
ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୨୦ ତାରିଖରେ ସୁପର ସାଇକ୍ଲୋନ ଅମ୍ପାନ ଗତି କଲାପରେ ଜଳେଶ୍ୱର ବ୍ଲକର ପ୍ରାୟ ୭୫ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବାର ଜଳେଶ୍ୱର ବିଇଓଙ୍କ ପକ୍ଷରୁ ଜିଲାପାଳ ଓ ଶିକ୍ଷା ବିଭାଗକୁ ସୂଚନା ଦିଆଯାଇଛି । ଜଳେଶ୍ୱର ବ୍ଲକର ୩୫ଟି ପଞ୍ଚାୟତ ଓ ୨୦୧ ଗାଁର ୨୮ଟି ପଞ୍ଚାୟତ ଅଧିନରେ ୭୪ଟି ଓ ମ୍ୟୁନିସିପାଲଟିର ଗୋଟିଏ ବିଦ୍ୟାଳୟରେ କ୍ଷତି ଘଟିଥିବା ସରକାରୀଭାବେ ଆକଳନ କରାଯାଇଛି । ବିଦ୍ୟାଳୟ ଗୁଡିକ ମଧ୍ୟରୁ କାହାର ଆଜବେଷ୍ଟ ଉଡିଯାଇଛି ତ ଆଉ କେଉଁଠି ଗଛପଡି ବିଦ୍ୟାଳୟର କ୍ଷତି ଘଟିଛି । ଏବେବି ସେହତ ୭୫ଟି ବିଦ୍ୟାଳୟ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଆଗାମୀ ଦିନରେ ସେମାନଙ୍କ ପୁଅଝୀଅଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । କ୍ଷୟକ୍ଷତି ସଂପର୍କରେ ବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ବିଇୟ କାର୍ଯ୍ୟାଳୟକୁ ଜଣାଇ ଦିଆଯାଇଥିବାରୁ କ୍ଷତିର ଆକଳନ କରାଯାଇଛି । ଜଳେଶ୍ୱର ମ୍ୟୁନିସିପାଲଟିର ମଙ୍ଗଳାତଳା ବିଦ୍ୟାଳୟର କ୍ଷତି ଘଟିଥିବା ଦର୍ଶାଯାଇଥିବା ବେଳେ ବ୍ଲକର ଶ୍ରୀଚୈତନ୍ୟଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ, ଛମୌଜର ମାଧବଚନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ, ତେଘରୀସ୍ଥିତ ଏଚଏନ୍ ୟୁଜିୟୁପି ବିଦ୍ୟାଳୟ, ଏସ୍ଏନ୍ ହାଇସ୍କୁଲ, ପଶ୍ଚିମବାର୍ଡର ଆର୍କେ ହାଇସ୍କୁଲ, ଗୁଆଗଡିଆ ପଞ୍ଚାୟତ ହାଇସ୍କୁଲ, ଭାନୁପୁର ପ୍ରାଥମିକ ବିଦ୍ୟାଳୟର ଅଧିକ କ୍ଷତି ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି । ଏବେ ଲକ୍ଡାଉନ୍ଯୋଗୁଁ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାରୁ ଏବଂ ଆସନ୍ତା ଦିନରେ ବିଦ୍ୟାଳୟ ଖୋଲିବା ପୁର୍ବରୁ ଏହାର ମରାମତି ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା