ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଗକୁ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସେ ସଂପର୍କରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ଓ ସ୍ଥିତିର ସମୀକ୍ଷା କରିବା ପାଇଁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଡ଼.ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ବ୍ରହ୍ମପୁର ଗସ୍ତ କରିଛନ୍ତି । ଏହି ଅବସରରେ ଏକ ସମୀକ୍ଷା ବୈଠକ ବ୍ରହ୍ମପୁରରେ ଥିବା ଦକ୍ଷିଣାଂଚଳ ପୋଲିସ୍ ରେଞ୍ଜ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିର୍ବାଚନ ଯେପରି ଅବାଧ ଓ ନିରପେକ୍ଷ ହୋଇପାରିବ ମାଓ ଉପଦ୍ରବ ଅଂଚଳରେ ଭୋଟରମାନେ ଯେପରି ନିର୍ଭୟରେ ଭୋଟଦାନ କରିପାରିବେ ଓ ଅପରାଧିମାନଙ୍କୁ କିଭଳି ଦମନ କରାଯାଇପାରିବ ସେ ସଂପର୍କରେ ପୋଲିସ୍ ଡ଼ିଜି ବିସ୍ତୃତ ଭାବେ ଆଲୋଚନା କରିବା ସହ ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ପୋଲିସ୍ ଡ଼ିଜି(ଅପରେସନ୍) ଆର.ପି କୋଚେ, ଅତିରିକ୍ତ ପୋଲିସ୍ ଡ଼ିଜି(ଆଇନ ଶୃଙ୍ଖଳା) ସଞ୍ଜିବ କୁମାର ପଣ୍ଡା, ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ୍ କୁମାର ରଏ, ଆଇଜି ଘନଶ୍ୟାମ ଉପାଧ୍ୟାୟ, ଦକ୍ଷିଣାଂଚଳ ପୋଲିସ୍ ଆଇଜି ୟତୀନ୍ଦ୍ର କୋୟଲଙ୍କ ସମେତ ବ୍ରହ୍ମପୁର, ଗଞ୍ଜାମ, କନ୍ଧମାଳ, ଗଜପତି ଓ ବୌଦ୍ଧ ପୋଲିସ୍ ଜିଲ୍ଲାର ଏସପିମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା