ଅଷ୍ଟବିଂଶ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ଉଦଯାପିତ…

ବ୍ରହ୍ମପର (ସମୃଦ୍ଧ ଓଡିଶା) ହିଲପାଟଣା ବିଜୁ ପଟ୍ଟନାୟକ ସାଂସ୍କୃତିକ ଭବନ ପରିସରରେ ଗତ ୧୮ ତାରିଖଠାରୁ ଚାଲିଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ତଥା ଅଷ୍ଟବିଂଶ ଦକ୍ଷିଣ ଓଡ଼ିଶା ନାଟକ ସମ୍ମିଳନୀ ଗତକାଲି ଉଦଯାପିତ ହୋଇଯାଇଛି । ଶେଷ ଦିନରେ ଆୟୋଜକ ଗଂଜାମ ଜିଲା ମଞ୍ଚ କଳାକାର ସମ୍ମଳନୀ ଦ୍ୱାରା ବହୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୂର୍ବାହ୍ନରେ ଓଡ଼ିଆ ନାଟକ ଓ ରଙ୍ଗମଚ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ବହୁ ନାଟ୍ୟକାର ଓ କଳାକାର ଯୋଗ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟୟରେ କବିତା ପାଠୋତ୍ସବରେ ବହୁ କବି ଓ କବୟିତ୍ରୀ ଯୋଗ ଦେଇଥିଲେ । ଅପରାହ୍ନରେ ସମାଜିକ ସଚେତନତା ବାର୍ତ୍ତା ବହନ କରୁଥିବା ଦୁଇଟି ସୌଜନ୍ୟ ମୁଳକ ନାଟକ ‘ଯେ ପାଞ୍ଚେ ପରମନ୍ଦ’ (ବ୍ରହ୍ମପର) ଓ ‘ଚାଣକ୍ୟ’ (ତାଳଚେର) ମଞ୍ଚସ୍ଥ ହୋଇଥିଲା । ଦୀର୍ଘ ୮ ଦିନ ଧରି ଚାଲିଥିବା ନାଟକ ମହୋତ୍ସବରେ ବହୁ ପ୍ରତିଭାଙ୍କୁ ପୁରସ୍କୃତ କରାଯିବା ସହ ସ୍ମରଣିକା ଉନ୍ମୋଚିତ କରାଯାଇଥିଲା । ଉଦ୍ୟାପନୀ ସଭାରେ ମଖ୍ୟୁ ଅତିଥି ଭାବେ ବ୍ରହ୍ମପର ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସାହିତ୍ୟିକ ସିଦ୍ଧାର୍ଥ ଶଙ୍କର ପାଢ଼ୀ, ସିପିଆଇଏମ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ବରିଷ୍ଠ ନାଟ୍ୟକାର ମେଜର ରମାରମଣ ପାଢ଼ୀ, ନିର୍ଦ୍ଦେଶକ ଦେବଦତ୍ତ ସିଂହ ଦେଓ, ଅନୁସୃତା ସିଂହଦେଓ, ସୁଦିପ କୁମାର ସାହୁ ଯୋଗ ଦେଇଥିଲେ । ମଞ୍ଚ କଳାକାର ସମ୍ମିଳନୀର ସଭାପତି ବଳରାମ ଦାସ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ସାଧାରଣ ସମ୍ପାଦକ ରମେଶ ମହାରଣା, କାର୍ଯ୍ୟକାରୀ ସଭାପତି ବିଚିତ୍ରା ନନ୍ଦ ବେବର୍ତ୍ତା, ଇଂ. ସନ୍ତୋଷ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଡ.ବିଜୟ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା