ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହା ପୁର୍ଣ୍ୟ ମାସ ବୈଶାଖ ଶୁକ୍ଳ ତୃତୀୟା ‘ଅକ୍ଷୟ ତୃତୀୟା’ ଭାବରେ ପ୍ରସିଦ୍ଧ । ଏହି ପବିତ୍ର ତିଥିରେ ଯେଉଁ ଧର୍ମ କାର୍ଯ୍ୟ କରାଯାଏ ତାହାର ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହିଦିନ ଅଳ୍ପେ ବହୁତେ ଦାନ କଲେ ଫଳ ଅକ୍ଷୟ ହୁଏ । ପୁରାଣ ଅନୁସାରେ ଏହି ଦିନରେ ସତ୍ୟଯୁଗର ଆରମ୍ଭ ହୋଇଥିଲା । ପୃଥିବୀର ଗଙ୍ଗୋତ୍ରୀ(ପୁରାଣ ନାମ-ଜଟ ଶଂକରୀ) ଠାରେ ଗଙ୍ଗା ନଦୀର ଅବତରଣ ଘଟିଥିଲା । ଭଗବାନ ବିଷ୍ଣୁଙ୍କ ଅବତାର ରୂପେ ପର୍ଶୁରାମ ଏହିଦିନରେ ଆବିର୍ଭୂତ ହୋଇଥିଲେ । ଏହି ତିଥିରେ ମାଆ ଅନ୍ନପୂର୍ଣ୍ଣାଙ୍କ ଜନ୍ମ ଓ କୁବେରଙ୍କୁ ଧନପ୍ରାପ୍ତି ହୋଇଥିଲା । ପୁଣି ଏହି ଦିନ ସୂର୍ଯ୍ୟଦେବ ପାଣ୍ଡବଗଣଙ୍କୁ ଅକ୍ଷୟପାତ୍ର ଦେଇଥିଲେ । ଆଜି ଦିନରେ ବ୍ୟାସଦେବ ପାର୍ବତୀଙ୍କ ମାନସପୁତ୍ର ଗଣେଶଙ୍କ ଦ୍ୱାରା ମହାଭାରତ ଲେଖା ଆରମ୍ଭ କରିଥିଲେ । ମହାଭାରତ ଯୁଦ୍ଧର ପରିସମାପ୍ତି ହୋଇଥିଲା । ପବିତ୍ର ବଦ୍ରିନାଥ ଧାମର ଦ୍ୱାର ଏହିଦିନ ଖୋଲାଯାଏ । ବୃନ୍ଦାବନର ବାଙ୍କବିହାରୀ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣ ଦର୍ଶନମିଳେ। ଆଦି ଶଂକରାଚାର୍ଯ୍ୟ କନକଧାରା ସ୍ତୋତ୍ର ରଚନା କରିଥିଲେ । ଅକ୍ଷୟ ତୂତୀୟା ଓଡିଶା ପାଇଁ ବିଶେଷ ଗୁରୁତ୍ବ ବହନକରେ । ପୁରୀର ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହୋଇଥାଏ । ତାଙ୍କର ଚନ୍ଦନଯାତ୍ରା ଏହିଦିନରୁ ଆରମ୍ଭ ହୁଏ । ଦେବରାଜ ଇନ୍ଦ୍ର ଏହି ଦିନ ପୁଥିବୀରେ ନିଜେ ଜମି ହଳକରି ବୀଜ ବୁଣିଲେ । ତଦନୁସାରେ ଓଡିଶାର ଚାଷୀ ତା’ର କ୍ଷେତରେ ‘ଧାନ ଲକ୍ଷ୍ମୀ’ଙ୍କ ପୂଜା କରି ଅକ୍ଷୀ ମୁଠି ଅନୁକୂଳ କରେ । ଆଜି ବୃଷ ସଂକ୍ରାନ୍ତି ମଧ୍ୟ ।ଏହି ସଂକ୍ରାନ୍ତି ଦିନ ବୃଷଭଙ୍କ ସହ ଶିବଙ୍କୁ ପୂଜା କଲେ ପ୍ରାଣୀକୁ ଶିବଲୋକରେ ସ୍ଥାନ ମିଳେ । ଆଜି ଦିନରେ ସୂର୍ଯ୍ୟ ମେଷ ରାଶିରୁ ଯାଇ ବୃଷ ରାଶିରେ ଅବସ୍ଥାନ କରନ୍ତି ବୋଲି ଏହି ସଂକ୍ରାନ୍ତିର ଏପରି ନାମକରଣ କରାଯାଇଛି ।