


ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜଧାନୀ ଓ ଉପକଣ୍ଠରେ ଥିବା ବସ୍ତିରେ ଘଟୁଥିବା ଅପରାଧକୁ ରୋକିବା ଲାଗି କମିଶନରେଟ ପୁଲିସ ‘ଆପୋଷ’ (ଅଲ୍-ରାଉଣ୍ଡ ପ୍ରମୋଶନ ଅଫ୍ ସ୍ପୋଟ୍ସ ଇନ୍ ସ୍ଲମ୍ ଆଣ୍ଡ ୟଙ୍ଗ ଆଣ୍ଡ ଜୁଭେନାଇଲ ଏଗେନଷ୍ଟ ନାରକୋଟିକ୍ସ ଆବ୍ୟୁଜ୍) ନାଁରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି । ବସ୍ତି ଲୋକଙ୍କ ସହିତ ପୁଲିସ କର୍ମଚାରୀମାନେ ଭାବ ଆଦାନପ୍ରଦାନ ସହ ଯୁବପୀଢିଙ୍କୁ ଅପରାଧିକ କାର୍ଯ୍ୟକଳାପରୁ ନିବୃତ୍ତ ରଖିବା ଲାଗି ଏହି ଯୋଜନା ବେଶ ସହାୟକ ବୋଲି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହବିଭାଗ ଅସିତ ତ୍ରିପାଠୀ କହିଛନ୍ତି ।
କମିଶନରେଟ ମୁଖ୍ୟାଳୟରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉପରୋକ୍ତ ବକ୍ତବ୍ୟରେ ଶ୍ରୀ ତ୍ରିପାଠୀ ଏହା କହିଥିଲେ । ଉତ୍ସବରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ କହିଥିଲେ ଯେ, ଭୁବନେଶ୍ୱରରେ ଘଟୁଥିବା ଅପରାଧ ଓ ନିଶା କାରବାର ମଧ୍ୟରୁ ପାଖାପାଖି ୬୦ଭାଗ ବସ୍ତି ଅଞ୍ଚଳରେ ଘଟୁଛି । ବସ୍ତିରେ ପୋଲିସ ପାଟ୍ରୋଲିଂ କରିବା ସମ୍ଭବପର ହେଉନାହିଁ । ଫଳରେ ଅପରାଧି ଓ ନିଶା ବେପାରିମାନେ ବସ୍ତିକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଉଛନ୍ତି । ପୋଲିସ ସେମାନଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇପଡୁଛି । ତେଣୁ ଏଭଳି ଅପରାଧକୁ ରୋକିବା ଲାଗି ଆପୋଷ ଯୋଜନା ବେଶ ସହାୟକ ହୋଇପାରିବ । ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଏହି ଯୋଜନା ମାଧ୍ୟମରେ ବସ୍ତିବାସିନ୍ଦାଙ୍କ ସହ ସମ୍ପର୍କ ଯୋଡାଯିବ । ଆଗାମୀ ଦିନରେ ବସ୍ତିଗୁଡିକରେ ବିଭିନ୍ନ ଖେଳ ପ୍ରତିଯୋଗିତା କରାଯିବ । ଏଥିରେ ଆବଶ୍ୟକୀୟ ଖେଳ ସରଞ୍ଜାମ ତଥା ଖେଳପଡିଆ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୬ଟି ଓ କଟକର ଗୋଟିଏ ବସ୍ତିକୁ ଯୋଜନାରେ ସାମିଲ କରାଯାଇଛି । ସେମାନଙ୍କୁ ଆବଶ୍ୟକୀୟ କ୍ରିଡା ଉପରକରଣ ଯୋଗାଇ ଦିଆଯାଇଛି । ଖୁବଶିଘ୍ର ବସ୍ତିରେ କ୍ରିଡା ପ୍ରତିଯୋଗୀତା ଆୟୋଜିନ କରାଯିବ । ଏହି ଯୋଜନା ମାଧ୍ୟମରେ ବସ୍ତିବାସିନ୍ଦାଙ୍କ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆସିବ । ଟୁର୍ଣ୍ଣମେଣ୍ଟ ବେଳେ ସେମାନଙ୍କୁ ନିଜ ସାମାଜିକ ଦାୟିତ୍ୱବାଧ ସହ ଅପରାଧିକ କାର୍ଯ୍ୟକଳାପ ଓ ନିଶାସେବନରୁ ଦୂରେଇ ରହିବା ନେଇ ସଚେତନ କରାଯିବ ।
ଏହି ଯୋଜନାକୁ ସଫଳ କରିବା ଲାଗି ବିଏମସି, କ୍ରିଡା, ଯୁବ ବ୍ୟାପାର ଓ ନଗର ଉନ୍ନୟନ ବିଭାଗକୁ ସାମିଲ କରାଯାଇଛି । ଯୁବପିଢୀମାନେ ଏଭଳି ଖେଳକୁଦରେ ସାମିଲ ହେଲେ ଅପରାଧୀକ କାର୍ଯ୍ୟରୁ ନିବୃତ୍ତ ରହିବେ । ଏଥିସହିତ ସେମାନେ ପୋଲିସ ସହ ୨୪ ଘଣ୍ଟା ଯୋଡି ହୋଇ ରହିଲେ ପୁଲିସ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇବ । ଏଭଳି କାର୍ଯ୍ୟ ଜାରି ରହିଲେ ବସ୍ତି ଅପରାଧକୁ ରୋକାଯାଇପାରିବ । ସୂଚନା ଅନୁସାରେ, ସହରର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ ହେଉଛନ୍ତି ବସ୍ତିବାସିନ୍ଦା । ପ୍ରାୟ ୪ ଶହରୁ ଅଧିକ ଛୋଟବଡ଼ ବସ୍ତିରେ ଦୁର୍ବଳ ସାମାଜିକ ନିୟନ୍ତ୍ରଣ ପ୍ରକ୍ରିୟା ବର୍ତ୍ତମାନ ମୁଖ୍ୟ ସମସ୍ୟା ହେଉଛି । ଯାହାର ଫାଇଦା ନେଇ ଅପରାଧୀମାନେ ବସ୍ତିରେ ଆଡ୍ଡା ଜମାଉଛନ୍ତି । ସେହିପରି ବସ୍ତିଗୁଡିକ ଏବେ ନିଶା କାରବାରର ମୁଖ୍ୟ ପେଣ୍ଠସ୍ଥଳୀ ପାଲଟିଛି ।
ରିପୋର୍ଟ : ଆକାଶ ମିଶ୍ର




