କନ୍ଧମାଳ (ସମୃଦ୍ଧ ଓଡିଶା) ଆଜି ୧୨ ଘଣ୍ଟିଆ କନ୍ଧମାଳଜିଲ୍ଳା ବନ୍ଦ ଡାକରା ଦିଆଯାଇଛି । ଦାରିଙ୍ଗବାଡ଼ି ଅଞ୍ଚଳରେ ଥିବା ଏକ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ବିଜେପି ଏହାକୁ ସମର୍ଥନ ଜଣାଇଛି । ଏହାର ପ୍ରଭାବରେ ଜିଲ୍ଲାରେ ସକାଳ ୬ଟାରୁ ବନ୍ଦ ପାଳନ କରଯାଇଛି । ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ବନ୍ଦ ପାଳନ ଯୋଗୁଁ ଦୋକାନବଜାର, ଗାଡ଼ିିମୋଟର ଚଳାଚଳ ବନ୍ଦ ଥିବା ବେଳେ ରାସ୍ତା ଉପରେ ଟାୟାର ଜାଳି ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ସମ୍ମୁଖରେ ଅନ୍ଦୋଳନକାରୀମାନେ ପିକେଟିଂ କରୁଛନ୍ତି । କନ୍ଧମାଳ ସୁରକ୍ଷା ଅଭିଯାନ ଓ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସଂପୃକ୍ତ ନାବାଳିକାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଦାବି କରାଯାଇଛି । ତାହା ସହିତ ଏ ଘଟଣାରେ ନିଷ୍କ୍ରିୟତା ପ୍ରଦର୍ଶନ କରିଥିବା ସମସ୍ତ ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀଙ୍କୁ ବରଖାସ୍ତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି । କାରଣ ଏ ଘଟଣାରେ କେବଳ ତଳତଳିଆ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟପକ୍ଷରେ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଥିବା ବିଜେପି କନ୍ଧମାଳ ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ଦାବି କରିଛି । ଘଟଣାର ନ୍ୟାୟିକ ତଦନ୍ତ କରିବାକୁ ମଧ୍ୟ ଦଳ ଦାବି କରିଛି । ବନ୍ଦକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ୍ ଫୋର୍ସକୁ ମୁତୟନ କରାଯାଇଛି । ସ୍ଥିତି ଉପରେ ପୁଲିସ୍ କଡ଼ା ନଜର ରଖିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା