

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଖିଳ ଭାରତ ଟ୍ରେଡ଼ ୟୁନିୟନ(AITUC)ର ରାଜ୍ୟସ୍ତରୀୟ ଶତବାର୍ଷିକ ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ଆଜି ଠାରୁ ଆସନ୍ତା ୩୦ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି ଶତବାର୍ଷିକ ଉତ୍ସବ ପାଳନ କରାଯିବ । ଏହି ଅବସରରେ ଏଆଇଟିୟୁସି ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ବ୍ରହ୍ମପୁର ପାର୍କ ସାହି ସ୍ଥିତ ଏଆଇଟିୟୁସି ଅଫିସରେ ଶତବାର୍ଷିକ ଉତ୍ସବର ଶୁଭାରମ୍ଭ କରାଯାଇଛି । ପ୍ରାରମ୍ଭରେ ଏଆଇଟିୟୁସିର ଲାଲ ପତାକାକୁ ଗଞ୍ଜାମ ଜିଲ୍ଲା ଶ୍ରମିକ ଆନ୍ଦୋଳନରେ ନେତା ସାଥି ବୃନ୍ଦାବନ ପଳେଇ ପତାକା ଉତ୍ତାଳନ କରିଥିଲେ । ଏଆଇଟିୟୁସିର ରାଜ୍ୟ ସଭାପତି ବିଶିଷ୍ଟ ଶ୍ରମିକ ନେତା ସାଥି ପ୍ରଶାନ୍ତ ପାଟଜୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ସିପିଆଇ ରାଜ୍ୟ ସମ୍ପାଦକ ସାଥି ପ୍ରକାଶ ପାତ୍ର ଉଦଘାଟନ କରିଥିଲେ । ଅଖିଳ ଭାରତ ଯୁବ ସଂଘର ରାଜ୍ୟ ସମ୍ପାଦକ ସାଥି ପ୍ରଦୀପ ସେଠି, ଏଆଇଟିୟୁସିର ଜୟ ସଂପାଦକ ଅଲକ ନାଥ ମିଶ୍ର, ଉପ ସଭାପତି ସାଥି ବୃନ୍ଦାବନ ପଲେଇ, କେଶବ ନାହାକ, ଉତ୍କଳ ମହିଳା ସମିତିର ରାଜ୍ୟ ଆବାହିକା ସାଥି ଆର. ବିଜୟାଲକ୍ଷ୍ମୀ ପ୍ରମୁଖ ଉଦବୋଧନ ଦେଇ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ଶ୍ରମିକ ବିରୋଧୀ ନୀତି ଗ୍ରହଣ କରିଛନ୍ତି । ନୀତି କାରଖାନା ବନ୍ଦ, ଶ୍ରମିକ ଛଟେଇ ବଢି ଚାଲିଛି । ଶ୍ରମିକ ମାନେ ଲଢେଇ କରି ଯେଉଁ ଅଧିକାର ପାଇଥିଲେ ତାହାକୁ ଛଡେଇ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ସଂଗଠନ ଗଢିବା, ମୂଲଚାଲ କରିବା, ଲଢେଇ ଧର୍ମଘଟ ଜରିଆରେ ଶ୍ରମିକମାନେ ଆଇନର ସୁରକ୍ଷା ପାଇଥିଲେ ତାହାକୁ ଛଡେଇ ନେବା ପାଇଁ ଶ୍ରମିକ ବିରୋଧୀ ଆଇନ ପାଲ୍ୟାମେଣ୍ଟରେ ଆଣିବାକୁ ଯାଉଛନ୍ତି । ଅନ୍ୟ ଦିଗରେ ବେକାରୀ, ଦରବୃଦ୍ଧି, ଚାଷୀ ଆତ୍ମହତ୍ୟା ବଢି ଚାଲିଛି । ଦେଶର ରାଷ୍ଟ୍ରାୟତ ଉଦ୍ୟମକୁ ଘରୋଇ କରଣ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏଣୁ ଭାରତ ବର୍ଷରେ ଶ୍ରମିକ ତଥା ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଶତବାର୍ଷିକ ଉତ୍ସବ ପାଳନ ଅବସରରେ ଜନ ସଚେତନତା ସୃଷ୍ଟି କରି ବ୍ୟାପକ ଆନ୍ଦୋଳନ ଗଢି ତୋଳିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବରିଷ୍ଠ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



