
ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) କରୋନାକୁ ଦୃଷ୍ଟିରେ ରଖି ବିବାହ ଉତ୍ସବରେ ଏଣିକି ମିଳିବ ଖାଦ୍ୟ ପୁଡିଆ ଓ ୧୦୦ ଜଣ ଅତିଥି କେବଳ ଯୋଗ ଦେଇପାରିବେ ବୋଲି ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଲାଗୁ ହୋଇଛି ଏହି କଟକଣା । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗଞ୍ଜାମରେ ଏହା ନିୟନ୍ତ୍ରଣରେ ରହିଛି ତେଣୁ ଆଗକୁ ଯେମିତି ସଂକ୍ରମଣଙ୍କ ସଂଖ୍ୟା ନ ବଢ଼ୁ ସେଥିପ୍ରତି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିବାହ ଉତ୍ସବରେ ମାତ୍ର ୧୦୦ ଜଣ ଲେଖାଏଁ ଅତିଥି ଯୋଗ ଦେଇପାରିବେ । କିନ୍ତୁ ସେମାନଙ୍କ ଭୋଜିଭାତର ଆୟୋଜନ କରାଯାଇପାରିବ ନାହିଁ । ତା’ବଦଳରେ ସେମାନଙ୍କୁ ଖାଦ୍ୟ ପୁଡ଼ିଆ ଦିଆଯିବ । ବାହାଘରରେ ଗହଳି ଓ ଭିଡ଼କୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଯଦି କେହି ଏହାକୁ ଉଲ୍ଲଂଘନ କରନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ।
