
ଭଞ୍ଜନଗର (ସମୃଦ୍ଧ ଓଡିଶା) ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘରର ସଭାପତି ନିରାକାର ସାହୁଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟଳୟ ସମୂଖରେ ୨୪ ତାରିଖରେ ଧାରଣାରେ ବସିଥିଲେ । ଗତ ୧୬ ତାରିଖରେ ଜଗନ୍ନାଥ ପ୍ରସାଦରେ ଏକ କାରରେ ବେଆଇନ ଔଷଧ ଚାଲାଣ ହେଉଥିବା ଖବର ପାଇ ସାମ୍ବାଦିକ ପବିତ୍ର ମହାପାତ୍ର ସେହି କାରର ଭିଡ଼ିଓ ଉତ୍ତୋଳନ କରିବା ସମୟରେ କାର ମାଲିକ ସୁଜିତ ମହାପାତ୍ର ତାଙ୍କୁ ହତ୍ୟା ଧମକ ଦେଇଥିଲେ।ସାମ୍ବାଦିକ ମହାପାତ୍ର ସେହି ହତ୍ୟା ଧମକ ଦେବା ସମୟର ଭିଡ଼ିଓ ଉତ୍ତୋଳନ କରିଥିଲେ । ଘଟଣା ସମ୍ପର୍କରେ ସାମ୍ବାଦିକ ମହାପାତ୍ର ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଲିଖିତ ଏତଲା ଦେବା ସହ ଅଭିଯୁକ୍ତ ଦେଇଥିବା ହତ୍ୟା ଧମକର ଭିଡ଼ିଓ ମଧ୍ୟ ଦେଇ ଥିଲେ । କିନ୍ତୁ ଅଭିଯୁକ୍ତ ମଧ୍ୟ ତା ପର ଦିନ ସାମ୍ବାଦିକ ମହାପାତ୍ର ନାମରେ ପାଲଟା ଏତଲା ଦେଇଥିଲା । ଘଟଣାର ଉଚିତ ତଦନ୍ତ କରା ଯିବା ସହ ଅଭିଯୁକ୍ତକୁ ଗିରଫ କରାଯିବା, ସାମ୍ବାଦିକ ମହାପାତ୍ର ନାମରେ ହୋଇଥିବା ମିଥ୍ୟା ଏତଲା ଖାରଜ କରିବା ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସଂଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ୨୧ ତାରିଖରେ ଦିଆ ଯାଇଥିଲା । କିନ୍ତୁ କୋୖଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁଁ ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ନିରାକାର ସାହୁଙ୍କ ନେତୃତ୍ୱରେ ସାମ୍ବାଦିକ ମାନେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣାରେ ବସିଥିଲେ । ସଂଘର ଉପସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ମନୋଜ କୁମାର ଗୌଡ଼, ସଂଗଠନ ସମ୍ପାଦକ ପବିତ୍ର କୁମାର ମହାପାତ୍ର, କୋଷାଧକ୍ଷ ଗିରିଶ ସାହୁ, କାର୍ଯ୍ୟକାରୀ ସଦସ୍ୟ ସୂର୍ଯ୍ୟନାରାୟଣ ପଣ୍ଡା, ପ୍ରିୟବ୍ରତ ନାୟକ, ନିଲୁ ବିଶୋଇ ଓ ସକ୍ରିୟ ସଦସ୍ୟ ରଞ୍ଜନ ସ୍ଵାଇଁ, ନାଚିକେତ ପ୍ରଧାନ, ଆଶିଷ କୁମାର ଗୌଡ଼, ବଂଶୀଧର ପଟ୍ଟନାୟକ, ଶିବ ଶଙ୍କର ପ୍ରଧାନ ଓ ରାଜ କିଶୋର ଅଲଟିଆ ପ୍ରମୁଖ ଧାରଣରେ ବସିଥିଲେ । ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ ଓ କହିଥିଲେ ଯେ ସାମ୍ବାଦିକକୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ସୁଜିତ ମହାପାତ୍ର ଜଗନ୍ନାଥ ପ୍ରସାଦ ଥାନାରୁ ବେଲରେ ଯାଇଛି, ସାମ୍ବାଦିକ ମହାପାତ୍ର ନାମରେ ହୋଇଥିବା କେସକୁ ସଠିକ ତଦନ୍ତ କରିବା ପାଇଁ ସେ ଭଞ୍ଜନଗର ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଜଣେଇଛନ୍ତି ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗେଇ ଦେବା ଆମର କର୍ତ୍ତବ୍ୟ ବୋଲି ସେ କହିଥିଲେ । ତେଣୁ ସାମ୍ବାଦିକ ମାନେ ଧାରଣାକୁ ସ୍ଥଗିତ କରିଥିଲେ।ଆଗାମୀ ଦିନରେ ଯଦି ସାମ୍ବାଦିକ ମାନଙ୍କ ସୁରକ୍ଷା ବିପର୍ଯ୍ୟସ୍ତ ହୁଏ ଓ ସାମ୍ବାଦିକ ମହାପାତ୍ର ନାମରେ ହୋଇ ଥିବା ମିଥ୍ୟା କେସ ଖାରଜ ନ ହୁଏ , ତାହାହେଲେ ପୁଣି ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ଏସ.ପି କାର୍ଯ୍ୟଳୟ ଆଗରେ ଆନ୍ଦୋଳନ କରିବେ ବୋଲି ସଂଘର ସଭାପତି ନିରାକାର ସାହୁ ଓ ସମ୍ପାଦକ ମନୋଜ କୁମାର ଗୌଡ଼, ସମସ୍ତ କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ନିଷ୍ପତ୍ତି ନେଇଛନ୍ତି ।