ଆସନ୍ତା ୨୫ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟରେ ଗାନ୍ଧୀ ଜ୍ୟୋତିରଥ ଯାତ୍ରା କାର୍ଯ୍ୟକ୍ରମ

ଭୁବନେଶ୍ୱର(ଆକାଶ ମିଶ୍ର) – ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପ୍ରତିପାଳନ ପାଇଁ ଗତ ୨ତାରିଖରୁ ଓଡିଶାରେ ଆରମ୍ଭ ହୋଇଥିବା ଗାନ୍ଧୀଜ୍ୟୋତି ଯାତ୍ରା ଇତି ମଧ୍ୟରେ ୧୩ଟି ଜିଲ୍ଲା ପରିକ୍ରମା କରିସାରିଛି ।ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭକରି ସ୍ୱାଧୀନତା ସଂଗ୍ରାମୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ବିଶେଷକରି ଛାତ୍ରଛାତ୍ରୀମାନେ ଗାନ୍ଧୀଜ୍ୟୋତି ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଗାନ୍ଧୀ ଜ୍ୟୋତିରଥ ଯାତ୍ରା କାର୍ଯ୍ୟକ୍ରମ ଆସନ୍ତା ୨୫ତାରିଖରୁ ଆରମ୍ଭ ହେବ ।ଓଡିଶାରେ ଗାନ୍ଧୀଜୀଙ୍କ ସାର୍ଦ୍ଧ ଶତବାର୍ଷିକୀ ଦୁଇବର୍ଷ ଧରି ପ୍ରତିପାଳିତ ହେବ । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଢାଯାଇଛି । ସଂସ୍କୃତି ବିଭାଗ ଅନ୍ୟ ବିଭାଗମାନଙ୍କ ସହଯୋଗ ନେଇ ଏହି କାର୍ଯ୍ୟକ୍ରମର ସଂଯୋଜନା କରୁଥିବାବେଳେ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶାସନିକ କମିଟି ଗଢାଯାଇଛି । ଏହାଛଡା ଆଉ କେତେକ ଉପକମିଟି ମଧ୍ୟ ସରକାର ଗଠନ କରିଛନ୍ତି ।ଗତ ଗାନ୍ଧୀଜୟନ୍ତୀ ଅବସରରେ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ରାଜଧାନୀ ଉପକଣ୍ଠରେ ଥିବା ବାଲିଅନ୍ତା ଠାରେ ଗାନ୍ଧୀଜ୍ୟୋତି ରଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ୧୯୩୪ ମଇ ମାସରେ ଗାନ୍ଧୀଜୀ ଓଡିଶାରେ ହରିଜନ ପଦଯାତ୍ରା ଚଳାଇଥିବାବେଳେ ପୁରୀରୁ ଆସି ବାଲିଅନ୍ତା ଠାରେ ୩ଦିନ ଅବସ୍ଥାନ କରିଥିଲେ ଏବଂ ସେ ସମୟରେ ସାଧାରଣ ଲୋକଙ୍କ ଆଗ୍ରହ କ୍ରମେ ବାଲିଅନ୍ତାର ନିକୁଞ୍ଜବିହାରୀ ମନ୍ଦିର ହରିଜନମାନଙ୍କ ପାଇଁ ଖୋଲା ଯାଇଥିଲା ।ନୂଆଦିଲ୍ଲୀର ରାଜଘାଟ ଠାରେ ଥିବା ଗାନ୍ଧୀ ସମାଧିପୀଠରୁ ଗାନ୍ଧୀଜୀଙ୍କ ନାତୁଣୀ ତାରା ଗାନ୍ଧୀ ଭଟ୍ଟାଚାର୍ଯ୍ୟ ଓଡିଶାପାଇଁ ଗାନ୍ଧୀଜ୍ୟୋତି ସହିତ ସମାଧିପୀଠର ମୃତ୍ତିକା ପ୍ରଦାନ କରିଥିଲେ । ଏହି ଜ୍ୟୋତି ଓ ମୃତ୍ତିକା କଟକ ସ୍ୱରାଜ ଆଶ୍ରମରେ ସସମ୍ମାନେ ୩ଦିନ ରଖାଯିବାପରେ ଅକ୍ଟୋବର ୨ତାରିଖରୁ ଏହାକୁ ସୁସଜ୍ଜିତ ରଥରେ ସ୍ଥାପନ କରାଯାଇ ରାଜ୍ୟ ପରିକ୍ରମା କରାଯାଉଛି । ଓଡିଶା ଗାନ୍ଧୀବାଦୀ ଫୋରମ୍‍ ଏହି କାର୍ଯ୍ୟକ୍ରମର ସଂଯୋଜନା କରୁଛି ।ଇତି ମଧ୍ୟରେ ଗାନ୍ଧୀଜ୍ୟୋତି ରଥ ପୁରୀ, ଖୋରଧା, ଜଗତ୍‍ସିଂହପୁର, ନୟାଗଡ, କନ୍ଧମାଳ, ବୌଦ, ସୋନପୁର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲା ପରିକ୍ରମା କରିଛି ।ଯାତ୍ରା ସମୟରେ ଗାନ୍ଧୀଜୀଙ୍କ ସ୍ମୃତି ବିଜଡିତ ବିଭିନ୍ନ ସ୍ଥାନ ସହିତ ସ୍ୱାଧୀନତା ସଂଗ୍ରାମର ଅନେକ ପୀଠସ୍ଥଳୀକୁ ଏହି ଜ୍ୟୋତିରଥ ଯାତ୍ରା କରିଛି । ଭୁବନେଶ୍ୱରରେ ବୟୋଜେଷ୍ଠ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ଠାରୁ ଆରମ୍ଭକରି ନବରଙ୍ଗପୁରରେ ୧୦୩ବର୍ଷ ବୟସ୍କ ସର୍ବବରିଷ୍ଠ ସଂଗ୍ରାମୀ ମହମ୍ମଦ ବାଜିଙ୍କ ପର୍ଯ୍ୟନ୍ତ ଅନେକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।ଯେଉଁସବୁ ଜିଲ୍ଲାକୁ ଜ୍ୟୋତିରଥ ପରିକ୍ରମା କରୁଛି ସେଠାରେ ଜିଲ୍ଲା ପ୍ରଶାସନ ଏବଂ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନମାନେ ଏହାର କାର୍ଯ୍ୟକ୍ରମ ସଂଯୋଜନା କରୁଛନ୍ତି । ବିଶେଷକରି ସ୍କୁଲ କଲେଜର ପିଲାଙ୍କ ପାଇଁ ଏହି ଜ୍ୟୋତିରଥ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପିଲାମାନଙ୍କୁ ଯାତ୍ରା ସମୟରେ ଗାନ୍ଧୀଜୀଙ୍କ ବାର୍ତ୍ତା ବଣ୍ଟାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଠ ୧୭ଟି ଜିଲ୍ଲା ଏହି ରଥ ବୁଲିବ ।