ଆସ୍କା, ଛତ୍ରପୁର, ଭଞ୍ଜନଗର ଏନଏସିକୁ ୩ ମାସ ମଧ୍ୟରେ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ:ହାଇକୋର୍ଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ହାଇକୋର୍ଟ ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଆସ୍କା, ଛତ୍ରପୁର ଓ ଭଞ୍ଜନଗର ଏନଏସିକୁ ୩ ମାସ ମଧ୍ୟରେ ମ୍ୟୁନିସିପାଲଟି ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଝାବେରି ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆବେଦନକାରୀ ପିଟିଶନରେ ଦର୍ଶାଇଯାଇଛି ଯେ, ଉପରୋକ୍ତ ଅଞ୍ଚଳବାସୀ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟଜଳ, ଗମନାଗମନ ଭଳି ମୌଳିକ ସୁବିଧା ଏଠାରେ ଉପଲବ୍ଧ ହୋଇପାରିନାହିଁ । ୨୦୧୧ ଜନଗଣନା ଅନୁଯାୟୀ, ଏହି ଅଂଚଳର ଜନସଂଖ୍ୟା ମ୍ୟୁନିସିପାଲିଟି ଜନସଂଖ୍ୟାଠାରୁ ଅଧିକ ରହିଛି । ସେହିପରି ଆସ୍କା ସହର ଏକ ଓଡ଼ିଶାର ପ୍ରମୁଖ ବାଣିଜ୍ୟ କେନ୍ଦ୍ର । ଜନଗଣନା ଅନୁଯାୟୀ, ଏହି ଏନଏସି ଅଧୀନରେ ୨୧,୪୨୮ ବ୍ୟକ୍ତି ବାସ କରୁଛନ୍ତି । ଏହାର ଆଖପାଖ ୬ଟି ସହରର ଜନସଂଖ୍ୟାକୁ ମିଶାଇଲେ ମୋଟା ୩୭,୧୮୬ ଜଣ ବସବାସ କରୁଛନ୍ତି । ସେହିପରି ଭଞ୍ଜନଗର ଏନଏସିର ଜନସଂଖ୍ୟା ୨୦,୪୮୨ ରହିଥିବା ବେଳେ ଏହାର ଆଖପାଖ ୯ଟି ସହରର ଜନସଂଖ୍ୟାକୁ ମିଶାଇଲେ ମୋଟ ୪୫,୪୫୦ ହେବ । ଛତ୍ରପୁର ଏନଏସି ଅଧୀନରେ ୨୨ହଜାର ୨୭ ଜଣ ବାସ କରୁଥିବାବେଳେ ଏହା ସଂଲଗ୍ନ ୪ଟି ସହରର ଜନସଂଖ୍ୟା ମିଶାଇଲେ ୨୭,୩୪୦ ହେବ । ଓଡିଶା ମ୍ୟୁନିସିପାଲଟି କର୍ପୋରେଶନ ଆକ୍ଟ ଅନୁଯାୟୀ, ମ୍ୟୁନିସିପାଲିଟି ଘୋଷଣା ପାଇଁ ୨୫ ହଜାର ବା ତାଠାରୁ ଅଧିକ ହେବା ଉଚିତ । ଏଣୁ ଏହି ଅଂଚଳଗୁଡିକର ଜନସଂଖ୍ୟା ସର୍ତ୍ତ ପୁରଣ କରୁଥିବାରୁ ଏଗୁଡ଼ିକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିବାକୁ ପାଣିଗ୍ରାହୀ ପିଟିଶନରେ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବାସୁଦେବ ବାରିକ ମାମଲା ପରିଚାଳନା କରୁଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା