ବୁଝି ବିଚାରି କାର୍ଯ୍ୟ କଲେ, ବିପଦ ନ ଆସଇ ଭଲେ । ବେଳକାଳ ଦେଖି ଠିକଣା ସମୟରେ କାମଟେ ଆରମ୍ଭ କଲେ, ଅନେକ ସୁବିଧା ହୁଏ । ବର୍ତ୍ତମାନ ଆମ ଦେଶରେ କାଶ୍ମୀର ପରିସ୍ଥିତି ଆଜି ପର୍ଯ୍ୟନ୍ତ ଥଣ୍ଡା ପଡିଲା ନାହିଁ, ନୂପୁର ଶର୍ମା ପ୍ରଦତ୍ତ ମହମ୍ମଦଙ୍କ ସମ୍ବନ୍ଧୀୟ ବିବୃତ୍ତିଜନିତ ହିଂସାକାଣ୍ଡ ସମ୍ପୂର୍ଣ୍ଣ ନ ଲିଭୁଣୁ, ୧୪ ଜୁନ ୨୦୨୨ରେ ଘୋଷିତ ସେନାରେ ନିଯୁକ୍ତି, “ଅଗ୍ନପଥ” ଯୋଜନାର ଅଗ୍ନି ଏବେ ଦେଶରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । ଯୋଜନା ଯେତେ ମହତ୍ତର ହେଲେ ମଧ୍ୟ ପ୍ରଭାବଟା ଅନୁକୂଳ ନ ହୋଇ ପ୍ରତିକୂଳ ପଡିଲା, ତା’ପରେ ଦେଶରେ କିଛି ବିରୋଧୀ ଦଳ ଅଛନ୍ତି, ତାଙ୍କ କାମ ଖାଲି ଯୁବ ଗୋଷ୍ଠୀକୁ ଉସକେଇବା, ଗଣ୍ଡଗୋଳ ଭିଆଇବା, ଏକଥା କ’ଣ ଶାସକ ଦଳକୁ ଅମାଲୁମ ? ହଜାର ହଜାର କୋଟିର ଜାତୀୟ/ସାଧାରଣ ସମ୍ପତ୍ତି ନଷ୍ଟ ହେଲା, ଅନେକ ମୂଲ୍ୟବାନ ଜୀବନ ଅକାଳରେ ଚାଲିଗଲା । ଗୋଟେ କଥା ମନେ ପଡୁଛି, ଥରେ ଦୁବାଇରୁ ଗୋଟିଏ କୁକୁର ଭାରତ ବୁଲିବାକୁ ଆସିଥିଲା, ସେ ଦେଶରେ ସୁନାର ପ୍ରାବଲ୍ୟ ହେତୁରୁ କୁକରଟି ମଧ୍ୟ ଅନେକ ସୁନା ଗହଣା ଲଗାଇଥିଲା । ଏଥିରେ ପ୍ରଭାବିତ ହୋଇ ଆମ ଦେଶର କିଛି କୁକୁର ତାକୁ ପଚାରିଲେ ତୁମକୁ ଭଲ ଖାଇବା ପିଇବାକୁ ଚଳିବାକୁ ମିଳୁଥିବ ଏଠିକି କାହିଁକି ଆସିଲ ? ସିଏ ଉତ୍ତର ଦେଇଥିଲା, ସେଠାରେ ସବୁ ଭଲ, ମାତ୍ର ଭୁକିବା ମନା, ଯାହା କେବଳ ଭାରତରେ ଭରପୁର ମାତ୍ରାରେ ଉପଲବ୍ଧ । ଏଇ ଫାଇଦାଟା ନେଇଛନ୍ତି ଭାରତୀୟ ଯୁବଗୋଷ୍ଠୀ ସାମ୍ପ୍ରତିକ ପରିପ୍ରେକ୍ଷୀରେ, ସେଥିରେ ଘିଅ ଢାଳିଛନ୍ତି ତଥାକଥିତ ବିରୋଧୀ ଦଳ । ଏଇ ଯୋଉ କୋଟି କୋଟି ଟଙ୍କାର ସାଧାରଣ ସମ୍ପତ୍ତି ନଷ୍ଟହେଲା ତା’ର ପୂରଣହେବ କୋଉଠୁ, ସବୁ ସେଇ ସାଧାରଣଜନତାର, ମଧ୍ୟବିତ୍ତର କଷ୍ଟାର୍ଜିତ ଧନରୁ ପ୍ରଦତ୍ତ ଟିକସ ପଇସାରୁ, ତମେ ନଷ୍ଟ କରିଛମାନେ ତୁମରି ପଇସାରୁ, ବିରୋଧୀ ଖାଲି ଚେଙ୍ଗି ଦେବେ !ଅବଶ୍ୟ କେତେକ ପାରିପାର୍ଶ୍ବିକ ପରିସ୍ଥିତି ଏଥିପାଇଁ ବେଶୀ ଦାୟୀ । ବୈଶ୍ବିକ ମହାମାରୀ କରୋନା ହେତୁରୁ ପାଖାପାଖି ୩ ଵର୍ଷହେଲା କୋୖଣସି ପ୍ରକାର ନିଯୁକ୍ତି ନାହିଁ, ଦରଦାମ ପରିସ୍ଥିତି ଅସମ୍ଭାଳ,ଏସଵୁଥିରୁ ନିରାଶା ଓହତାଶା ଜର୍ଜରିତ ଯୁବଗୋଷ୍ଠୀ ଉତକ୍ଷିପ୍ତ ହେବା ସ୍ବାଭାବିକ । ପୁଣି ଯୋଉସଵୁ ସ୍ଥାନରେ ଅଗ୍ନିପଥ ନିଆଁର ଶିଖା ଜୋର, ସେହିସବୁ ରାଜ୍ୟ, ବିହାର, ଉତ୍ତରପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର, ତେଲେଙ୍ଗାନା ଆଦି ରାଜ୍ୟରେ ସର୍ବାଧିକ ସେନାରେ ନିଯୁକ୍ତି ଆଶାୟୀ, ସେମାନେ ଯେତେବେଳେ ଦେଖିଲେ ଭଲ ଦରମାଯୁକ୍ତ, ସ୍ଥାୟୀ, ସମ୍ମାନୀୟ ନିଯୁକ୍ତି ବଦଳରେ ମାତ୍ର ୪ଵର୍ଷିଆ ନିଯୁକ୍ତି, ତାଙ୍କ ମୁଣ୍ଡ ବିଗିଡି ଯିଵା ଅସ୍ବାଭାବିକ ନୁହେଁ । ଏଥିପାଇଁ ଅନେକ ଦିନଧରି ବିଭିନ୍ନ ଆଲୋଚନା, ପର୍ଯ୍ୟାଲୋଚନା, ବିତର୍କ, ସମାଲୋଚନାର ନିତାନ୍ତ ଆବଶ୍ୟକତା ଜରୁରୀ ଥିଲା । ସେନାବାହିନୀରେ ନିଯୁକ୍ତି ନିମନ୍ତେଏହା ଏକ ନୀତି, ଏଥିନିମନ୍ତେ ବୁଦ୍ଧିଜୀବୀ, ବିଶେଷଜ୍ଞ, ବୈଷୟିକ ବ୍ୟକ୍ତି ସମସ୍ତଙ୍କର ମିଳିତପ୍ରଚେଷ୍ଟା ଓ ସହଯୋଗରେ ଏ ସମ୍ପର୍କୀୟ ଚିନ୍ତନ, ମନନ, ମନ୍ଥନ କରି ସାଧାରଣରେ ଉପସ୍ଥାପନ କରିବାର ଥିଲା, ସେଥିପାଇଁ ୧/୨ ବର୍ଷ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ମଧ୍ୟ ହୋଇଥାନ୍ତା ଥରେ ବିତର୍କିତ ୩ କୃଷି ଆଇନ ସଂସଦରେ ସ୍ବୀକୃତି ପାଇଲା ପରେ ମଧ୍ୟ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଓ ବିରୋଧୀଦଳଙ୍କ ଦାବି ଆଗରେ ହାରମାନି ପ୍ରତ୍ୟାହୃତ ହୋଇଛି, ଏଇକେଇ ମାସ ତଳର କଥା । ସେତେବେଳେ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିଲେ ସେ ବିଲ୍ ରେ ନିହିତ ଉତ୍ତମଓ ସଂସ୍କାରମୂଳକ ଵିଷୟଗୁଡିକୁ ଠିକଣା ଭାବେ ଦେଶକୁ ବୁଝାଇ ଦିଆଯାଇ ପାରିଲା ନାହିଁ । ଏବେ ମଧ୍ୟ ଇତିହାସର ପୁନରାବୃତ୍ତି ହୋଇପାରେ । ଏହା ଯେ କେନ୍ଦ୍ର ସରକାରଙ୍କର ଏକ ମହତ୍ତ୍ଵାକାନକ୍ଷୀ ଯୋଜନା ଏଥିରେ ସନ୍ଦେହ ନାହିଁ, ମାତ୍ର ଏଥିରେ ଅନ୍ୟ ଦଳମାନେ ପ୍ରତ୍ୟୟ କଲେ ତ ! ସେମାନଙ୍କର ଲକ୍ଷ୍ୟ ତ ଗୋଟିଏ, ମୂଷା ମାରିବା, ସେଥିପାଇଁ ଘର ପୋଡ଼ିଲେ, ପୋଡିଲା । ଦେଖୁନା ଏବେ ସଵୁଜାଣି ମଧ୍ୟ ସତ୍ୟାଗ୍ରହ କରୁଛନ୍ତି, ଯୂବଗୋଷ୍ଠୀଙ୍କୁ ବିରୋଧ ପାଇଁ ଉସକାଉଛନ୍ତି । ଦେଶର ଭଲ ମନ୍ଦରେ ତାଙ୍କର ଯାଏ ଆସେ ନାହିଁ, ଚୀନ କେମିତି ଏତେ ଵର୍ଷ ହେଲା ଆମର ଏତେ ବଡ଼ ଜାଗା ମାଡ଼ି ବସିଛି, ବର୍ତ୍ତମାନର ପିଓକେ ୧୯୪୮ରେ ଭାରତ ଦଖଲ କରି ସାରିଥିଲେ ମଧ୍ୟ କିପରି ଫେରି ଆସିଥିଲା, ସ୍ବାଧୀନତା ପରେ, ସେମାନେ ସମସ୍ତ ଖର୍ଚ୍ଚ ବହନ କରିବେ କହିବାପରେ ମଧ୍ୟ ଭାରତ କିପରି ସମ୍ବଳ ଅଭାବରୁ ଫୁଟବଲ ବିଶ୍ବକପକୁ ଯାଇ ପାରିଲା ନାହିଁ ଏକଥା କିଏ ନଜାଣେ ! ଏମାନେ ପରା ଶତ୍ରୁ ଦେଶ ପାକିସ୍ତାନ ଯାଇ ତାଙ୍କ ନେତୃଵର୍ଗଙ୍କୁ ଗୁହାରୀ କରୁଥିଲେ ଆମକୁ ଶାସନକୁ ଫେରାଇବାକୁ ଚେଷ୍ଟା କରନ୍ତୁ, ତେବେ ଯାଇ ତୁମ ସହିତ ଭଲ ସମ୍ପର୍କ ରହିବ ! ଅଗ୍ନିପଥ ଢାଞ୍ଚାର ନିଯୁକ୍ତି ପୃଥିବୀର ଅନେକ ଦେଶରେ ପ୍ରଚଳିତ, ଆସନ୍ତୁ ଜାଣିବା କୋଉ ଦେଶରେ ଏହାର ସ୍ବରୂପ କେମିତି । ଇସ୍ରାଏଲରେ ସମସ୍ତ ପୁରୁଷ ୨.୫ଵର୍ଷ ଏବଂ ମହିଳା ୨ଵର୍ଷ ସାମରିକ ବାହିନୀରେ ଚାକିରୀ କରିବା ବାଧ୍ୟତାମୂଳକ । ଏଥିରୁ ମାତ୍ର ୧୦%,ଏହି ଅବଧିପରେ ୭ଵର୍ଷ ପାର୍ଇଁ ନିଯୁକ୍ତି ପାଇଥାନ୍ତି ସମୁଦାୟ ୧୨ଵର୍ଷ ଚାକିରୀ ପରେ ପେନସନ ମିଳେ । ଆମେରିକାରେ ଏହିଭଳି ୪ଵର୍ଷ ପାଇଁ ନିଯୁକ୍ତି ଦିଆଯାଏ, ପରବର୍ତ୍ତୀ ୪ଵର୍ଷ ରିଜର୍ଭ, ତା’ପରେ ଯଦି ପରିସ୍ଥିତି ଆବଶ୍ୟକକରେ ତାହେଲେ ଡକରା ହୋଇପାରେ । ୨୦ଵର୍ଷ ଚାକିରୀ ପରେ ପେନସନ, ସ୍ବଳ୍ପ ମିଆଦୀ ଚାକିରୀରେ ଦରମା ସହିତ ଭତ୍ତା ଦିଆଯାଏ । ଚୀନରେ ପୃରୁଷ ଓ ମହିଳା ସେନାରେ ଯୋଗଦେଇ ଦେଶସେବା କରିବା ଏକ ପବିତ୍ର କର୍ତ୍ତବ୍ୟ ଏବଂ ଏହା ବାଧ୍ୟତାମୂଳକ । ସ୍ଥଳ ସେନାରେ ୩ଵର୍ଷ ଏବଂ ବାୟୁ ଓ ନୌସେନାରେ ୪ଵର୍ଷର ଯୋଗଦାନ ବାଧ୍ୟତାମୂଳକ । ଋଷରେ ସକ୍ଷମ/ଅକ୍ଷମ ନିର୍ବିଶେଷରେ ସମସ୍ତ ପୁରୁଷ ଏକ ଵର୍ଷର ସାମରିକ ଚାକିରୀ ବାଧ୍ୟତାମୂଳକ, ତା’ପରେ ରିଜର୍ଭ ଏବଂ ଏଥିରେ ଅସହଯୋଗ ଦଣ୍ଡନୀୟ ଅପରାଧ । ଫ୍ରାନ୍ସରେ ସମସ୍ତେଙ୍କୁ ତିନିମାସର ସାମରିକ ତାଲିମ ବାଧ୍ୟତାମୂଳକ । ତା’ପରେ କିଛି ସ୍ବେଛାରେ, କିଛି ସାମୟିକ ଭାବେ ସାମରିକ ବାହିନୀରେ ଯୋଗ ଦିଅନ୍ତି । ସ୍ବେଛାକୃତମାନଙ୍କୁ ୧ଵର୍ଷ ପାଇଁ ନିଯୁକ୍ତି ଦିଆଯାଏ ଏବଂ ପରେ ବୃଦ୍ଧି କରାଯାଏ । ୧୯ଵର୍ଷର ଚାକିରୀ ପରେ ପେନସନ ପାଇଁ ଯୋଗ୍ୟ ହୁଅନ୍ତି । ଏବକୁ ୪ମାସ ହେଲା ଚାଲିଥିବା ଋଷ-ୟୁକ୍ରେନ ଯୂଦ୍ଧରେ କ୍ଷୁଦ୍ର ଦେଶ ୟୁକ୍ରେନ କିପରି ଵୃହତ୍ତ ଶକ୍ତି ଋଷିଆକୁ ଧୂଳି ଚଟାଉଛି, ପାଣି ପିଆଉଛି ଦେଖୁଛନ୍ତି ତ । ଏହା ସମ୍ଭବ ହେଉଛି, ୟୁକ୍ରେନର ପୁରୁଷ, ମହିଳା ବୟସ୍କ ସମସ୍ତେ ଏକ ମନ ହୋଇ ସେନାକୁ ସାହାଯ୍ୟ କରିବାରେ, ତା’ପୁଣି ଆପଣା ଛାଏଁ, ଵାଧ୍ୟଵାଧକତା ନାହିଁ । ଏଭଳି କଥା ଆମ ଦେଶରେ ସାତ ସପନ, ଅନ୍ୟ ଦେଶ ଭଳି ବାଧ୍ୟତାମୂଳକ ସେନାରେ ଯୋଗଦାନ ଯଦି ହେଇ ଯାଆନ୍ତା, ନିଆଁ ମାଡି ଦେଵେନି ଆମ ତଥାକଥିତ ବିରୋଧୀ ଦଳ । ସେଇମାନେ ତ ସେନାର ସବୁ କାର୍ଯ୍ୟରେ ପ୍ରଶ୍ନ କରନ୍ତି, ଏୟାର ଷ୍ଟ୍ରାଇକ୍, ସର୍ଜିକାଲ ଷ୍ଟ୍ରାଇକ୍ ର ପ୍ରମାଣ ମାଗିଥିଲେ, ଶେଷକୁ କହିଲେ ଆମେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲୁ, ବିନା ବାଜାରେ ୟେ କେମିତି ସମ୍ଭବ ହେଲା ? ବିଶ୍ବର ଏତେ ଦେଶରେ ଯେତେବେଳେ ଏପ୍ରକାର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି, ଆମ ଦେଶରେ ହେଲେ ଭୁଲ ରହିଲା କେଉଁଠି ! ମାତ୍ର ଏହାତ ସୁବିଧା/ସୁଯୋଗର ପ୍ରସଙ୍ଗ ନୁହେଁ, ଏହା ଅହ୍ମର ପ୍ରସଙ୍ଗ । ଅଧୁନା ଭାରତୀୟ ସେନାର ହାରାହାରି ବୟସ ୩୨ଵର୍ଷ, ଏହାକୁ ଏହି ଅଗ୍ନିପଥ ଯୋଜନା ଜରିଆରେ ୨୫ରୁ ୨୭ଵର୍ଷ ରଖିବାକୁ ଲକ୍ଷ୍ୟ ରଖାଯାଇଛି । ଅଗ୍ନବୀରଙ୍କ ମାଧ୍ୟମରେ ଯେ ଭାରତୀୟ ସାମରିକ ବାହିନୀରେ ନୂତନ ରକ୍ତ ଭରି ଦେଵା ବା ଭାରତୀୟ ସେନାର ତାରୁଣ୍ୟ ଫେରାଇ ଆଣିବାର ମହତ୍ ଉଦ୍ଦେଶ୍ୟ ଅଛି ଏକଥା ବୁଝିବେ କେତେ ଜଣ ! ତା’ପରେ ସେମାନେ ବୁଝିବେ କିପରି, ଯୋଉ ମାନେ ଭାରତୀୟ ପ୍ରତିରକ୍ଷା ବିଭାଗକୁ ଗୋଟେ ଅଦରକାରୀ, ବେକାର, ଅତିରିକ୍ତ, ଉପେକ୍ଷିତ, ଅବହେଳିତ ବିଭାଗ କରି ରଖିଥିଲେ, ସେମାନଙ୍କର ଏ ଚିନ୍ତା ଆସିବ କୁଆଡୁ ! ଦେଖୁନାହାଁନ୍ତି ଡିଆରଡିଓ (ଭାରତୀୟ ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ଆଜି ପର୍ଯ୍ୟନ୍ତ ସ୍ଥାଣୁ ହୋଇ ମୁହଁମାଡି ପଡ଼ିଥିଲା, ଏଇ କେତେ ବର୍ଷ ଭିତରେ କେତେ ନୂଆ ନୂଆ ମିଶାଇଲ୍, ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ସବୁ ତିଆରି କରି ବିଶ୍ବରେ ହଇଚଇ ଖେଳାଇ ଦେଲାଣି । ତା ଭିତରେ ସେ ପ୍ରକାର ଯୋଶ୍ ବା ଆତ୍ମବିଶ୍ବାସ ଭରି ଦେବା ଲୋକର ଅଭାବ ଥିଲା । ଆଜିକାର ପୃଥିବୀ ଡିଜିଟାଲ, ଏ ସମୟରେ ଯେତେବେଳେ ଗୋଟିଏ କମ୍ପ୍ୟୁଟର ଶହଶହ ଲୋକଙ୍କର କାମ ଏକା କରି ପାରୁଛି, ଗୋଟିଏ ସ୍ବୀଚ ଚିପିଲେ କେତେ ଦୂରରେ ଥିବା ଲକ୍ଷ୍ୟ ଧ୍ଵଂସ ହୋଇପାରୁଛି, ସେତେବେଳେ ଭାରତୀୟ ସେନାବାହିନୀ(ପୃଥିବୀର ୨ୟ ବୃହତ୍ତମ) ଭଳି ବିଶାଳ ସୈନ୍ୟବାହିନୀର ଆବଶ୍ୟକତା କ’ଣ ? ଭାରତୀୟ ଅର୍ଥନୀତି ଉପରୁ ଏ ପ୍ରକାର ବିଶାଳ ସୈନ୍ୟବାହିନୀର ଚାପ କମାଇବା ଏ ଅଗ୍ନିପଥ ଯୋଜନାର ଆଉ ଏକ ମହତ୍ ଉଦ୍ଦେଶ୍ୟ । ପୁନଶ୍ଚ ୪ଵର୍ଷ ପରେ ପ୍ରତିଵର୍ଷ ୨୫%ଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁ ଥିବାଵେଳେ ଅବଶିଷ୍ଟ ୭୫%ଙ୍କୁ ଅନ୍ୟାନ୍ୟ ଅନେକ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ, ଫଳରେ ପ୍ରାଣବନ୍ତ ହୋଇ ଉଠିବ ଭାରତୀୟ ସାମରିକ ବାହିନୀ । ଅତିମାତ୍ରାରେ ଶୃଙ୍ଖଳିତ ଭାଵେ ବିଶ୍ବରେ ପ୍ରସିଦ୍ଧି ଲାଭ କରିଥିବା ଭାରତୀୟ ସେନା ନିମନ୍ତେ ଅଗ୍ନିଵୀର (ଅନ୍ୟ କୋୖଣସି ପ୍ରକାର ଚୟନ ଆଉ ନାହିଁ) ଚୟନ କାଳରେ ସଦ୍ୟଅଗ୍ନିପଥ ଜନିତ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଯୁବକମାନେ ପୋଲିସ ରିପୋର୍ଟ ଅନୁଯାୟୀ କୋୖଣସି ପ୍ରକାର ପୋଡ଼ାଜଳା, ହିଂସାକାଣ୍ଡରେ ସାମିଲ ନଥିଲେ ଯାଇ ଚାକିରୀ ପାଇବେ, ଅନ୍ୟଥା ନାହିଁ । ଅବଶ୍ୟ ଏସବୁ ସମ୍ପୃକ୍ତ ଯୁବକମାନଙ୍କୁ ଡରାଇବା ପାଇଁ ବା ଗଣ୍ଡଗୋଳରୁ ନିବୃତ୍ତ ରଖିବାକୁ ହୋଇ ଥାଇପାରେ । କଥାରେ ଅଛି, “ବୁଭୁକ୍ଷିତଃ କିଂ ନକରୋତି ପାପ” । ଦୀର୍ଘ ବର୍ଷ ଧରି ନିଯୁକ୍ତି ନାହିଁ, କରୋନା ପରେ ଦରଦାମ ପରିସ୍ଥିତି ଅସହନୀୟ, ଏଥିରେ ଯୁବଗୋଷ୍ଠୀ କ’ଣ ବା କରନ୍ତେ ! ସେମାନଙ୍କର ଵୟସ ହେଲା, ପ୍ରବଳ ସ୍ରୋତର ଅନୁରୂପ, ଟିକେ ବାଟ ପାଇଲେ ବହି ଯିବେ, ଵାହିନେଵେ । ଵହୁ ବର୍ଷର ଚାକିରୀନ ପାଇବା ଜନିତ ଅସନ୍ତୋଷ ଦାନା ବାନ୍ଧିଵାରୁ ଦଗଦାରେ ପରିଣତ ହୋଇଥିଲା, ଅଗ୍ନିପଥ-ଜନିତ ଅଶାନ୍ତିକୁ ପୁଞ୍ଜି କରି ବିରୋଧୀ ଦଳ ସେଥିରେ ଦିଆସିଲି ଲଗାଇଦେଲେ । ମଳୁ ରୂପକ ବିରୋଧୀଦଳ କାକର ପାଣି ଖୋଜୁଥିଲେ, ଅଗ୍ନିପଥ ଯୋଜନା ସେମାନଙ୍କୁ ତୋରାଣି ଉପଲବ୍ଧ କରାଇଦେଲା । ଅନ୍ୟପକ୍ଷେ ପ୍ରଥମରୁ ଏବଂ ତା’ପରେ ସବୁଦିନ ଅଗ୍ନିପଥ ଯୋଜନାରେ ନୂଆନୂଆ ସଂଯୋଗ ତାକୁ ଛାଏଁ ସନ୍ଦେହର ପରିସରକୁ ଆଣିଦେଲା । ଯଥା ପ୍ରଥମେ ଚୟନ ପାଇଁ ଉପର ବୟସ ସୀମା ୨୧ରୁ ୨୩, ପରେ ପ୍ରତ୍ୟହ କୋଉ ନାଁ କୋଉ ସଂସ୍ଥାରେ ସେବା ନିବୃତ୍ତ ଅଗ୍ନି-ବୀରମାନଙ୍କୁ ଅଗ୍ରାଧିକାର ଇତ୍ୟାଦି । ଯାହାହେଉ ଏବେ ସେବା ନିବୃତ୍ତ ଅଗ୍ନିବୀରମାନଙ୍କ ଲାଗି ଅଗ୍ରାଧିକାର ଭିତ୍ତିରେ ସୁଯୋଗର ଭଣ୍ଡାର ଅପେକ୍ଷା କରିଛି କହିଲେ ଅତ୍ୟୁକ୍ତି ହେବନି ମହିନ୍ଦ୍ରା କମ୍ପାନୀ, ଆରପି ଗୋଏଙ୍କା, ଆଦାନୀ, ଆମ୍ବାନୀ, ଟାଟା, ଇମ୍ଫା ଆଦି ଅନେକ କମ୍ପାନୀ ସେବା ନିବୃତ୍ତ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବାର ପ୍ରତିଶୃତି ଦେଲେଣି । ଅତି ଆନନ୍ଦର କଥା, ପ୍ରତିଦିନ ଏଥିରେ ଆହୁରି ଆହୁରି ଫର୍ଦ୍ଦ ଯୋଡା ଯାଉଛି । ଯାହା ବି ହେଉ ଲୋକ ଧୀରେ ଧୀରେ ହୃଦୟଙ୍ଗମ କଲେଣି ଅଗ୍ନିପଥର, ସିନେମା ଜାତୀୟ ସଫଳତା କଥା, ତେଣୁ ବିରୋଧ ମଧ୍ୟ ଆସ୍ତେ ଆସ୍ତେ ଶାନ୍ତ ପଡି ଆସିଲାଣି । କଥାଟିଏ ମନେ ପଡୁଛି, ଧ୍ବଂସାଭିମୁଖୀ ହେଲେ ସୁଦ୍ଧା ଆମ ଗର୍ଵ ଓ ଗୌରବର ପ୍ରତୀକ, ବ୍ଲାକ୍ ପାଗୋଡା ବା କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ ସମୟର କଥା । ନିକଟସ୍ଥ ଗ୍ରାମର ଜଣେ ବୃଦ୍ଧାଙ୍କ ଘରକୁ ଆସିଥାନ୍ତି ଏକ ବୟସ୍କ ଭଦ୍ର ବ୍ୟକ୍ତି । ସମ୍ମାନ ଦୃଷ୍ଟିରୁ ବୁଢ଼ୀ ତାଙ୍କୁ କିଛି ଜାଉ(ଏକପ୍ରକାର ଖିରୀ) ଖାଇବାକୁ ଦେଲେ, ଭଦ୍ର ବ୍ୟକ୍ତି ଜାଉର ମଝିରେ ହାତ ପୁରାଇ ଦେବାରୁ ଫୋଟକା ହୋଇଗଲା । ବୁଢ଼ୀ କହିଲେ ପୁଅ ଶିବେଇ ସାନ୍ତରା ଭଳି କ’ଣ ହେଉଛୁ, କରରୁ ବା ଧାରରୁ ସିନା ଖାଆନ୍ତି । ସେଇ ଭଦ୍ର ବ୍ୟକ୍ତି ଥିଲେ ନିଜେ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ମନ୍ତ୍ରୀ ଶିବେଇ ସାମନ୍ତରାୟ । ସେଠୁ ଚାଲିଯାଇ ସମୁଦ୍ରର କୂଳରୁ ପଥର ପକାଇ ପକାଇ ପୋତି ଶିବେଇ ସାନ୍ତରା କୋଣାର୍କ ମନ୍ଦିର ଗଢାଇବାରେ ସଫଳ ହେଲେ । ମୋର କହିଵା କଥା ସରକାର ପରିବର୍ତ୍ତିତ ଶିବେଇ ସାନ୍ତରାଙ୍କ ଭଳି ଯଦି ଵୁଝିବିଚାରୀ ଧୀରେ ସୁସ୍ଥେ ଯେ କୌଣସି କାର୍ଯ୍ୟ କରିବେ ସଫଳତା ଅବଶ୍ୟମ୍ଭାବୀ, ଏହା ମୋର ବ୍ୟକ୍ତିଗତ ମତ, ଧୀର ପାଣି ପଥର କାଟେ ଟି !
ଲେଖାଜ : ଜୟନ୍ତ ପଟ୍ଟନାୟକ
୯୦୯୦୧ ୯୦୦୬୯