ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାରଙ୍କ ତୃଟିପୂର୍ଣ୍ଣ ଶିକ୍ଷାନିତୀର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ପ୍ରାଥମିକ ଶିକ୍ଷାରେ ୮ମ ଶ୍ରେଣୀ ଯୋଗ ହେବାର ସରକାରୀ ବିଜ୍ଞପ୍ତି ପାଇଥିବା ବେଳେ ମାଧ୍ୟମିକ ସ୍ତରରେ ବ୍ଲକ ଗ୍ରାଣ୍ଟ ଓ ଏଡେଡ୍ ବିଦ୍ୟାଳୟରେ ମଧ୍ୟ ଅଷ୍ଟମ ଶ୍ରେଣୀ ଶିକ୍ଷାଦାନ ଦିଆଯାଉଛି । ଫଳରେ ଗୋଟିଏ ଗାଁରେ ପ୍ରାଥମିକ ଓ ମାଧ୍ୟମିକ ଦୁଇ ବିଦ୍ୟାଳୟରେ ୮ମ ଶ୍ରେଣୀ କାର୍ଯ୍ୟ ଚାଲୁଥିବାରୁ ଅଭିଭାବକ ମାନେ ଦ୍ୱନ୍ଦରେ ପଡିବା ସହିତ ଶିକ୍ଷାର ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ । ଘଟଣାରୁ ପ୍ରକାଶ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଇନ୍ଦ୍ରମଣୀ ତ୍ରିପାଠୀଙ୍କ ଚିଠିନଂ ୫୯୭୧ ତା ୩-୪-୧୭ ଅନୁଯାୟୀ ମାଧ୍ୟମିକ ସ୍ତରରେ ଥିବା ୮ମ ଶ୍ରେଣୀ ପ୍ରାଥମିକ ଶିକ୍ଷାରେ ଅନ୍ତର୍ଭକ୍ତ କରାଯାଇଛି । ସେହିପରି ମାଧ୍ୟମିକ ଶିକ୍ଷାର ନିର୍ଦ୍ଦେଶକଙ୍କ ଚିଠିନଂ ୩୭୪ ତା ୩-୮-୧୯ ଅନୁଯାୟୀ ଗତ ୧୫-୨-୨୦୧୬ରୁ ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ୮ମ ଶ୍ରେଣୀଟି ପ୍ରାଥମିକ ଶିକ୍ଷାରେ ଅନ୍ତର୍ଭୁକ୍ତ ହୋଇଛି । ଫଳରେ ସମଗ୍ର ରାଜ୍ୟରେ ମାଧ୍ୟମିକ ଶିକ୍ଷାରୁ ୮ମ ଶ୍ରେଣୀକୁ ବାଦ ଦେଇ ପ୍ରାଥମିକ ଶିକ୍ଷାରେ ସାମିଲ କରାଯାଇଛି । ଏହି ଅନୁଯାୟୀ ୭ମ ଶ୍ରେଣୀ ଥିବା ପ୍ରାଥମିକ ବିଦ୍ୟାଳୟରେ ନୂତନଭାବେ ୮ମ ଶ୍ରେଣୀ ଖୋଲାଯାଇ ଶିକ୍ଷାଦିନ କରାଯାଉଛି । କିନ୍ତୁ ଜଳେଶ୍ବର ବ୍ଲକର ୧୧ଟି ବିଦ୍ୟାଳରେ ଏହା କାର୍ଯ୍ୟ କରୁନଥିବା ଜଣାଯାଇଛି । ଜଳେଶ୍ୱର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧିନରେ ଥିବା ଚନ୍ଦ୍ରପୁର, ଶାନ୍ତିଆ, ପଂଚୁଘଣ୍ଟା, ଯୁକାପାଟଣା, ସରସିଦା, ବାଇଗଣବାଡିଆ, ଓଳିନ୍ଦା, ପାଇକସିଦା, ଦେବକୁମାର ଭଳି ୧୧ଟି ଉଚ୍ଚ ବିଦ୍ୟାଳୟରେ ୮ମ ଶ୍ରେଣୀରେ ଥାଇ ଶିକ୍ଷାଦାନ ଦିଆଯାଉଥିବା ବେଳେ ସେହି ଗାଁର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ୮ମ ଶ୍ରେଣୀ ଶିକ୍ଷାଦାନ ଚାଲୁଥିବା ଜଣାଯାଇଛି । ପ୍ରଥମତଃ ୮ମ ଶ୍ରେଣୀ ଉଚ୍ଚ ବିଦ୍ୟାଳୟରୁ ବାଦ୍ ପଡିଥିବାରୁ ସେଠାରେ ମଧ୍ୟାହ୍ନ ଭୋଜନ ଦିଆଯିବା ସମ୍ଭାବନା ନ ଥିବା ବେଳେ ସେଠାରେ ଶିକ୍ଷାଦାନ କରୁଥିବା ଛାତ୍ରଛାତ୍ରୀ ପୋଷାକ, ବହି ଇତ୍ୟାଦି ନ ପାଇବା କଥା ତାହା ଦିଆଯାଉଛି । ପ୍ରାଥମିକ ବିଦ୍ୟାଳୟରେ ଥିବା ୮ମ ଶ୍ରେଣୀରେ ଥିବା ବିଜ୍ଞାନ, ଗଣିତ ଭଳି ବିଷୟ ଶିକ୍ଷାଦାନ ପାଇବାରେ ଅସୁବିଧା ସୃଷ୍ଟି ହେଉଛି । କେତେକ ସ୍ଥାନରେ ଶ୍ରେଣୀ ଗୃହ ଅଭାବରୁ ପ୍ରାଥମିକ ବିଦ୍ୟାୟରେ ୮ମ ଶ୍ରେଣୀ ଶିକ୍ଷାଦାନ ବାରଣ୍ଡା କିମ୍ବା ଗଛ ତଳେ ହେଉଥିବା ଦେଖିବାକୁ ମିଳିଛି । ଏପରିକି ମାଧ୍ୟମିକ ବିଦ୍ୟାଳରେ ପଡୁଥିବା ଛାତ୍ରଛାତ୍ରୀମାନେ ଉତ୍ଥାନ ଭଳି ସରକାରୀ ଶିକ୍ଷା ପଦ୍ଧତିରୁ ବାଦ ପଡୁଛନ୍ତି । ଗୋଟିଏ ଗାଁରେ ୮ମ ଶ୍ରେଣୀ ୨ଟି ବିଦ୍ୟାଳୟରେ ଚାଲୁଥିବା ଘଟଣାକୁ ଏ ଅଂଚଳର ବହୁ ବୁଦ୍ଧିଜିବି, ପୁରାତନ ଶିକ୍ଷକ ଓ ଶିକ୍ଷାବିତ୍ମାନେ ନାପସନ୍ଦ କରିଛନ୍ତି । ତେଣୁ ରାଜ୍ୟ ସରକାର ଏଭଳି ଏକ ତ୍ରୁଟିପୂର୍ଣ୍ଣ ପଦ୍ଧତିକୁ ସଂଶୋଧନ କରିବା ପାଇଁ ଅଭିଭାବକମାନେ ନିବେଦନ କରିଛନ୍ତି । ଏ ସଂପର୍କରେ ଜଳେଶ୍ବର ଗୋଷ୍ଠି ଶିକ୍ଷାଧିକାରୀ ବିଜୟ କୁମାର ନାଥଙ୍କୁ ଯୋଗାଯୋଗ କରିବାରୁ ସେ କେବଳ ସରକାରୀ ବିଦ୍ୟାଳୟକୁ ଛାଡି ଅନ୍ୟ ବ୍ଲକ ଗ୍ରାଣ୍ଟ ଓ ଏଡ୍ଡେ୍ ବିଦ୍ୟାଳୟ ମାନଙ୍କରେ ଏଭଳି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ରହିଛି ବୋଲି ସ୍ୱାକାର କରିଥିଲେ । ରାଜ୍ୟ ସରକାର ଏସବୁର ସମାଧାନ କରିପାରିବେ ବୋଲି କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା