ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମ୍ପ୍ରତି ଦେଶରେ ନାଗରିକମାନେ ବ୍ୟସ୍ତ ବହୁତ ଓ ସ୍ୱାର୍ଥପରତା ଭିତରେ ବୁଡି ରହି ନିଜ ଅଞ୍ଚଳ ପ୍ରତି ନିଜର କର୍ତ୍ତବ୍ୟ ପ୍ରତି ସଚେତନତା ନୁହଁନ୍ତି । ଯଦିଓ ଅନେକ ଏହା ଉପରେ ଅଜ୍ଞ ସେମାନଙ୍କୁ ସଚେତନ କରାଇବା ସହ ଯେଉଁମାନେ ବିଜ୍ଞ ସେମାନଙ୍କୁ ଜାଗରଣ କରିବାର ଆବଶ୍ୟକତା ରହିଛି । ଅତୀତରେ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ସମସ୍ତେ ଅଂଟାଭିଡି ଆଗକୁ ଆସୁଥିଲେ, ବର୍ତ୍ତମାନ ଏପରି ଅବସ୍ଥାରେ ପହଞ୍ଚିଛି ଆମେମାନେ ଆମ ନିଜ ଅଞ୍ଚଳର ଛୋଟିଆ କାମଟେ ପାଇଁ ସରକାର ଓ ଅନ୍ୟ ଉପରେ ନିର୍ଭର କରି ଦୋଷ ଦେଇ ଅବହେଳିତ ହୋଇ ରହୁ ଅଛେ । ଏପରିକି ଅଞ୍ଚଳର ବିକାଶ ପାଇଁ ଦାବୀ କରିବା ଲଢେଇ କରିବା ଭୁଲି ଗଲେଣି । ଜନଜାଗରଣ ବିନା ଜଣଯାନ୍ତ୍ରଣାକୁ ନିଜେ ଜନାର୍ଦ୍ଦନ(ଭଗବାନ) ମଧ୍ୟ ଦୂର କରିପାରିବେ ନାହିଁ । ଏଣୁ ପ୍ରତ୍ୟେକ ନାଗରିକ ମନରେ ନିଜର ଅଞ୍ଚଳ ତଥା ମାଟି ଓ ମାଆର ବିକାଶ ପାଇଁ ଅନ୍ତର୍ଜାତୀୟ ଓଡିଆ ସ୍ୱାଭିମାନ ପ୍ରତିଷ୍ଠାନ ନୂଆଦିଲ୍ଲୀ ପକ୍ଷରୁ ମହାନ ସଂଘ ଓ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ପ୍ରଥମ କରି ବ୍ରହ୍ମପୁର ସହରରେ ଏହି ଜନସଚେତନତା କାର୍ଯ୍ୟକ୍ରମ ଏକବର୍ଷ ବ୍ୟାପି ଆୟୋଜନ କରିବା ନେଇ ଗତକାଲି ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି ବୈଠକ ତଥା ଆଲୋଚନାଚକ୍ର ପ୍ରତିଷ୍ଠାନର ମୁଖ୍ୟ ସଂଯୋଜକ ସୁଶାନ୍ତ କୁମାର ସାବତଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆମେ କରିବା ଆମ ବିକାଶ- ଆମେ ଗଢିବା ଆମ ଅଞ୍ଚଳ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ବିଭିନ୍ନ ୱାର୍ଡ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏବଂ ବିଭିନ୍ନ ସଂଗଠନଗୁଡିକରେ ନିଜ ଅଧିକାର ଓ ନିଜ କର୍ତ୍ତବ୍ୟ ନେଇ ଜନସଚେତନ ସୃଷ୍ଟି କରାଯିବ । ସହରର ବିଭିନ୍ନ ଗଳିରେ ଥିବା ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ସହ ସହରର ସାମୁହିକ ସ୍ୱାର୍ଥ ବିଶେଷ କରି ବ୍ରହ୍ମପୁରରୁ ନୂଆଦିଲ୍ଲୀ ନିୟମିତ ଟ୍ରେନ ଚଳାଚଳ, ବ୍ରହ୍ମପୁର ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା, ବିମାନ ବନ୍ଦର ସ୍ଥାପନ କରିବା ପ୍ରଦର୍ଶନୀ ପଡିଆ ଓ ଇନଡୋର ଷ୍ଟାଡିୟମ ପ୍ରତିଷ୍ଠା, ମେଡିକାଲ କଲେଜରେ ଉପଯୁକ୍ତ ଚିକିତ୍ସା, ରାସ୍ତା ସଂପ୍ରସାରଣ, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ତଥା ସଡକ ସୁରକ୍ଷା, ପାର୍କ ପ୍ରତିଷ୍ଠା, ପାନୀୟଜଳ ବିଦ୍ୟୁତ ସଂରକ୍ଷଣ, ଦୁର୍ନୀତି ମୁକ୍ତ ତଥା ଅପମିଶ୍ରଣ ପ୍ରତି ଧ୍ୟାନଦେବା ସହ ବ୍ରହ୍ମପୁରକୁ ଆକର୍ଷଣୀୟ ଅତ୍ୟାଧୁନିକ ସହର ଭାବେ କରିବା ଏ କାର୍ଯ୍ୟକ୍ରମ ମୁଖ୍ୟଲକ୍ଷ୍ୟ ବୋଲି ଶ୍ରୀ ସାବତ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ୱାର୍ଡ କମିଟି ଓ ସଂଯୋଜନା କମିଟି ଗଠନ କରାଯାଇ ଲୋକପ୍ରତିନିଧି, ପୋୖରପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ଓ ସହରର ବିକାଶ ନେଇ ବିଭିନ୍ନ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରାଯାଇ ସହରର ସାମୁଦ୍ରିକ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ପାଇଁ ବିଭିନ୍ନ ଯୋଜନା ଉପସ୍ଥାପନା କରାଯିବା ସହ ଏହାର କାର୍ଯ୍ୟକାରିଣୀ ପର୍ଯ୍ୟନ୍ତ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ଏହି ବୈଠକରେ ସହରର ବହୁ ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ ପ୍ରମୋଦ ମହାରଣା, ବାସୁଦେବ ସାହୁକାର, ସୌମିକ ସାହୁ, ପ୍ରଫେସର ପି.ସି ସାହୁ, ସଞ୍ଜୟ ମାଝୀ, ସରିତା ପଣ୍ଡା, କୃଷ୍ଣଚନ୍ଦ୍ର ପଣ୍ଡା, ଭଗବାନ ଗନ୍ତାୟତ, ହରିପ୍ରସାଦ ମହାରଣା, ଲଲିତ ମୋହନ ମଙ୍ଗରାଜ, ରାଧା ଚରଣ ନାୟକ, ଶେଖ ଅବଦୁଲ କାଲିଲ, ଶ୍ରୀମତୀ ଭାରତୀ ପାତ୍ର, ଜେ.ରବି କୁମାର, ଇ.ତେଜେଶ୍ୱର ରାଓ, ସଂଘମିତ୍ରା ଦଳେଇ, ମହମ୍ମଦ ଅସଲାମ, ସୁଶାନ୍ତ କୁମାର ମହାରଣା, ମକର ଧ୍ୱଜ ରଣା ଓ ପ୍ରଭାତ ସାହୁ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା