ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ୪ ପ୍ରମୁଖ ଦଳର ପ୍ରାର୍ଥୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲା ଛତ୍ରପୁର ବ୍ଲକ ୧୯ ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ଚଳିତ ମାସ ୨୭ ତାରିଖରେ ଉପନିର୍ବାଚନ ହେବକୁ ଥିବାବେଳେ ଶନିବାର ନାମାଙ୍କନ ପତ୍ର ଶେଷ ଦିନରେ ୪ ପ୍ରମୁଖ ଦଳର ୪ ଜଣ ପ୍ରାର୍ଥୀଙ୍କ ସମେତ ସମୁଦାୟ ୫ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ବିଜୁ ଜନତା ଦଳର ଚମାଖଣ୍ଡି ପଞ୍ଚାୟତ ସିନ୍ଦିରାପଲ୍ଲୀ ଗ୍ରାମର ପ୍ରମୋଦ କୁମାର ପ୍ରଧାନ, ଭାରତୀୟ ଜନତା ପାର୍ଟିର ଟାଙ୍ଗଣାପଲ୍ଲୀ ପଞ୍ଚାୟତ କେ.ଟି.ଏନ.ପୁର ଗ୍ରାମର ରଞ୍ଜିତ କୁମାର ପ୍ରଧାନ, ଜାତୀୟ କଂଗ୍ରେସ ଦଳର ସୁନ୍ଦରପୁର ଗ୍ରାମର ରବୀନ୍ଦ୍ର କୁମାର ସେଠି, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଏ.ତୋଟାପଲ୍ଲୀ ଗ୍ରାମର ଭାଗିରଥି ପ୍ରଧାନ ଏବଂ ଡମି ପ୍ରାର୍ଥୀ ଚମାଖଣ୍ଡି ପଞ୍ଚାୟତ ସିତାନଗର ଗ୍ରାମର ଗୁରୁନାଥ ପ୍ରଧାନ ପ୍ରମୁଖ ୫ ଜଣ ପ୍ରାର୍ଥୀ ଗତକାଲି ନିର୍ବାଚନ ଅଧିକାରୀ ତଥା ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାଗିରଥି ପ୍ରଧାନ ଓ ଦଳର ଡମି ପ୍ରାର୍ଥୀ ଗୁରୁନାଥ ପ୍ରଧାନ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ସହସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ନିର୍ବାଚନମଣ୍ଡଳୀ ନେତା ପ୍ରଦୀପ କୁମାର ସେଠି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏନ.ଗିରିଜା ପ୍ରସାଦ ରେଡ୍ଡୀ ଓ କୈଳାସ ବେହେରା, ଚମାଖଣ୍ଡି ଜୋନ ସମ୍ପାଦକ ସିଏଚ.ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ସହସମ୍ପାଦକ ଡି.ଆଦି ନାରାୟଣ ରେଡ୍ଡୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ସେହିପରି ଜାତୀୟ କଂଗ୍ରେସର ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠି ପ୍ରାର୍ଥୀପତ୍ର ଦାଖଲ କଲାବେଳେ ଛତ୍ରପୁର ନିର୍ବାଚନମଣ୍ଡଳୀ ନେତା ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ଡି.ରାମସ୍ଵାମୀ ରେଡ୍ଡୀ ଓ ଟି.କ୍ରୀଷ୍ଣା ରେଡ୍ଡୀ, ୧୯ ନମ୍ବର ଜୋନ ସଭାପତି ସୁଦାମ ପୁରୋହିତ, ଜିଲ୍ଲା ନେତା ଗଣପତି ବାରିକ, ହାଡୁ ରେଡ୍ଡୀଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା