ଇସ୍ତାହାର ଏବେ ପାଞ୍ଚ ବର୍ଷର ଏଜେଣ୍ଡା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରକୁ ଆସନ୍ତା ୫ବର୍ଷ ପାଇଁ ସରକାରଙ୍କ ଏଜେଣ୍ଡା ଭାବେ କାର୍ଯ୍ୟକାରୀ ହେବ । ଦଳୀୟ ମହଲରୁ ଏଭଳି ସୂଚନା ମିଳୁଛି । ୨୦୧୪ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ଦଳୀୟ ଇସ୍ତାହାରକୁ ସରକାରଙ୍କ ଏଜେଣ୍ଡା ଭାବେ ଗ୍ରହଣ କରୁଥିବାବେଳେ ରାଜ୍ୟ ସରକାର ଏହା ଉପରେ ଉତ୍ତମ ପ୍ରଦର୍ଶନ କରୁଛନ୍ତି । ଏହାର ସୁଫଳ ବି ଚଳିତ ନିର୍ବାଚନରେ ବିଜେଡିକୁ ମିଳିଛି । ୧୪୬ ଟି ଆସନରେ ହୋଇଥିବା ନିର୍ବାଚନରେ ବିଜେଡି ୧୧୨ ଆସନ ପାଇଥିବାବେଳେ ପୁଣିଥରେ ଅନୁରୂପ ଭାବେ ଦଳୀୟ ଇସ୍ତାହାରକୁ ଏଜେଣ୍ଡା ଭାବେ ଗ୍ରହଣ କରିବାର ସୂଚନା ମିଳୁଛି । ୨୯ ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ପରେ ଅପରାହ୍ନରେ ମନ୍ତ୍ରୀପରିଷଦ ବୈଠକ ଅନୁଷ୍ଠିତ ହେବା ସହିତ ରାଜ୍ୟପାଇଁ ନୂଆ ସରକାରଙ୍କ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ ହେବ । ମିଳିଥିବା ସୂଚନା ଅନୁଯାୟୀ ନୂତନ ରୋଡ୍‍ମ୍ୟାପ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାବେଳେ ମନ୍ତ୍ରୀ ପରିଷଦ ବୈଠକରେ ଆଲୋଚନା ପରେ ଏହା ପାରିତ ହେବ । ନିର୍ବାଚନ ସମୟରେ ବିଜେଡି ପକ୍ଷରୁ ଜାରି ନିର୍ବାଚନୀ ଇସ୍ତାହାରକୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ମନ୍ତ୍ରୀପରିଷଦ ବୈଠକରେ ଗ୍ରହଣ କରାଯିବା ସହିତ ଆସନ୍ତା ୫ବର୍ଷ ପାଇଁ ସରକାରଙ୍କ ଏଜେଣ୍ଡା ଭାବେ କାର୍ଯ୍ୟକାରୀ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦିତ ହେବାପରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି କୁହାଯିବ ଯାହାକି ପରବର୍ତ୍ତୀ ୫ବର୍ଷରେ କାର୍ଯ୍ୟକାରୀ ହେବ । ଏହି ସୂଚନା ଅନୁଯାୟୀ ଏଜେଣ୍ଡାର ସବୁଠାରୁ ଆଗରେ ରହିଛି କାଳିଆ ଯୋଜନାରେ ହିତାଧିକାରୀମାନଙ୍କୁ ଅର୍ଥ ପ୍ରଦାନ । କାଳିଆ ଯୋଜନା ବିଧାନସଭା ନିର୍ବାଚନ ପରିସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିବାବେଳେ ବିରୋଧିମାନେ ଏହାକୁ ଟଙ୍କା ବଣ୍ଟା ଯୋଜନା ବୋଲି କହିଥିଲେ । ହେଲେ ମୁଖ୍ୟମନ୍ତ୍ରୀ ଅନୁଭବ କରିଥିଲେ ଯେ ଏହା ହେଉଛି ସଶକ୍ତିକରଣର ଏକ ମାଧ୍ୟମ । ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ କାଳିଆ ଯୋଜନାରେ ୪୦ଲକ୍ଷ ହିତାଧିକାରୀ ଉପକୃତ ହୋଇଥିବାବେଳେ ସରକାର ଗଠନର ପ୍ରଥମ ଦିନ ଆଉ ୨୫ଲକ୍ଷ ହିତାଧିକାରୀଙ୍କୁ ଦୁଇଟି କିସ୍ତିର ଅର୍ଥ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାଳିଆ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ ଲାଗି ସରକାରୀ ସ୍ତରରେ ପ୍ରସ୍ତୁତି ସରିଥିବା ଜଣାଯାଇଛି । କାଳିଆ ପାଣ୍ଠିରେ ୧୮୦୦ କୋଟି ଟଙ୍କା ଗଚ୍ଛିତ ରହିଥିବାବେଳେ କୃଷକମାନଙ୍କୁ ଦୁଇଟି କିସ୍ତିର ଅର୍ଥ ପ୍ରଦାନ ଲାଗି କୌଣସି ସମସ୍ୟା ନଥିବା ଅଧିକାରୀମାନେ କହୁଛନ୍ତି । ସେହିଭଳି ନିର୍ବାଚନ ପ୍ରଚାର ସମୟରେ ବିଜେଡି ସରକାର ପଞ୍ଚମଥର ପାଇଁ କ୍ଷମତାକୁ ଆସିଲେ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଗୁଡିକୁ ୫୦୦୦ କୋଟି ଟଙ୍କାର ବ୍ୟବସାୟ ସରକାରୀ ସଂସ୍ଥା ଜରିଆରେ ଯୋଗାଇଦେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଣର ବି ପ୍ରତିଶୁତି ମିଳିଥିଲା ।

ରିପୋର୍ଟ : ଆକାଶ ମିଶ୍ର