ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପାଇଁ ତାଲିମ ନେବେ ୮୮ ହଜାର ଛାତ୍ରୀ…

ଭୁବନେଶ୍ବର(ସମୃଦ୍ଧ ଓଡିଶା )ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ଛାତ୍ରୀଙ୍କୁ ଦିଆଯିବ ଆତ୍ମରକ୍ଷା କୌଶଳ ତାଲିମ୍‌। ୨୦୧୮-୧୯ ଶିକ୍ଷାବର୍ଷରେ ନୂଆ କରି କଲେଜକୁ ଆସିଥିବା ଛାତ୍ରୀ ଓ ତାଲିମ୍‌ ନେଇପାରି ନଥିବା ଛାତ୍ରୀମାନଙ୍କୁ ସାମିଲ କରାଯିବ। ୨୦୧୯ ଜାନୁଆରି ଶେଷ ସୁଦ୍ଧା ସମସ୍ତ ଛାତ୍ରୀ ତାଲିମ୍‌ ସରିବ। ସମୟ ସୀମା ବୃଦ୍ଧି କରାଯିବ ନାହିଁ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅର୍ଥ ମଞ୍ଜୁର ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଯୁଗ୍ମ ନିର୍ଦେଶକ ପ୍ରୀତି ପ୍ରତିଭା ଭୋଳ କହିଛନ୍ତି।୨୦୧୮-୧୯ରେ ଆତ୍ମରକ୍ଷା ତାଲିମ୍‌ କାର୍ଯ୍ୟକ୍ରମର ମନିଟରିଂ ପାଇଁ ୩୦ଟି ଜିଲ୍ଲାର ନୋଡାଲ ସେଣ୍ଟରଗୁଡ଼ିକୁ ମୋଟ ୨ ଲକ୍ଷ ଟଙ୍କା ଦିଆଯାଇଛି। ମୟୂରଭଞ୍ଜ ଜିଲ୍ଲାର ନୋଡାଲ ସେଣ୍ଟରକୁ ସର୍ବାଧିକ ୧୫ ହଜାର ଟଙ୍କା ମଞ୍ଜୁର ହୋଇଛି। ୩୦ଟି ଜିଲ୍ଲାର ୮୮ ହଜାର ଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷରେ ତାଲିମ୍‌ ଦେବାକୁ ନିଷ୍ପତ୍ତି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଛାତ୍ରୀଙ୍କୁ ତାଲିମ୍‌ ଦିଆଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗଞ୍ଜାମର ୬୨୮୦ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ପ୍ରଦାନ କରିବାକୁ ସ୍ଥିର ହୋଇଥିବା ବେଳେ ଖୋର୍ଧାରେ ୬୫୨୦, କଟକରେ ୬୨୯୦, ବାଲେଶ୍ବର ଜିଲ୍ଲାରେ ୬୧୬୦ ଛାତ୍ରୀ ତାଲିମ୍‌ ନେବେ। ଦେବଗଡ଼ରେ ସର୍ବନିମ୍ନ ୫୮୦, ବୌଦ୍ଧରେ ୭୨୫, ମାଲକାନଗିରିରେ ୮୩୦, ନୂଆପଡ଼ାରେ ୯୧୫, ଝାରସୁଗୁଡ଼ାରେ ୯୪୦, ଗଜପତିରେ ୯୮୫ ଛାତ୍ରୀଙ୍କୁ ତାଲିମ୍‌ ଦେବାକୁ ସ୍ଥିର ହୋଇଛି। ତାଲିମ୍‌ କାର୍ଯ୍ୟକ୍ରମ ପାଇଁ ପ୍ରତି ଛାତ୍ରୀଙ୍କ ପିଛା ୩୧୦ ଟଙ୍କା‌ ଲେଖାଏଁ ଖର୍ଚ୍ଚ କରାଯିବ। ୮୮ ହଜାର ଛାତ୍ରୀଙ୍କ ପାଇଁ ମୋଟ ୨ କୋଟି ୭୨ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ। ତାହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ୭୦ ପ୍ରତିଶତ ଅର୍ଥ ଅର୍ଥାତ୍‌ ଏକ କୋଟି ୯୦ ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ବାକି ଅର୍ଥ ଦିଆଯିବ।