ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ରୟାଲ ଇଣ୍ଡିଆ କମ୍ପାନୀର ପ୍ରତିନିଧିମାନେ ସାକ୍ଷାତ ଓ ଆଲୋଚନା କରିଛନ୍ତି । ଏହି ବୈଠକରେ କୃଷକମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଳସେଚନର ସୁବିଧା ନେଇ ଆଲୋଚନା କରିଥିଲେ । କୃଷି କ୍ଷେତ୍ରରେ ଜଳସେଚନ ଭଳି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି । ଏହି ମର୍ମରେ ରୟାଲ ଇଣ୍ଡିଆ କମ୍ପାନୀ ରାଜ୍ୟର କୃଷକମାନଙ୍କୁ ସୌରଚାଳିତ ପମ୍ପ ଦ୍ୱାରା ଜଳସେଚନ ସୁବିଧା ଯୋଗାଇବା ନେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଆଲୋଚନା କରିଥିଲେ । ରୟାଲ ଇଣ୍ଡିଆ କମ୍ପାନୀ ଝାରଖଣ୍ଡ ଏବଂ ଅନ୍ୟ ରାଜ୍ୟମାନଙ୍କରେ ସୌରଚାଳିତ ପମ୍ପ ସାହାଯ୍ୟରେ ଜଳସେଚନ ସୁବିଧା ଯୋଗାଇ ଦେଉଛି । ସ୍ଥାନାନ୍ତରଯୋଗ୍ୟ ସୌରଚାଳିତ ପମ୍ପ ସାଧାରଣ ଚାଷୀଙ୍କ ବ୍ୟବହାର ନିମନ୍ତେ ଉପଯୋଗୀ ହେବ ଏବଂ ଏହା ବିଦୁ୍ୟତ ଶକ୍ତି ନିମନ୍ତେ ହେଉଥିବା ବ୍ୟୟଭାର ହ୍ରାସ କରିବ ବୋଲି ପ୍ରତିନିଧିମାନେ ପ୍ରକାଶ କରିଥିଲେ । କୂଅ, ପୋଖରୀ କିମ୍ବା ଅନ୍ୟକୌଣସି ଜଳଉତ୍ସକୁ ବ୍ୟବହାର କରିବାରେ ଏହା ସୌରଚାଳିତ ପମ୍ପ ବିଶେଷ ଭାବେ ଉପଯୋଗୀ ଏବଂ ଏହି ସେବା ପ୍ରଦାନ କରିବାକୁ କମ୍ପାନୀ ଆଗ୍ରହୀ ବୋଲି ପ୍ରତିନିଧିମାନେ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଥିଲେ ।
ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏବଂ ଜଳସେଚନ ବ୍ୟବସ୍ଥାକୁ ସୁଗମ କରିବା ନିମନ୍ତେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ପ୍ରକାଶ କରିବା ସହ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କମ୍ପାନୀ ଯୋଗାଇ ଦେଉଥିବା ବିଭିନ୍ନ ବୈଷୟିକ ସେବା ବିଷୟରେ ଅବଗତ ହୋଇଥିଲେ । ବୈଠକରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଏବଂ ଜଳସମ୍ପଦ ଓ ଶକ୍ତି ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର