ଆଜିଠୁ ଆରମ୍ଭ ହେଲା ଡୋର ଟୁ ଡୋର ସ୍କ୍ରିନିଂ କାର୍ଯ୍ୟକ୍ରମ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଗତ ବର୍ଷ ମହାମାରୀ କରୋନା ମୁକାବିଲା ପାଇଁ ଡୋର ଟୁ ଡୋର ହେଲଥ୍ ସ୍କ୍ରିନିଂ କରି ସଫଳତା ହାସଲ କରିଥିବାରୁ ଚଳିତ ବର୍ଷ ମଧ୍ୟ ପୁଣିଥରେ ଡୋର ଟୁ ଡୋର ସ୍କ୍ରିନିଂ ପ୍ରକ୍ରିୟାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜିଠୁ ଜିଲ୍ଲାରେ ଡୋର ଟୁ ଡୋର ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ବ୍ଲକର କଣମଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣା ଛତ୍ରପୁର ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ସହ କୋଭିଡ ଗାଇଡ ଲାଇନକୁ ପାଳନ କରିବାକୁ ସଚେତନତା କରାଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଉଛି । ଏଥି ନିମନ୍ତେ ଏକ ଟିମ୍ ମଧ୍ୟ ଗଠନ କରାଯାଇଛି । ଏହି ଟିମ୍ ପ୍ରତି ଘରକୁ ଘର ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି । ଏହି ଟିମ୍ ରେ ଅଙ୍ଗନବାଡି କର୍ମୀ, ଅଶାଦିଦି ଓ ସ୍ୱାସ୍ଥ୍ୟ କର୍ମୀମାନେ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଏନେଇ ଆଜି ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର କଣମଣା ପଞ୍ଚାୟତର ଅନ୍ତର୍ଗତ ପୁରୁଣା ଛତ୍ରପୁର ଗ୍ରାମରେ ଏହାର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ଉପସ୍ଥିତରେ ଗ୍ରାମର ପ୍ରତ୍ୟେକ ଘରକୁ ଘର ଅଙ୍ଗନବାଡି କର୍ମୀ, ଅଶାଦିଦି ଓ ସ୍ୱାସ୍ଥ୍ୟ କର୍ମୀମାନେ ପରିକ୍ରମା କରି ଥର୍ମାଲ ସ୍କ୍ରିନିଂ କରିବା ସହ ଅକ୍ସି ମିଟରରେ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଏହାସହ ସମସ୍ତଙ୍କୁ କୋଭିଡ ସହାୟତା, ଟେଲି ମେଡିସିନ୍ ଓ ସ୍ୱାବ ପରୀକ୍ଷା ସହାୟତା ନମ୍ବର ସମ୍ପର୍କରେ ଅବଗତ କରାଉଛନ୍ତି । ତାପମାତ୍ରା ଯାଞ୍ଚ ସମେତ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ସବିଶେଷ ତଥ୍ୟ ସଂଗ୍ରହ ସହ ଟୀକା କରଣର ତଥ୍ୟ ମଧ୍ୟ ସଂଗ୍ରହ କରୁଛନ୍ତି । କୋଭିଡ ଲକ୍ଷ୍ୟଣ ଥିବା ବ୍ୟକ୍ତିମାନଙ୍କ ପରୀକ୍ଷା କରିବା ସହ ଆବଶ୍ୟକ ପଡିଲେ ସେମାନଙ୍କୁ ଘରୋଇ ସଂଗରୋଧ କିମ୍ବା ଆନୁଷ୍ଠାନିକ ସଂଗରୋଧ କେନ୍ଦ୍ରରେ ଚିକିତ୍ସିତ ହେବାକୁ ମଧ୍ୟ ଏହି ଟିମ୍ ସଚେତନତା କରାଉଛନ୍ତି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦେରୀ ମଲ୍ଲିକ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, କଣମଣା ସରପଂଚ ଏସ୍‌. ଚକ୍ରପାଣି ରେଡ୍ଡି, ସମିତି ସଭ୍ୟା ରଶ୍ମିତା ବେହେରା, ନାଏବ ସରପଞ୍ଚ ଉଷାରାଣୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।