ଛତ୍ରପୁର (ସମୃଦ୍ଧ ଓଡିଶା) ଆୟକର ଦାଖଲ ପାଇଁ ପ୍ରଣୀତ ସଂଶୋଧିତ ନିୟମାବଳୀ ଉପରେ ଏକ କର୍ମଶାଳା ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଟ୍ରେଜେରି ଅଫିସର ଭାଗ୍ୟଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ଅନୁଷ୍ଠିତ କରାଯାଇଛି । ଏହି କର୍ମଶାଳାରେ ଆୟକର ରିହାତି ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । କେନ୍ଦ୍ରୀୟ ଟିକସ ବୋର୍ଡଙ୍କ ପରିବର୍ଦ୍ଧିତ ନିୟମାବଳୀ ଅନୁଯାୟୀ ରାଜ୍ୟ କୋଷାଗାର ନିର୍ଦ୍ଦେଶକଙ୍କ ଉପଦେଶ ପ୍ରକାରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ଜୀବନ ବୀମା ପଲିସୀ କଲେ ସେ ବାବଦରେ କର୍ମଚାରୀ ମାନଙ୍କୁ ଟିକସ ରିହାତି ବିଷୟରେ ଆଲୋଚନା ହୋଇଥିଲା । କର୍ମଚାରୀଙ୍କ ନିର୍ଭରଶୀଳ ପରିବାର ସଦସ୍ୟଙ୍କ ଡାକ୍ତରୀ ଚିକିତ୍ସା ବାବଦ ପୂର୍ବରୁ ଦିଆଯାଉଥିବା ଟିକସ ରିହାତି ୬୦ ହଜାର ଟଙ୍କାରୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହପରି ଗୃହ ଋଣର ସୁଧ ଉପରେ ୨ଲକ୍ଷ ପର୍ଯ୍ୟନ୍ତ ଟିକସ ରିହାତି ମିଳିବ । ନିଜେ କିମ୍ବା ପରିବାର ସଦସ୍ୟଙ୍କ ଡାକ୍ତରୀ ପରୀକ୍ଷା ଉପରେ ୫ ହଜାର ଟଙ୍କା ରାଶି ଉପରେ ଟିକସ ପଡିବ ନାହିଁ । ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ ଅଥବା ଅନ୍ୟ କୌଣସି ସମାଜସେବା ଅନୁଷ୍ଠାନକୁ ପ୍ରଦାନ କରୁଥିବା ଅର୍ଥ ଉପରେ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ରହିବ । ସ୍ୱାସ୍ଥ୍ୟ ବୀମା କରିଥିଲେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ର ସୁବିଧା ରହିଛି । ସେହପରି କର୍ମଚାରୀ ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳି ହୋଇଥିଲେ ସେମାନେ ନିର୍ଦ୍ଦିଷ୍ଟ ଫର୍ମରେ ସେମାନଙ୍କ ଘୋଷଣାନାମା ପ୍ରଦାନ କରିବାକୁ କୁହାଯାଇଛି । ଏହି କର୍ମଶାଳାରେ ସମସ୍ତ ବିଭାଗର କର୍ମଚାରୀ, ଯେଉଁମାନେ ବିଲ ବଜେଟ ସହିତ ସମ୍ପୃକ୍ତ ଯୋଗଦାନ କରିଥିଲେ । କର୍ମଶାଳାରେ ଜିଲ୍ଲା ଟ୍ରେଜେରି ତରଫରୁ ସନ୍ତୋଷ କୁମାର ପଲେଇ, ଡି. ଶ୍ରୀନିବାସ ପ୍ରଧାନ, ଅଶୋକ କୁମାର ସେନାପତି ଓ ଜିତେନ୍ଦ୍ର କୁମାର ସେଠି ପ୍ରଭୃତି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା