ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ବଜେଟ୍ ଅଧିବେଶନ ଆରମ୍ଭ ହେବା ପରେ ଫେବୃୟାରୀ ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟର ବଜେଟ୍ ଉପସ୍ଥାପନ କରିବେ । ଏହାପରେ ୩ ଦିନ ଧରି ବଜେଟ୍ ଉପରେ ଗୃହରେ ଆଲୋଚନା କରାଯିବ । ବଜେଟ୍ ଅଧିବେଶନ ପୂର୍ବରୁ ଗୁରୁବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ବଜେଟ୍ ଅଧିବେଶନରେ କିଭଳି ଭାବେ ଗୃହ କାର୍ଯ୍ୟ ସୁରୁଖୁରରେ ଚାଲିପାରିବ ସେ ନେଇ ବାଚସ୍ପତି ବିଧାୟକମାନଙ୍କ ସହିତ ଆଲୋଚନା କରିଛନ୍ତି ।ବିଧାନସଭାର ବଜେଟ୍ ଅଧିବେଶନ ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୪ରୁ ଆରମ୍ଭ ହୋଇ ଫେବୃୟାରୀ ୨୬ ପର୍ଯ୍ୟନ୍ତ ଚାଲିବ । ଏହାପରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିବ । ଏଥର ବଜେଟ୍ ଅଧିବେଶନ ପାଇଁ ମୋଟ ୩୧ଟି କାର୍ଯ୍ୟଦିବସ ଧାର୍ଯ୍ୟ କରାଯାଇଛି ।

ରିପୋର୍ଟ : ଆକାଶ ମିଶ୍ର