ଇବ୍‌ନଦୀ ଉପରେ ନୂତନ ପୋଲ ନିର୍ମାଣ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଇବ୍‌ନଦୀ ଉପରେ ଜାତୀୟ ରାଜପଥ ୪୯ (ପୁରୁଣା ଜାତୀୟ ରାଜପଥ-୨୦୦)ର ଭଗ୍ନ ଓ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ପୋଲ ବଦଳରେ ଏକ ନୂତନ ପୋଲ ନିର୍ମାଣ ପାଇଁ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ଲୋକସଭା ସଦସ୍ୟ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା କରିଥିଲେ । ଇତି ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଆଞ୍ଚଳିକ ଅଧିକାରୀ ୨୪/୦୭/୨୦୨୪ରେ ଡିପିଆର୍‌ ସହ ଆପତ୍ତି-ଅଭିଯୋଗ ଓ ପର୍ଯ୍ୟବେକ୍ଷଣ ସଂପର୍କିତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିସାରିଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇବାକୁ ଚାହିଁଛନ୍ତି ଯେ ତାଙ୍କ ନିର୍ବାଚନ ମଣ୍ଡଳୀ ସହ ଛତିଶଗଡ଼ ଆଦି ବିଭିନ୍ନ ସ୍ଥାନରୁ ଇବ୍‌ ନଦୀ ଉପରେ ଥିବା ଏହି ବିପଦସଙ୍କୁଳ ପୋଲ ଉପରେ ଦୈନନ୍ଦିନ ପ୍ରାୟ ୮୦୦ରୁ ଅଧିକ ଟ୍ରକ/ଟିପର ଚଳାଚଳ କରୁଛନ୍ତି । ସେହିପରି ମହାନଦୀ କୋଲଫିଲïର ଲଖନପୁର, ବ୍ରଜରାଜନଗର ଓ ଓରିଏଣ୍ଟ କୋଲିଆରିରୁ ଏହି ବାଟ ଦେଇ ବିଜୁ ଏକ୍ସପ୍ରେସ୍‌ େୱ ପର୍ଯ୍ୟନ୍ତ ବହୁ ଯାନ ଚଳାଚଳ କରୁଛନ୍ତି । ଯେହେତୁ ଏହି ପୋଲଟି ୬୦ ବର୍ଷ ପୁରୁଣା ଓ ଭଗ୍ନ, ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ସ୍ଥାନୀୟ ଜନସାଧାରଣ ଏହାକୁ ନେଇ ଅସୁରକ୍ଷିତ ମନେ କରୁଛନ୍ତି । ଦୀର୍ଘଦିନରୁ ନୂତନ ପୋଲ ନିର୍ମାଣ ପାଇଁ ସେମାନେ ଦାବି କରିବା ସହ ଖୁବ୍‌ଶୀଘ୍ର ପୋଲ ନିର୍ମାଣ ପାଇଁ ଆଶା ରଖିଛନ୍ତି । ଏହି ମର୍ମରେ ମନ୍ତ୍ରୀ ଶ୍ରୀ ପୂଜାରୀ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ପତ୍ର ଲେଖି ତାଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଯଥାଶୀଘ୍ର ଏହି ପୋଲ ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇଦେବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ।

ରିପୋର୍ଟ : ରଜତ ମହାପାତ୍ର