟା ହେଇଗଲ । ଜେଜେ ବି ମଜାକିରେ କହିଲେ, ଆରେ ନାତିଆ ଯେଯାଏଁ ଏ ପ୍ରାଣ ଶ୍ମଶାନକୁ ନଯାଇଛି, ସେ ଯାଏଁ ଏ ଜେଜେର ଗୋଡ଼ ଛୋଟା ହେବାର ପ୍ରଶ୍ନ ହିଁ ଉଠୁନି । ନଈକୂଳ ଟା ତ କାଳେ ବାଟରେ କେଉଁ ଜୀବଜନ୍ତୁ ଦେଖାହେବେ, ସେଇଥିପାଇଁ ଲୋଡ଼ା ହେଉଛି । ନହେଲେ ତୁ ବି ହାରିଯିବୁ ମୋ ସହ ବାଜି ମାରିଲେ । ଆରେ ମୁଁ ଏ ପାଟିରେ ଏବେବି ଅଧସେର ଚାଉଳଭଜା ଚୋବାଇ ପାରିବି । ତମେମାନେ ତ ଛତୁଆ ଗୋଳେଇ ବିନା ଚୋବାଇବାରେ ମଣିଷ ହେଇଛ । ତମେ ପୁଣି ଆମ ସହ ତାଳ ଦେଵ । ଏହିପରି ଥଟା ତାମସା ଭିତରେ କେତେବେଳେ ନଈକୂଳେ ପହଂଚି ସାରିଥିଲେ ଜେଜେ ନାତି । ମୃଦୁମୃଦୁ ପବନ ବହୁଥାଏ । ପକ୍ଷୀ ମାନେ କଳରବ କରି ଆକାଶ ମାର୍ଗରେ ଉଡିଯାଉଥାନ୍ତି । ସୂର୍ଯ୍ୟ ପଶ୍ଚିମ ଆକାଶରେ ବୁଡିଯାଉଥାନ୍ତି । ତାଙ୍କର ରକ୍ତିମ ଆଭାରେ ନଦୀଜଳର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ କରୁଥିଲା ରମାକାନ୍ତ ବାବୁ ରମଣର ପିଠିକୁ ଟିକେ ଥାପୁଡ଼େଇ ପଚାରିଲେ, ହଉ ନାତିଆ କ’ଣ ପଚାରିବୁ ପରା ପଚାର । ରମଣ କହିଲା ଜେଜେ ଆସର ନଈପଠାରେ ଟିକେ ବସିବା, ତାପରେ ଆଲୋଚନା କରିବା । ରମଣ ପଚାରିଲା, ଜେଜେ ଆମ ଘରକୁ ସବୁ ସନ୍ଧ୍ୟାରେ ଲୋକେ କାହିଁକି ଆସୁଛନ୍ତି ସତସଙ୍ଗ ମାନେ କଣ କୁହନା ଟିକେ । ମୋର ଜାଣିବାକୁ ବହୁତ ଇଛା ହେଉଛି । ଏଇକଥା ଶୁଣ ତେବେ କହୁଛି । ବର୍ତ୍ତମାନ ପୃଥିବୀ ଅବକ୍ଷୟ ହେବାରେ ଲାଗିଛି । ମାନେ ଏ ଯେଉଁ ବିଜ୍ଞାନରେ ଆମର ଲେଖା ହୋଇଛି ତ । ହଁ ସେ ବି ଅବକ୍ଷୟ । କିନ୍ତୁ ପୃଥିବୀ ଏବେ ଅବକ୍ଷୟର ବଳୟରେ ସମ୍ପୂର୍ଣ୍ଣରୂପେ ବୁଡ଼ିଯାଇଛି । ଏମିତି ସମୟ ଆସିବ, ଏହାକୁ ନିୟନ୍ତ୍ରଣ କରିବାକୁ କାହାର ବି ଶକ୍ତି ଅଣ୍ଟିବ ନାହିଁ । ହେଲେ ଏହାକୁ ନିୟନ୍ତ୍ରଣ କରିହେବ ବୋଲି ବିଜ୍ଞାନ କହୁଛି, ରମଣ କହିଲା । ଜେଜେ ହସିଉଠିଲେ, ଆଉ କହିଲେ ଧେତ ଇଏ ସାଧାରଣ କଥାନୁହେଁ ନାତିଆ । ଏହାକୁ ନିୟନ୍ତ୍ରଣ କରିବାକୁ ଆମ ସମସ୍ତଙ୍କୁ ସଜାଗ ଓ ପରିବର୍ତ୍ତନ ହେବାକୁ ପଡ଼ିବ। ହେଲେ ମୋ ପ୍ରଶ୍ନର ଉତ୍ତର କଣ ଏଇଆ । ଠକୁଛ ମତେ ନା । ମୁଁ ଆଉ ତୁମ ସହ ଆସିବିନି କହୁଛି । ଆରେ ନାତିଆ ଏମିତି ରାଗେନା ବାପା । ମୁଁ ଯାହା କହୁଛି ଧୈର୍ଯ୍ୟର ସହ ଶୁଣ । ସେଥିରେ ହିଁ ତୋ ପ୍ରଶ୍ନର ପ୍ରକୃତ ସମାଧାନ ରହିଛି । ହଉ ଶୁଣୁଛି, ଶୀଘ୍ର କୁହ । ନହେଲେ ବାପା ବୋଉ ପଳାଇଆସିବେ । ହଉହଉ କହୁଛି ଶୁଣ । ଧ୍ୟାନ ଦେଇ ଶୁଣ । ରମଣ ଶୁଣିଲା:-ଜେଜେ ଆରମ୍ଭ କଲେ, ଜାଣିଲୁରେ ବାବା ବର୍ତ୍ତମାନ ଆଉ ସେବର ସମୟ ଭିତରେ ଆକାଶ ପାତାଳ ତଫାତ । ପାଦେ ପାଦେ ବିଷ ଭରିଗଲାଣି । ବିଷ ନପଡ଼ିଲେ ଧାନ ବି ଫଳିବା ମୁସ୍କିଲ ହୋଇପଡ଼ିଲାଣି । ବିଲ ହଳ ହେବାଠାରୁ ଶସ୍ୟ ପାଚିବା ଯାଏଁ ରାସାୟନିକ ପଦାର୍ଥର ପ୍ରୟୋଗ । ମାଟି ତାର ଜୈବିକ ଗୁଣଟିକୁ ହରାଇଛି । ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟ ବିଷ ଦ୍ୱାରା ହିଁ ପରିପୁଷ୍ଟ ହୋଇଛି । ସେଇ ବିଷର ପ୍ରଭାବ ଭୂତଳ ଜଳକୁ ମଧ୍ୟ ବିଷାକ୍ତ କରିଛି । ଯାହା ଫଳରେ ମଣିଷ ବିଭିନ୍ନ ଅଚିହ୍ନା ରୋଗର ଶିକାର ହୋଇ ଅକାଳ ମୃତ୍ୟୁବରଣ କରୁଛି ଅସମୟରେ ବାର୍ଦ୍ଧକ୍ୟରେ ଉପନୀତ ହେଉଛି । ପୁଣି ମଣିଷ ବଂଚିବା ପାଇଁ ଉଚ୍ଚ ଅଟାଳିକା ଆଉ କଳକାରଖାନାର ପ୍ରତିଷ୍ଠା ପାଇଁ ଜଙ୍ଗଲ ଧ୍ୱଂସ କରିଚାଲିଛି । ଯାହାର ଫଳସ୍ୱରୂପ ମୃତ୍ତିକାର ଅବକ୍ଷୟ ହେଉଛି । ପୁଣି ଶିଳ୍ପ ପ୍ରସାର ଯୋଗୁଁ ମାଟି,ବାୟୁ,ଜଳ ସବୁର ଅବକ୍ଷୟ ହେବାରେ ଲାଗିଛି । ଏହା ମଧ୍ୟ ମନୁଷ୍ୟ,ପଶୁ,ପକ୍ଷୀ ସମସ୍ତଙ୍କ ଉପରେ କୁପ୍ରଭାଵ ପକାଉଛି । ଧୀରେଧୀରେ ଏସବୁର ଏକପ୍ରକାର ଅବକ୍ଷୟ ହିଁ ହେଉଛି ତେବେ ଏଇ ଅବକ୍ଷୟ କଥା କହୁଛଟି । ନାଁରେ ଆହୁରି ଅନେକ କଥା ରହିଛି, ଜେଜେ କହିଲେ । ଯୁଗ ବହୁତ ଆଗରେ, ଲୋକ ଉଚ୍ଚଶିକ୍ଷା ପ୍ରାପ୍ତ ହେଲେଣି । କିନ୍ତୁ ମଣିଷ ନିକଟରୁ ମାନବିକତା ଶବ୍ଦଟି ସମ୍ପୂର୍ଣ୍ଣ ଶୂନ୍ୟ ହୋଇଛି । ଅତ୍ୟାଧୁନିକତା ପ୍ରଭାବରେ ମଣିଷ ଭ୍ରାତୃତ୍ବ, ମଣିଷପଣିଆ, ସ୍ନେହ, ଶ୍ରଦ୍ଧା, ସାହାଯ୍ୟ, ପରୋପକାର, ଗୁରୁଭକ୍ତି ଆଦି ସମସ୍ତ ସଦଗୁଣ ବିସ୍ମରଣ ହୋଇଛି । ବସ୍ତୁବାଦୀ ଜିନିଷକୁ ଆପଣେଇ ସମ୍ପର୍କର ମୂଲ୍ୟକୁ ଭୁଲିଗଲାଣି । ପଡ଼ୋଶୀ ପଡ଼ୋଶୀ, ସାହିସାହି, ଗାଁଆଗାଁଆ, ଦେଶଦେଶ ମଧ୍ୟରେ ସମ୍ବନ୍ଧ, ଏପରିକି ବିଶ୍ଵଭ୍ରାତୃତ୍ବ ମଧ୍ୟ ଅବକ୍ଷୟ ହେବାରେ ଲାଗିଛି । ଆଚାର ବିଚାର, ସମ୍ମାନ, ସଂସ୍କୃତି ଆଦି ସମସ୍ତ ଜିନିଷ ଅବକ୍ଷୟ ହେଉଛି । ଓଃ ଓଃ ତେବେ ଏମିତି ଅବକ୍ଷୟ ହେଉଛି । ହଁ ଏହାକୁ ରୋକାଯିବାର ଉପାୟ କ’ଣ ଅଛି ଯେ ? ମଣିଷ ହାତରେ ସବୁ କ୍ଷମତା ରହିଛି । କାରଣ ତା ନିକଟରେ ବୁଝିବାର ଜ୍ଞାନ ଅଛି । ସେ ଇଛାକଲେ ଏସବୁର ସମାଧାନ ହେବ । ବୁଝିଲି ଏବେ ସମସ୍ତେ ଆସି ତୁମ ପାଖେ ରୁଣ୍ଡ ହୁଅନ୍ତି କଣ ପାଇଁ । କହିଲୁ ନାତିଆ କଣ ପାଇଁ । ଏଇଥିପାଇଁ ଯେ ଏକାଠି ହୋଇ ଆଲୋଚନା କରି ନିଜ ନିଜ ମଧ୍ୟରେ କଥାକୁ ସମାଧାନ କରିବାର ବାଟ ବାହାରିପାରିବ । ତେବେ ପୃଥିବୀକୁ ଅବକ୍ଷୟର ବିପଦ ମୁହଁରୁ ରକ୍ଷା କରାଯାଇପାରିବ । ଠିକ୍ କହିଲୁରେ ନାତି । ଯଦି ଆମେ ସମସ୍ତେ ପ୍ରତିଦିନ ଏହାର କୁପ୍ରଭାଵ ବିଷୟରେ ଆଲୋଚନା କରି ଲୋକଙ୍କୁ ସଚେତନତା ପ୍ରଦାନ କରିବା, ତେବେ କିଛିକାଂଶରେ ଏହାକୁ ନିୟନ୍ତ୍ରିତ କରିହେବ । ଜେଜେ ଯାହାହେଉ ତୁମେ ବହୁତ ଭଲ କାମଟିଏ କରୁଛ । ବହୁତ ଧନ୍ୟବାଦ ତୁମକୁ କହିଲା ରମଣ । ଆରେ ନାତିଆ ସେଥିରେ ଆମର ମଙ୍ଗଳ ହେବା ସହ ଜଗତର କଲ୍ୟାଣ ମଧ୍ୟ ରହିଛି, ଆମର ସ୍ୱାର୍ଥକୁ ରକ୍ଷା କରିବା କଣ ଉଚିତ କଥା ନୁହେଁ । ନିଶ୍ଚୟ ନିଶ୍ଚୟ ମୁଁ ଆଜି ବହୁତ ଖୁସି ଯେ, ମୋ ଜେଜେ ସମାଜର ମଙ୍ଗଳ ପାଇଁ ଛୋଟ ପ୍ରୟାସଟିଏ ଜାରୀ ରଖିଛନ୍ତି । ଜେଜେ ନାତି ଦୁହେଁ ଆନନ୍ଦରେ ହସିଉଠିଲେ………। ରମଣର ଆଖି ହଠାତ ଆକାଶରେ ପଡ଼ିଥିବା ଧ୍ରୁବତାରା ଆଡ଼କୁ ପଳାଇଗଲା । ସେ କହିଲା ଜେଜେ ତୁମ ସହକଥା ହେଉ ହେଉ ସନ୍ଧ୍ୟା ହୋଇଗଲାଣି । ବାପାବୋଉ ଆସି ଘରେ ପହଂଚି ସାରିଥିବେ । ଆଜି ମୋ ବେଳା ବୁଡ଼ିଲା । ରମାକାନ୍ତବାବୁ ବୋଧ ଦେଇ କହିଲେ, ବ୍ୟସ୍ତ ହୁଅନି । ମୁଁ ଅଛି ନାଁ ତୋ ଜେଜେ । ମୁଁ ଥାଉଥାଉ ମୋ ନାତିକୁ କିଏ କଣ କହିବ? ରମଣ ହସିଲା । ଦୁହେଁ ମିଶି କେତେବେଳେ ଘରେ ପହଂଚି ସାରିଥିଲେ ଜଣାନଥିଲା ।

ସରସ୍ୱତୀ ନାୟକ, ପୁରୀ