ଆନ୍ଦୋଳନ ନାଟକ ନ କରି ସୁରକ୍ଷା ଭର୍ତ୍ତା ଓ ବୋନସ୍ ଦିଅ – ଅକ୍ଷୟ କୁମାର…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଧାନର ଦର ବୃଦ୍ଧି ବିଧାନସଭାର ସର୍ବସମ୍ମତ ପ୍ରସ୍ତାବ ଅନୁଯାୟୀ ୨୯୩୦ ଟଙ୍କା କରିବା ଓ ୨୦ ବର୍ଷ ବୟସରୁ ପ୍ରତ୍ୟେକ ଚାଷୀକୁ ମାସିକ ଟ. ୫,୦୦୦/- ସୁରକ୍ଷା ଭତା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଭବନ ସାମ୍ନା ଧାରଣା ଦିଆଯାଇଥିଲା । ପରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ । ଏହି ଅବସରରେ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଏହି ଅବସରରେ ଧାନ ଦର ବୃଦ୍ଧି ବାହାନାରେ ବିଜେଡିର ଦିଲ୍ଲୀ ରାଲିକୁ କଡ଼ା ସମାଲୋଚନା କରି କହିଥିଲେ ଯେ ଲୋକେ ଲୋକଙ୍କର କାମ କରିବାପାଇଁ ନିର୍ବାଚିତ ସରକାର ବାଛିଥାଆନ୍ତି । ରାଜ୍ୟରେ ବିଜେଡିକୁ ୪/୫ ଥର ଅକୁଣ୍ଠ ସମର୍ଥନ ଚାଷୀମାନେ ଦେଇଥିଲା ବେଳେ ଚାଷୀକୁ ସୁରକ୍ଷା ଭତା ଦେବାପାଇଁ ନବୀନ କୁଣ୍ଠିତ ହେଉଛନ୍ତି । ଦୀର୍ଘ ୯ ବର୍ଷ ଧରି ରାଜ୍ୟରେ ଚାଷୀ ପେନ୍ସନ୍ ଓ ଧାନ ଦର ନେଇ ସଂଗଠନ ଲଢ଼େଇ କରୁଛି । ମାତ୍ର ସରକାର ସୁରକ୍ଷା ଭତା ନ ଦେବାପାଇଁ କାଳିଆ ଯୋଜନା କରି ଓଡ଼ିଶାବାସୀଙ୍କୁ ଭୁତାଉଛନ୍ତି । ରାଜ୍ୟସଭା ଓ ଲୋକସଭାରେ ପ୍ରଭାବୀ ଢଙ୍ଗରେ ଧାନ ଦର ପାଇଁ ଲଢ଼େଇ ନ କରି କର୍ମୀଙ୍କୁ ଦିଲ୍ଲୀ ନେଇ ହାଉସ୍ କରିବାକୁ ଆନ୍ଦୋଳନ ବୋଲି ଦେଖେଇହେବା ହାସ୍ୟାସ୍ପଦ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସଙ୍ଗଠନର ଉପଦେଷ୍ଟା ରବି ଦାସ କହିଥିଲେ ଯେ ନବନିର୍ମାଣ ଆନ୍ଦୋଳନ ଚାପରେ ଓଡ଼ିଶା ସରକାର କିଛି ଚାଷୀ ସପକ୍ଷବାଦୀ ନିଷ୍ପତି ନେଉଛନ୍ତି । ସେହିଭଳି ଚାଷୀଙ୍କୁ ପେନସନ୍ ପ୍ରଦାନ କରାଗଲେ ରାଜ୍ୟ ଅର୍ଥନୀତିରେ କୁପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଥିଲେ । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଶାସକ ବିଜୁ ଜନତା ଦଳକୁ ସମାଲୋଚନା କରି କହିଥିଲେ ଯେ ୫୦,୦୦୦ କୋଟି ଟଙ୍କା ଖଣି ମାଫିଆଙ୍କୁ ଛାଡ଼ କରାଗଲା ବେଳେ ସରକାର ଅର୍ଥର ମୂଲ୍ୟ ବୁଝୁନାହାନ୍ତି ହେଲେ ଦେଶର ମେରୁଦଣ୍ଡ ଅନ୍ନଦାତା ଚାଷୀଙ୍କୁ ୫,୦୦୦ ଲେଖାଏଁ ଟଙ୍କା ସୁରକ୍ଷା ଭତ ଦେବାକୁ ଅବାସ୍ତବ ବୋଲି କହୁଛନ୍ତି । ଛତିଶଗଡ଼ରେ ଯେମିତି ଚାଷୀମାନେ ରାଜନୀତିରେ ଓଲଟପାଲଟ କରିଦେଲେ, ଓଡ଼ିଶାରେ ବିଜେଡି ଦଳ ଚାଷୀମାରଣ ନୀତି ପାଇଁ ସେମିତି ପରିସ୍ଥିତି ଭୋଗିବବୋଳି ଶ୍ରୀ ନନ୍ଦ ଚେତାବନୀ ଦେଇଥିଲେ ।

ରିପୋର୍ଟ : ଆକାଶ ମିଶ୍ର