ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଇପିଏସ୍ ଅଧିକାରୀମାନଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଛି । ଦକ୍ଷିଣାଞ୍ଚଳ ଓ ଦକ୍ଷିଣ-ପଶ୍ଚିମାଞ୍ଚଳ ଡ଼ିଆଇଜି ଦାୟୀତ୍ୱରେ ଥିବା ଆଶିଷ କୁମାର ସିଂଙ୍କ ବଦଳି ହୋଇ ଗୁଇନ୍ଦା ବିଭାଗ ଡ଼ିଆଇଜି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ତାଙ୍କ ସ୍ଥାନରେ ୨୦୦୦ ବ୍ୟାଚ୍ ର ଆଇପିଏସ୍ ଅଫିସର୍ ଯତୀନ୍ଦ୍ର କୋୟଲ ଦକ୍ଷିଣାଞ୍ଚଳ ଆଇଜି ଭାବେ ନିଯୁକ୍ତି ହୋଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ଏଭଳି ବଦଳି କରାଯାଇଥିବା ଜଣାପଡ଼ିଛି । ୨୦୦୪ ବ୍ୟାଚ୍ ର ୟଙ୍ଗ ଆଇପିଏସ୍ ଅଫିସର୍ ଆଶିଷ କୁମାର ସିଂ ବ୍ରହ୍ମପୁର ଏସପି ଏବଂ ଏହାପରେ ଦକ୍ଷିଣାଂଚଳ ଡ଼ିଆଇଜି ଦାୟୀତ୍ୱରେ ରହି ଗଞ୍ଜାମ ଜିଲ୍ଲାରେ ଅପରାଧିମାନଙ୍କୁ ସାବାଡ଼ କରି ସମଗ୍ର ରାଜ୍ୟରେ ଏକ ନୂଆ ପରିଚୟ ସୃଷ୍ଟି କରିଥିଲେ । ଅପରାଧିଙ୍କୁ ଦମନ କରିବା ପାଇଁ ଇତିମଧ୍ୟରେ ୬୦ଟି ଏନକାଉଣ୍ଟର କରି ଅପରାଧିଙ୍କ ସାମ୍ରାଜ୍ୟକୁ ଧ୍ୱଂସ କରି ଜିଲ୍ଲାରୁ ଅପରାଧ ମୁକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବର୍ତ୍ତମାନ ଏହି କଡ଼ା ଅଫିସରଙ୍କ ବଦଳି ହୋଇଥିଲେ ମଧ୍ୟ ନୂଆରେ ଆସୁଥିବା କୋୟଲ୍ ମଧ୍ୟ ପୂର୍ବରୁ ନିଜର ଚାକିରୀ ଜୀବନ ବ୍ରହ୍ମପୁର ଏସଡ଼ିପିଓ ଭାବେ ଆରମ୍ଭ କରିଥିବା ବେଳେ ଭଲ କାର୍ଯ୍ୟ କରିଛନ୍ତି । ସେହିଭଳି ଏଥିପୂର୍ବରୁ ଡ଼ିଆଇଜି(ଏସଟିଏଫ୍) ଦାୟୀତ୍ୱରେ ରହି ଜଣେ ଭଲ ଆଇପିଏସ୍ ଅଫିସର୍ ଜଣେ ଷ୍ଟ୍ରିକ୍ଟ ଅଫିସର୍ ଭାବେ ନାମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବଚନ ମଣ୍ଡଳୀ ଭାବେ ନିର୍ବାଚନରେ ଗଞ୍ଜାମ ଜିଲ୍ଲା ସର୍ବଦା ଫୋକସ୍ ରେ ରହିଥାଏ । ତେଣୁ ନିର୍ବାଚନ ପୂର୍ବରୁ ଶ୍ରୀ କୋୟଲଙ୍କୁ ଗଞ୍ଜାମ ଜିଲ୍ଲା ଦାୟୀତ୍ୱ ଦିଆଯିବା ଶ୍ରୀ କୋୟଲଙ୍କ କାର୍ଯ୍ୟଦକ୍ଷତାକୁ ପ୍ରମାଣିତ କରେ । ତେଣୁ ଅପରାଧିମାନେ ଢ଼ିଲା ହେବା ମହଙ୍ଗା ପଡ଼ିବ ବୋଲି ବ୍ରହ୍ମପର ସହର ତଥା ସମଗ୍ର ଗଞ୍ଜାମ ଜିଲ୍ଲାରେ ବୁଦ୍ଧିଜିବୀ ଓ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି । ତେଣୁ କୋୟଲ୍ ମଧ୍ୟ ଅପରାଧିଙ୍କୁ ସାବାଡ଼ କରିବାରେ ସିଦ୍ଧହସ୍ତ ପ୍ରମାଣିିତ ହେବେ ଏବଂ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ପରିଚାଳନାର ସହ ସଫଳ ହୋଇପାରିବ ବୋଲି ସମସ୍ତେ ଆଶା ପ୍ରକଟ କରୁଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା