

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଆଦିବାସୀମାନେ ଧାରଣାରେ ବସିଥିଲେ । ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେମାନଙ୍କ ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ଜମି ଓ ଜଙ୍ଗଲ ଅଧିକାର ପ୍ରଦାନ, ଆଦିବାସୀ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ପିଇବା ପାଣି, ଜଳସେଚନ, ସେତୁ ଓ ବିଦ୍ୟୁତିକରଣର ସୁବ୍ୟବସ୍ଥା, ଜିଲ୍ଲାରେ ନାକଚ ହୋଇଥିବା ୬,୩୪୩ ଆବେଦନକାରୀଙ୍କୁ ଜଙ୍ଗଲର ଶିରୋନାମା ତୁରନ୍ତ ପ୍ରଦାନ କରିବା, ସମସ୍ତ ଭୂମିହୀନଙ୍କୁ ଜମି ଓ ଘରଡିହ ପଟ୍ଟା ଯୋଗାଇବା, ଆଦିବାସୀ ଓ ନେତାମାନଙ୍କ ଉପରେ ମିଥ୍ୟା କେଶ ନ କରିବା, ପୋଲିସର ଦମନ ଓ ଗୁଣ୍ଡାରାଜ ବନ୍ଦ କରିବା ଆଦି ଦାବି ନେଇ ଆଦିବାସୀମାନେ ଧାରଣାରେ ବସିଥିଲେ ଏବଂ ଦାବି ପୂରଣ ନ ହେବା ଯାଏଁ ଏହି ଧାରଣା ଜାରି ରହିଥିବ ବୋଲି ଚେତାବନୀ ଦେଇଥିଲେ । ରିଜର୍ଭ ପୋଲିସ ପଡିଆରେ ରୋଷେଇ କରି ସମସ୍ତେ ଖାଇପିଇ ଧାରଣାକୁ ଚାଲୁ ରଖିଥିଲେ । ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ସହ ଆଦିବାସୀମାନଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଫେବୃୟାରୀ ୫ରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା । ଆଦିବାସୀଙ୍କ ଏକ ପ୍ରତିନିଧି ଦଳ, ଅତିରିକ୍ତ ଜିଲ୍ଲାପାଳ, ୩ ଉପଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ, ଡ଼ିଏଫଓମାନେ ସେଥିରେ ଉପସ୍ଥିତ ରହି ଦାବି ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣାକୁ ପ୍ରତ୍ୟାହୃତ କରାଯାଇଥିଲା । ପୂର୍ବାହ୍ନରେ ଅଖିଳ ଭାରତ କିଷାନ ମଜଦୁର ସଭା, ଅଧିବାସୀ ଭାରତ ମହାସଭା ଚାଷୀ ମୁଲିଆ ସଂଘ, ଗଞ୍ଜାମ ଜିଲ୍ଲା ଆଦିବାସୀ ମଞ୍ଚ, ଜିଲ୍ଲା ଗ୍ରାମ ସଭା ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରାଯାଇଥିଲା । ଏଥିରେ ଏଆଇକେଏମସର ଜିଲ୍ଲା ସମ୍ପାଦକ ରଘୁନାଥ ନାୟକ, ରାଜ୍ୟ ମୁଖପାତ୍ର ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରତାପ ନାୟକ, ଆଦିବାସୀ ଭାରତ ମହାସଭାର ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ଅଧିବାସୀ ମଞ୍ଚର ସଭାପତି କୈଳାସ ଜାନି, ଗଞ୍ଜାମ ଜିଲ୍ଲା ଗ୍ରାମ ସଭା ସାମ୍ମୁଖ୍ୟର ଆବାହକ ବିଜୟ ସ୍ୱାଇଁ, ଓଡିଶା ଚାଷୀ ମୁଲିଆ ସଂଘର ଜିଲ୍ଲା ଆବାହକ ନିରଞ୍ଜନ ଶବର, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ପ୍ରଦୀପ ସାହୁ, ଅବନୀ ଗୟା, ସିମାଞ୍ଚଳ ନାହାକ, ଇଜୁ ଅମିନ ଖାନ ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ବେଳେ ଛତ୍ରପୁର ଏସଡ଼ିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଚମାଖଣ୍ଡି ଥାନା ଆଇଆଇସି ସୁଧାଂଶୁ ଶେଖର ମାନ୍ଧାତା, ମେରାଇନ ଆଇଆଇସି ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ ଉପସ୍ଥିତ ରହିଥିଲେ । ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






