ଛତ୍ରପୁର/ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ –
• ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜ୍ମା ଥେରାପି ଆରମ୍ଭ କରାଯିବ । ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍ମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ସମ୍ କୋଭିଡ ହସ୍ପିଟାଲ ଓ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ଦେଇଛି । ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି ।
• ବ୍ରହ୍ମପୁରର ଅମିତ ହସ୍ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହାକୁ କଟକର ଅଶ୍ୱିନୀ ହସ୍ପିଟାଲ ପରିଚାଳନା କରିବ । ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଅଶ୍ୱିନୀ ହସ୍ପିଟାଲ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
• ଗଞ୍ଜାମରେ କୋଭିଡ ମୁକାବିଲାକୁ ଆହୁରି ସୁଦୃଢ କରିବା ପାଇଁ ୨ ଜଣ ଆଇ.ଏ.ଏସ୍ ଅଫିସର, ୨୫ ଜଣ ଓ.ଏ.ଏସ୍ ଅଫିସର, ୧୦୫ ଜଣ ଓଆରଏସ ଅଫିସର, ୩୦ ଜଣ ଏମବିବିଏସ ଡାକ୍ତର, ୧୦୦ ଜଣ ଆୟୁଶ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରୀ ଟେକ୍ନିସିଆନଙ୍କୁ ନିୟୋଜିତ କରାଯାଇଛି । ଏହାସହିତ ୩ ଜଣ ଡି.ଏସ୍.ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି ।
• ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
• ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀମାନଙ୍କୁ ଯେପରି ଠିକ୍ ସମୟରେ ସେବା ଯୋଗାଇ ଦେଇପାରିବେ, ତାକୁ ସୁନିଶ୍ଚିତ କରାଯିବ । ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଗଲା ।
• କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ଫୋକ୍ସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲ୍ ମାନଙ୍କୁ ଦାୟିତ୍ବ ଦିଆଯିବ ।
ସେହିପରି ସାରା ରାଜ୍ୟର କୋଭିଡ ପରିଚାଳନାକୁ ଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ କେତେକ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ
• ସାରା ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲ, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଦିନ ମାନଙ୍କରେ ଡାକ୍ତରମାନେ ଦୈନିକ ୧୦୦୦ ଟଙ୍କା, ପାରାମାଡିକାଲ କର୍ମଚାରୀମାନେ ଦୈନିକ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ ।
• ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀ ମାନେ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ୱତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ ।
• ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ତଥା ସ୍ୱତନ୍ତ୍ର ସର୍ଭେ କରୁଥିବା ଅଙ୍ଗନବାଡି କର୍ମୀମାନେ ଏହି ସର୍ଭେ ସମୟ ମଧ୍ୟରେ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ ।
ଗଞ୍ଜାମରେ କୋଭିଡ ନିୟନ୍ତ୍ରଣ ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବଦ ଜଣାଇଥିଲେ । ଆଗକୁ ମଧ୍ୟ ଏହିପରି ଭାବେ ଉତ୍ସର୍ଗୀକୃତ ସେବା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଭିଡିଓ କନ୍ଫରେନ୍ସିଂରେ ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ । ବାଚସ୍ପତି ଶ୍ରୀ ପାତ୍ର ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ଉପରେ ଅଧିକ ଫୋକ୍ସ କରିବା ପାଇଁ ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳରେ ଯେଉଁ ମାନଙ୍କର ସୁବିଧା ଅଛି, ସେମାନଙ୍କ ପାଇଁ ହୋମ୍ ଆଇସୋଲେସନର ସୁବିଧା କରିବା ପାଇଁ ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ କୋଭିଡ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା