ଉତ୍କଳ ଭାରତ ମହିଳା ସମ୍ମିନଳୀରେ ପିସି କାରବାରକୁ ନେଇ ସମାଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକର ନାରୀ ଉତ୍କଳ ଭାରତ ମହିଳା ସଂଗଠନର ଏକ ବୈଠକ ରାଜ୍ୟ ସଭାପତି ସାବିତ୍ରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଦଳର ରାଜ୍ୟ ସଭାପତି ମହାମେଘ ବାହନ ଐରଖାରବେଳ ସ୍ୱାଇଁ ଯୋଗଦେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିସି କାରବାରକୁ ତୀବ୍ର ସମାଲୋଚନା କରିବା ସହ ଯୋଜନା ଉପରେ ଯୋଜନା ହେଉଥିବା ବେଳେ ସାଧାରଣ ଲୋକ ଉପକାର ପାଉନଥିବା ପ୍ରକାଶ କରିଛନ୍ତି । ରାଜ୍ୟ ମୁଖ୍ୟ ମନ୍ତ୍ରୀ ପିସି ଉପରେ ପ୍ରତିକୂଳ ମନ୍ତବ୍ୟ ଦେଉଥିଲେ ମଧ୍ୟ ଏହା କର୍ମୀ ମହଲରେ ପ୍ରଭାବହୀନ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କୁ ମିଳିପାରୁନଥିବା ବେଳେ ଚିଟଫଣ୍ଡରେ ଲୋକେ ତଳିତଳାନ୍ତ ହୋଇଛନ୍ତି । ପିସି କାରବାର ସଂପୂର୍ଣ୍ଣ ନ ହେଲେ ରାଜ୍ୟରେ ବିକାଶ ସମ୍ଭବ ହେବ ନାହିଁ ବୋଲି ସେ ମତବ୍ୟକ୍ତି କରିଥିଲେ । ଉତ୍କଳ ଭାରତ ଶାସନକୁ ଆସିଲେ ବଡ ଓ ମଧ୍ୟମ ଧରଣ ଶିଳ୍ପ ପ୍ରତିଷ୍ଠା କରି ବେକାରୀ ଦୂର, ଶିକ୍ଷା କ୍ଷେତ୍ରରେ ଅଗ୍ରଗତି, ମହିଳାମାନଙ୍କ ସୁରକ୍ଷା ତଥା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆତ୍ମ ନିର୍ଭରଶୀଳ କରାଯିବ । ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କାକିଆ ଚାଉଳ ଦେବାର ବ୍ୟବସ୍ଥା କରାଯିବା ବେଳେ ପିସି କାରବାରକୁ ପିସିକାରବାରକୁ ରୋକ ଲଗାଯିବା ସଂପର୍କରେ କହିଥିଲେ । ଏହି ସମ୍ମିଳନୀରେ ରାଜ୍ୟ ସଂପକାଦକ ଶ୍ରୀହର୍ଷ ସ୍ୱାଇଁ, ନାରୀ ଉତ୍କଳ ଭାରତର ବ୍ଲକ ସଭାପତି ମାନିନୀ ରାଉତ, ଉପସଭାପତି ରିନା ମହାନ୍ତି, ସାଧାରଣ ସଂପାଦିକା ପୂରବି ଦାସ, ସରସ୍ୱତୀ ଜେନା, ସଂପାଦିକା ଅନ୍ନପୂର୍ଣ୍ଣା ଦାସ, ବାଲେଶ୍ୱର ଜିଲା ନାରୀ ଉତ୍କଳ ଭାରତର ଉପସଭାପତି ଗୀତାଞ୍ଜଳି କର, ଜଳେଶ୍ୱର ବ୍ଲକ ସଭାପତି ଦୁର୍ଗାଶଂକର କର ପ୍ରମୁକ ବ୍ୟାପକ ପିସି କାରବାରକୁ ବିରୋଧ କରିବା ସହିତ ଆସନ୍ତା ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କହିଥିଲେ । ଶେଷରେ ଜଳେଶ୍ୱର ମ୍ୟୁନିସିପାଲଟିର ସଭାପତି ମାନସ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା