
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ହେଉଥିବା ଜମି ଲିଜରେ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏବାବଦରେ ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର ତହସିଲଦାରଙ୍କୁ ଏକ ଚିଠି ଲେଖି ଆର୍ଯ୍ୟପଲ୍ଲୀ ମୌଜାରେ ୧୦ ଏକର ଜମି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନୂଆଦିଲ୍ଲୀକୁ ଲିଜ୍ ଆକାରରେ ଦେବା ପାଇଁ ଜଣାଇଛନ୍ତି । ଏଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ତହସିଲଦାରଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ସୂଚନା ଅନୂଯାୟୀ ପୂର୍ବତନ ଛତ୍ରପୁର ଓକିଲ ସଂଘର ସଭାପତି କେ.ଶିବରାମ ରେଡ୍ଡି, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ତଥା ଯୁବ ଆଇନଜୀବୀ ବି.ଶ୍ରୀନିବାସ, ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ, ଗୋକୁଳ ଚନ୍ଦ୍ର ପଣ୍ଡା, ସତ୍ୟନାରାୟଣ ପାତ୍ର, ପ୍ରଫୁଲ କୁମାର ସେନାପତି, କିଶୋର ଚନ୍ଦ୍ର ସେନାପତି, ସୟଦ ମୁଖୁତାର, ପ୍ରଫୁଲ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ରାଜେନ୍ଦ୍ର ଦାସ ବି.ରାଜି ବାବୁ, ଲକ୍ଷ୍ମୀନାରାୟଣ ପଣ୍ଡା, ରାମଚନ୍ଦ୍ର ବେହେରା, ସୁଧିର କୁମାର ସାହୁଙ୍କ ସମେତ ଛତ୍ରପୁର ମିଳିତ ନାଗରିକ ମଞ୍ଚର ସମସ୍ତ ସଭ୍ୟ ଓ ସହରବାସୀଙ୍କ ପକ୍ଷରୁ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ସମୟରେ ଦାବି କରାଯାଇଥିଲା । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଲିଜ ସୂତ୍ରରେ ୧୦ ଏକର ସରକାରୀ ଜାଗାକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ପ୍ରଦାନ କରାଯାଇଛି । ଏଥିପାଇଁ ଛତ୍ରପୁର ମିଳିତ ମଞ୍ଚ ପକ୍ଷରୁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ସାଂସଦ ଓ ବିଧାୟକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଏହାସହ ମିଳିତ ମଞ୍ଚ ପକ୍ଷରୁ ଖୁବ ଶୀଘ୍ର ଅସ୍ଥାୟୀ ଭାବେ ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁ କରିବା ପାଇଁ ଅନୁରୋଧ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
