


ନୂଆଦିଲ୍ଲୀ(ସମୃଦ୍ଧଓଡିଶା) ଆମ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ଆଜି ସକାଳୁ ସକାଳୁ ଇଡିର ଚଢ଼ାଉ ଚାଲିଛି। ଲଗାତାର ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ମୁହେଁ ମୁହେଁ ବିରୋଧ କରି ଆସୁଥିବା ଆମ ଆଦମୀ ପାର୍ଟି ନେତା ତଥା ସାଂସଦଙ୍କ ଘରେ ଆଜି ଭୋର ଇଡ଼ି ପଶିଛି । ଏହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇ ଉଠିଛି । ତେବେ ମଦ ଦୁର୍ନୀତି ମାମଲାରେ ଇଡି ସଞ୍ଜୟ ସିଂଙ୍କ ଘରେ ପଶିଥିବା କୁହା ଯାଉଛି । ଆଜି ସକାଳୁ ସକାଳୁ ଇଡି ଟିମ୍ର ବହୁ ଅଧିକାରୀ ସାଂସଦ ସଞ୍ଜୟ ସିଂ ଙ୍କ ଘରେ ପଶିଛନ୍ତି । କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସଞ୍ଜୟଙ୍କ ଘରେ ପୂର୍ବରୁ ଥରେ ଇଡି ପଶିଥିବା ବେଳେ ଏହା ଦ୍ୱିତୀୟ ଘଟଣା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ ରହି ଥିଲା। ପୂର୍ବ ଥର ଇଡି ଟିମ୍ ସଞ୍ଜୟ ସିଂଙ୍କ ଘରେ ପଶିଥିବା ବେଳେ ସାଂସଦ ସଞ୍ଜୟ ସିଂ ଇଡି ଉପରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ଚାର୍ଜସିଟ୍ରେ ଭୁଲ ବଶଃତ ରାହୁଲ ସିଂଙ୍କ ସ୍ଥାନରେ ସଞ୍ଜୟ ସିଂଙ୍କ ନାମ ଲେଖା ଯାଇଥିବା ଇଡି ତରଫରୁ ସଫେଇ ଦିଆଯାଇଥିଲା। ଏଥିସହ ଉକ୍ତ ମାମଲା ସମାପ୍ତ ହେଲା ବୋଲି ବି ଇଡି କହିଥିଲା । କିନ୍ତୁ ଗତ ଜୁନ ମାସରେ ଇଡଇ ତରଫରୁ ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ବନ୍ଧୁ ଅଜିତ ତ୍ୟାଗୀ ଓ ସର୍ବେଶ ମିଶ୍ରାଙ୍କ ଘରେ ରେଡ କରାଯାଇଥିଲା । ଏବେ ପୁଣି ଥରେ ଇଡି ସଞ୍ଜୟ ସିଂଙ୍କ ଘରେ ନାଟକୀୟ ମୂଡ଼ରେ ପଶିଛି । ମଦ ଦୁର୍ନୀତି ମାମଲା ଆପ୍ ସରକାରର ଚିନ୍ତା ବଢ଼ାଇ ଦେଇଛି। ଏହି ମାମଲାରେ ଆପ୍ର ପୁରୁଖା ନେତା ମନିଷ ସିସୋଦିଆ ପୂର୍ବରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି । ଏଥିସହ ଦଳର ବହୁ ଆଗଧାଡ଼ିର ନେତା ଇଡି ସ୍କାନରରେ ଅଛନ୍ତି ବୋଲି ଖବର ପ୍ରଚାରିତ ହେଉଥିବା ବେଳେ ଆମ ଆଦମୀ ପାର୍ଟି ଏହାକୁ ଖଣ୍ଡନ କରିଛି ।
ରିପୋର୍ଟ : ସୁଧାଂଶୁ ଶେଖର
