ଇଭିଏମ୍‌ ଉପରେ ବିଶ୍ୱାସ ହରାଇଲେ ଚନ୍ଦ୍ରବାବୁ ନାଇଡୁ କହିଲେ ୧୦୦ ପ୍ରତିଶତ ଟେମ୍ପୋରିଙ୍ଗ ହେବା ସମ୍ଭାବନା…

ଅମରାବତୀ(ସମୃଦ୍ଧ ଓଡିଶା)ଇଭିଏମ୍‌ (ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌)କୁ ନେଇ ବିବାଦ ଥମିବାର ନାଁ ଧରୁ ନ ଥିବା ବେଳେ ଏହାକୁ ହ୍ୟାକ୍‌ କରାଯାଇ ପାରିବ ବୋଲି ଜଣେ ସାଇବର ବିଶେଷଜ୍ଞ କହିବାକୁ ନେଇ ବିରୋଧୀମାନେ ଲଗାତର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଗତକାଲି ଇଭିଏମ୍‌କୁ କେନ୍ଦ୍ର କରି ମୋଦି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି, ଇଭିଏମ୍‌କୁ ୧୦୦ ପ୍ରତିଶତ ହ୍ୟାକ୍‌ କରାଯାଇ ପାରିବ। ଆଗାମୀ ସାଧାରଣ ନିର୍ବାଚନରେ ଅନିୟମିତତା କରିବା ପାଇଁ କେନ୍ଦ୍ର ସରକାର ଏହାକୁ ସ୍ୱୀକାର କରୁନାହାନ୍ତି। ଏହାକୁ ହ୍ୟାକ୍‌ କରାଯାଇ ପାରିବ ବୋଲି ସରକାର ଜାଣିଛନ୍ତି। ସେ କହିଛନ୍ତି ଯେ ହ୍ୟାକର୍‌ଙ୍କ ହାତରେ ଗଣତନ୍ତ୍ରକୁ ଟେକିଦିଆଯାଇ ପାରିବ ନାହିଁ। ଏଥିପାଇଁ ବ୍ୟାଲଟ୍‌ ପେପରରେ ନିର୍ବାଚନ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ତା’ଛଡ଼ା ଟେକ୍ନୋଲୋଜିକୁ ସହଜରେ ଅପବ୍ୟବହାର କରାଯାଇ ପାରିବ। ଯେଉଁମାନେ ସଫ୍ଟୱେର ବିକାଶ କରୁଛନ୍ତି, ସେମାନଙ୍କ ପାଇଁ ଏହା ମାମୁଲି କଥା। ତେଣୁ ନିର୍ବାଚନ କମିସନ୍‌ ଏ ଦିଗରେ ଭଲ ଭାବେ ବିଚାର କରି ଇଭିଏମ୍‌ ବଦଳରେ ବ୍ୟାଲଟ୍‌ ପେପରରେ ନିର୍ବାଚନ ପାଇଁ ଅନୁମତି ଦେବା ଆବଶ୍ୟକ।