ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଭାରତବର୍ଷ ନାରୀକୁ ଭଗବାନ ସ୍ୱରୂପ ମା’ର ସମ୍ମାନ ଦେଇଛି ବୋଲି ଆଜି ଆଙ୍କୋଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟପାଳ ଗଣେଶୀ ଲାଲ୍ କହିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନରେ ରାଜ୍ୟପାଳ କହିଥିଲେ ଆମେରିକାର ଚିକାଗୋ ସହରରେ ସ୍ୱାମୀ ବିବେକାନନ୍ଦ ‘ମା ଓ ଭଉଣୀ’ କହି ଭାଷଣ ଆରମ୍ଭ କରିଥିଲେ । ଏହି ଦୁଇଟି ଶଦ୍ଦ ହିଁ ଭାରତବର୍ଷକୁ ବିଶ୍ୱରେ ପରିଚିତ କରିଥିଲା । ସ୍ୱାମୀ ବିବେକାନନ୍ଦ ଆଜି ବିଶ୍ୱ ଦରବାରରେ ପ୍ରତିଫଳିତ ହୋଇଛନ୍ତି । କେବଳ ତାଙ୍କର ଜ୍ଞାନ ନୁହେଁ, ଗୁରୁଙ୍କ ମାର୍ଗଦର୍ଶନ ମଧ୍ୟ ତାଙ୍କୁ ବିଶ୍ୱ ଦରବାରରେ ପହଂଚାଇଛି ବୋଲି ରାଜ୍ୟପାଳ କହିଛନ୍ତି । ସଠିକ୍ ଦିଗଦର୍ଶନ ଓ ମାର୍ଗଦର୍ଶନ ହିଁ ଆତ୍ମଗୁଣର ବିକାଶ ତଥା ପ୍ରତିଫଳନ କରିଥାଏ ବୋଲି ପ୍ରକାଶ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଧ୍ୟାତମିକ ଶିକ୍ଷା ଦେବାକୁ ରାଜ୍ୟପାଳ ଗୁରୁତ୍ୱାରୋପ କରିଛନ୍ତି । ପୁରାତନ ସଂସ୍କୃତି ଓ ପରମ୍ପରା ଜାଣିବା ସହ ବିଜ୍ଞାନର ବିକାଶରେ ଜଡ଼ିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ନିଉଟନ୍ ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କରିଥିଲେ । ମାଧ୍ୟାକର୍ଷଣ ଶକ୍ତି ବଳରେ ଗଛରୁ ପାଚିଲା ଫଳ ପଡ଼ିଲା ସତ । କିନ୍ତୁ ଗଛକୁ ଫଳ କେମିତି ଗଲା ତାହା ଏବଂ ଏହା ଉପରେ ନଯାଇ ତଳେ କାହିଁକି ପଡ଼ିଲା ଏହି ପ୍ରଶ୍ନର ଉତ୍ତର କେହିବି ଦେଇପାରୁନାହାନ୍ତି । ଏହି ଉଦାହରଣ ଦେଇ ସେ କହିଥିଲେ ଯେ, ମନୁଷ୍ୟକୁ ଅନ୍ଧାରରୁ ଆଲୋକ ଆଡ଼କୁ ବାଟ କଢାଇବା ପାଇଁ ବିଦ୍ୟା ଏକ ମାଧ୍ୟମ । ମଣିଷକୁ ଆତ୍ମବଡ଼ିମା ତ୍ୟାଗ କରି ଆତ୍ମଶୋଧନ, ଆତ୍ମବିକାଶ, ଆତ୍ମଚିନ୍ମନ ଓ ଆତ୍ମ ପରିବର୍ତନ ହିଁ ପ୍ରକୃତ ଶିକ୍ଷା ବୋଲି ରାଜ୍ୟପାଳ କହିଥିଲେ । ଶ୍ରୀକୃଷ୍ଣଙ୍କ ପରାମର୍ଶ ଅର୍ଜୁନଙ୍କ ଆତ୍ମ ଶକ୍ତି ଜାଗ୍ରତ ବୋଲି କହିଥିଲେ । ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟର ପାତ୍ର କହିଛନ୍ତି ଯେ, ପରିବାର ଓ ବିଦ୍ୟାଳୟ ପରସ୍ପର ପରିପୂରକ । ପରିବାରରୁ ହିଁ ଜଣେ ଛାତ୍ର ଉତମ ଶିକ୍ଷା ପାଇଥାଏ । ରାଜ୍ୟ ସରକାର ଛାତ୍ର ମାନେ ନିଜ ଅନୁଷ୍ଠାନ ପ୍ରତି ସଦଭାବନା ରଖିବାକୁ ମୋ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି । ଏହା ସହ ରାଜ୍ୟପାଳ ଗଣେଶୀ ଲାଲ୍ ବାର୍ଷିକ ପତ୍ରିକା ଉନ୍ମୋଚନ କରିଥିଳେ । ୩ଜଣ ଆଲୁମିନିଙ୍କୁ ସମ୍ମାନିତ କରାଯିବା ସହ ଦୁଇଜଣ ଉତମ ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା । ଶତବାର୍ଷିକୀ କାର୍ଯ୍ୟକ୍ରମରେ ପରିଚାଳନା କମିଟି ଅଧ୍ୟକ୍ଷ ଭାଗିରଥି ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି । ପାଠ ଛାଡ଼ୁଥିବା ବହୁ ଛାତ୍ରଛାତ୍ରୀ ଆଜି ମୁଖ୍ୟସ୍ରୋତରେ ସାମଲ୍ ହୋଇ ପୁଣି ପାଠ ପଢିବାକୁ ଆସୁଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ସବୁ ପିଲାଙ୍କୁ ପାଠ ପଢାଇବାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ହେବାକୁ ଯାଉଛି ବୋଲି କହିଥିଲେ । ଏହା ସହ ସ୍କୁଲରେ ରାଜ୍ୟପାଳ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୃର୍ତି ଉନ୍ମୋଚନ କରିଥିଳେ । ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏଲ୍ ସୁଦାମ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିିଥିବା ବେଳେ ପୂର୍ବତନ ମେୟର କେ. ମାଧବୀ, ପୂର୍ବତନ ଡ଼େପୁଟି ମେୟର ଜ୍ୟୋତ୍ସ୍ନା ନାୟକ, ବିଡ଼ିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ପି. ଅଶାରାଣୀ, ଶ୍ରୀଧର ଦାସଙ୍କ ସମେତ ଶତବାର୍ଷିକୀ ପରିଚାଳନା କମିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଶେଷରେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ହୋଇଥିଲା । ସଦର ଏସଡ଼ିପିଓ ଅଶୋକ କୁମାର ମହାନ୍ତି, ଡ଼ିଏସପି ଅଜୟ କୁମାର ମିଶ୍ର, ଇନିସପେକ୍ଟର ଜେ. କେ ପଟ୍ଟନାୟକ ଓ ସୁଶାନ୍ତ କୁମାର ସାହୁଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା