ଏନର୍ଜି ଏଫିସିଏନ୍ସି ସର୍ଭିସ୍‌ ଲିମିଟେଡ୍‌ ପ୍ରତିନିଧିଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତ ଓ ଆଲୋଚନା

ଭୁବନେଶ୍ୱର(ସମୃଦ୍ଧଓଡିଶା) ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଏନର୍ଜି ଏଫିସିଏନ୍ସି ସର୍ଭିସ୍‌ ଲିମିଟେଡ୍‌(ଇଇଏସ୍‌ଏଲ୍‌)ର ପ୍ରତିନିଧି ନିଜ ସେବା ଓ ଉତ୍ପାଦ ବିଷୟରେ ଉପସ୍ଥାପନା କରିଥିଲେ । ପୂର୍ବରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଉଜାଲା ଯୋଜନା ଅନ୍ତର୍ଗତ ଇଇଏସ୍‌ଏଲ୍‌ କମ୍ପାନୀ ମାତ୍ର ୩ ମାସରେ ୪ କୋଟି ବିଜୁଳି ବଲବ୍‌ ଯୋଗାଇ ଦେଇଥିଲା । ଅନୁରୂପ ଭାବେ ଓଡ଼ିଶାରେ ବିଜୁଳି ଖର୍ଚ୍ଚ କମିବା ସହିତ ବିଜୁଳି ବିଲ୍‌ ମଧ୍ୟ କମ୍‌ ରହିବ । ଯାହା ପରୋକ୍ଷ ଭାବେ ପରିବେଶ ଓ ଜଳବାୟୁ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ସେ କହିଥିଲେ । ସେହିଭଳି କେବଳ ବିଜୁଳି ବଲବ୍‌ ନୁହେଁ, ବିଦୁ୍ୟତ ଚାଳିତ ସାଇକେଲ, ଫ୍ରିଜ୍‌, ବିଦୁ୍ୟତଚାଳିତ ଗାଡ଼ି ଇତ୍ୟାଦି ମଧ୍ୟ ଉତ୍ପାଦନ କରୁଛନ୍ତି । ଏହିସବୁ ବିଦୁ୍ୟତ ଚାଳିତ ଉତ୍ପାଦର ବ୍ୟବହାର ଶକ୍ତିର ଅପଚୟ ରୋକିବା ସହ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ନିର୍ଗମନକୁ ହ୍ରାସ କରିବାରେ ସହାୟକ ହେବ । ଉଚ୍ଚ କ୍ଷମତାସଂପନ୍ନ ଓ ଲୋକଙ୍କୁ ସୁହାଇଲା ଭଳି ମୂଲ୍ୟରେ ଏହା ବଜାରରେ ଉପଲବ୍ଧ ହେଲେ ଲୋକଙ୍କ ଉପଯୁକ୍ତ ସେବାରେ ଲାଗିପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଥିଲେ । ଏହାସବୁ ଅଧିକରୁ ଅଧିକ ଚାର୍ଜିଂ ଷ୍ଟେସନ୍‌ ସ୍ଥାପନ କଲେ ଲୋକେ ଏହାର ସୁବିଧା ନେଇପାରିବେ ବୋଲି ମଧ୍ୟ ସେ କହିଥିଲେ । ‘ଊର୍ଜାବୀର’ ସାଥି ହୋଇ ଗ୍ରାମୀଣ ତଥା ସହରୀ ଇଲାକାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଏଥିରେ କାର୍ଯ୍ୟ କରିବାର ସୁବିଧା ପାଇପାରିବେ । ସରକାର ଇ-ଯାନ ପଲିସିକୁ ଅଗ୍ରାଧିକାର ଦେଇ ଆଗ୍ରହୀ ଉଦ୍ୟୋଗୀ ତଥା କ୍ରେତାମାନଙ୍କୁ ଆକର୍ଷଣୀୟ ଅଫର ପ୍ରଦାନ କରୁଛନ୍ତି । ତାହାର ସୁଯୋଗ ନେଇ ପରିବେଶ ସହ ଭାରସାମ୍ୟ ରକ୍ଷା କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା କହିଥିଲେ । ବୈଠକରେ ବହୁ ବିଭାଗୀୟ ଅଧିକାରୀ ତଥା ଇଇଏସ୍‌ଏଲ୍‌ର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ରଜତ ମହାପାତ୍ର