ଏବେବି ସୁଖଯୋଡି ଗାଁ ନିକଟରେ ୬ ହାତୀ : ଗାଁରେ ପଡିରହୁଛି ତାଟିକବାଟ !…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆ ଥାନା ଅନ୍ତର୍ଗତ ସୁଖଯୋଡି ଗ୍ରାମ ନିକଟରେ ଜଣେ ଲୋକକୁ କଚାଡି ମାରିବାପରେ ମଧ୍ୟ ହାତୀଗୁଡିକ ସେ ସ୍ଥାନ ଛାଡି ଅନ୍ୟତ୍ର ଯାଉନାହାନ୍ତି । ଗାଁର ପ୍ରାୟ ୧୦ଟି ଘର ଧ୍ୱଂସ କରିଥିବା ବେଳେ ମୋଟ ହାତୀ ମଧ୍ୟରୁ ୧୨ଟି ପଶ୍ଚିମବଂଗକୁ ଗୁରୁବାର ରାତିରେ ପଳାଇ ଯାଇଛି । ଘଟଣା ସ୍ଥଳରେ ଏବେବି ୬ଟି ହାତୀ ରହିଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଅନ୍ୟ ୧୨ଟି ହାତୀ ପଶ୍ଚିମବଂଗର ଭୁଡୁରବଣୀ ଓ ଫୁଲଝରୀ ଜଂଗଲକୁ ଗଲାବେଳେ ସେଠାକାର ବନକର୍ମଚାରୀ ଘଉଡାଇଦେବାରୁ ସେମାନେ ମୟୂରଭଂଜର ଖୁଣ୍ଟାପାଳ ଅଂଚଳକୁ ଚାଲିଯାଇଥିବାର ବନବିଭାଗ ସୂତ୍ରରୁ ପ୍ରକାଶ । ଆଜି ସୁଖ ଯୋଡି ଗାଁ ନିକଟରେ ଥିବା ୬ହାତୀକୁ ଘଉଡାଇବାକୁ ଘଟଣାସ୍ଥଳରେ ରେଞ୍ଜର ଦେବେନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବନପାଳ ତନପ ସିଂ, ଅଂଜନ ଦାସ, ସୁରେଶ ଦାସ, ଅମରେଶ ଦାସ, ଅବୈତନୀକ ବନସଂଗ୍ରକ୍ଷକ ତଥା ହାତୀସୁରକ୍ଷା ବାହିନୀର ମୁଖ୍ୟ ଅଶ୍ୱିନୀ ଦାସ ପ୍ରମୁଖ ଚେଷ୍ଟା ଚଳାଇଛନ୍ତି । ଅନ୍ୟପକ୍ଷରେ ହାତୀର ଉପଦ୍ରବରେ ଅତିଷ୍ଠ ହୋଇ ନିକଟସ୍ଥ ଗ୍ରାମଗୁଡିକର ବାସଗୃହରେ ତାଟିକବାଟ ପଡିରହୁଛି । କେତେକ ବ୍ୟକ୍ତି ଘରଦ୍ୱାର ଛାଡି ଦୂର ବଂଧୁଙ୍କ ଘରକୁ ଯାଇଥିବା ବେଳେ ଆଉ କେତେକ ଗ୍ରାମ ଓ ଗ୍ରାମ ପାଶ୍ୱର୍ବର୍ତ୍ତୀ ପକ୍କାଘରମାନଙ୍କରେ ଆଶ୍ରୟ ନେଇଛନ୍ତି । ରାଇବଣିଆ ଅଂଚଳରେ ଏକ କୋକୂଆଭୟ ସୃଷ୍ଟି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା