



ପୋଲସରା (ସମୃଦ୍ଧ ଓଡିଶା) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଫଳବତୀ କରିବା ଓ ତାହା ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ତାର ସମୀକ୍ଷା କରିବା ଅଭିପ୍ରାୟରେ କିଛି ଉଚ୍ଚ ଅଧିକାରୀ ପ୍ରୟାସ ଜାରି ରଖିଥିବାରୁ ଆଜି ଜଣେ ସାଧାରଣ ଲୋକଟି ସରକାରୀ କର୍ମଚାରୀ ଉପରେ ବିଶ୍ୱାସଭାଜନ ହୋଇପାରୁଛି । ହେଲେ ବିଭିନ୍ନ ସମସ୍ୟା ଭିତରେ ସରକାରୀ ଫାଇଲ ପତ୍ର ଦେଖିବା ସହ ଲୋକଙ୍କ ଅଭିଯୋଗ ଶୁଣିବା ବେଳେ ସମୟର ଅଭାବ ଘଟିଥାଏ ବଡ଼ ଅଫିସରଙ୍କ ପାଖରେ । ଏସବୁ ଜଞ୍ଜାଳରେ ଥାଇ ମଧ୍ୟ କିଛି ସମୟ ବାହାର କରି ଯେଉଁ ବଡ ଅଧିକାରୀ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ତାର ଭଲ ମନ୍ଦ ବୁଝି ପାରୁଛି ସେ ନିଶ୍ଚୟ ଧନ୍ୟବାଦର ପାତ୍ର ହୋଇଥାଏ । ସେଭଳି ଜଣେ ଆଇଏସ ଅଫିସର ଇଂଜିନିୟରରୁ ଆଇଏସ ପାଇଥିଲେ ମଧ୍ୟ ନିଜକୁ ସମ୍ପୂର୍ଣ୍ଣ ରୂପେ ଜନସେବାରେ ଲଗାଇ ପାରିଛନ୍ତି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ଉପଜିଲ୍ଲାପାଳ ଥିବା ବେଳେ ଯେଭଳି ଲୋକଙ୍କ ସମସ୍ୟା ପ୍ରତି ଜଡିତ ରହୁଥିଲେ ଠିକ ସେପରି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ(ଡିଆରଡିଏ) ସଂସ୍ଥାର ପ୍ରକଳ୍ପ ଅଧିକାରୀ ହେଲା ପରେ ମଧ୍ୟ ସେହି ଲୋକ ସେବା ଜାରି ରଖିଛନ୍ତି । ଟିକିଏ ସମୟ ପାଇଲେ ଦୁର୍ଗମ ଅଞ୍ଚଳକୁ ଯାଇ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଁଚିଲା କି ନାହିଁ ତଦନ୍ତ କରୁଛନ୍ତି । ସେଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଗୋଚ୍ଛାବାଡ଼ି ପଞ୍ଚାୟତର ଚାଞ୍ଚେରା ଗାଁ ଓ ପାଣ୍ଡିରିପଡା ପଞ୍ଚାୟତର ତୋସିଙ୍ଗ ଗାଁ ଏପରିକି କିଛି ପାହାଡିଆ ଦୁର୍ଗମ ଅଞ୍ଚଳ ଅଛି ଯେଉଁଠି କେତେକ ପରିବାର ବହୁ ବର୍ଷ ଧରି ସରକାରଙ୍କ ପକ୍ଷରୁ ମିଳୁଥିବା ଯୋଜନାର କିଛି ଅଂଶ ପାଉଥିବା ବେଳେ ଆଉ କେତେକ ଯୋଜନାରୁ ବଞ୍ଚିତ ରହିଛନ୍ତି ସେ ସବୁର ତଦାରଖ କରିବାକୁ ଯାଇ ପାଖାପାଖି ୭/୮ କିଲୋମିଟର ପାଦରେ ଚାଲି ଚାଲି ଯାଇଛନ୍ତି । ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଆଇଏଏସ ଅଫିସର ଇଂଜିନିୟର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଗତ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲା ପିଡି (ପ୍ରକଳ୍ପ ନିର୍ଦ୍ଦେଶକ) ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ସହକାରୀ ଯନ୍ତ୍ରୀ ଗୋପାଳକୃଷ୍ଣ ଗୌଡ଼ଙ୍କ ସମେତ ବହୁ ପଦାଧିକାରୀ ପାହାଡ ମଧ୍ୟରେ ଥିବା ଦୁର୍ଗମ ଅଂଚଳ ପରିଦର୍ଶନ କରିଛନ୍ତି । ଏହି ଦୁଇଟି ଗାଁକୁ ଯିବା ଆସିବା ପାଇଁ କୌଣସି ପକ୍କା ସଡକ ନଥିବାରୁ ପାହାଡିଆ ଜଙ୍ଗଲର ସଂକୀର୍ଣ୍ଣ ରାସ୍ତା ଦେଇ କୌଣସି ଚାରି ଚକିଆ କିମ୍ବା ବାଇକ ଯିବା ସମ୍ଭବପର ନଥିଲେ ମଧ୍ୟ ଏହି ଗାଁକୁ ଗଞ୍ଜାମ ପିଡି ଶ୍ରୀ ସ୍ୱାଇଁ ବହୁ କଷ୍ଟ କରି ଚାଲି ଚାଲି ଯାଇଥିବା ଦେଖାବାକୁ ମିଳିଛି । ଉପାନ୍ତ ଏରିଆ ଓ ପାହାଡିଆ ଅଞ୍ଚଳର ପଥୁରିଆ କଣ୍ଟା ବଣ ରାସ୍ତାରେ ଏକ ଠେଙ୍ଗା ସାହାର୍ଯ୍ୟରେ ଧୀରେ ଧୀରେ ବହୁ କଷ୍ଟରେ ୮ କିଲୋମିଟର ଜଙ୍ଗଲରେ ଚାଲି ଚାଲି ପ୍ରଥମେ ଗୋଚ୍ଛାବାଡ଼ି ପଞ୍ଚାୟତ ଅଧୀନରେ ଥିବା ଚାଞ୍ଚେରା ଗାଁରେ ପହଂଚିଥିଲେ । ସେଠାରେ ବସବାସ କରୁଥିବା ଆଦିବାସୀ ଓ ଶବର ଶ୍ରେଣୀର ଲୋକମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ସେମାନଙ୍କ ମୁଖ୍ୟ ସମସ୍ୟା ଗାଁକୁ ସବୁ ଦିନ ପାଇଁ ପକ୍କା ରାସ୍ତା ନିର୍ମାଣ ପାନୀୟ ଜଳ ଯୋଗାଣ ଉପାନ୍ତ ସ୍ଥାନରେ ସରକାରଙ୍କ ଏନଆରଜିଏସ ଯୋଜନା ମାଧ୍ୟମରେ ଆଦିବାସୀ ଶ୍ରେଣୀର ଲୋକଙ୍କ ପାଇଁ ସବୁ ଦିନିଆ କାମ ଏବଂ ପକ୍କା ଘର ନିର୍ମାଣ ସମେତ ବହୁ ସମସ୍ୟା ସମ୍ପର୍କରେ ଅଧିକାରୀମାନଙ୍କୁ ଜଣାଇଥିଲେ । ଏହି ସମସ୍ୟାକୁ ନେଇ ପିଡି ବିଡ଼ିଓ ଶ୍ରୀ ନନ୍ଦୀଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ତ ଅଧିକାରୀମାନଙ୍କୁ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ସହ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଉପାନ୍ତ ଅଂଚଳରେ ଗମନାଗମନ ପାଇଁ ପକ୍କା ରାସ୍ତା ନିର୍ମାଣ କରିବା ସହ ସୋଲାର ଲାଇଟ ପ୍ରଦାନ କରାଯିବ ବୋଲି ପିଡି ନିଜର ମତ ପ୍ରକାଶ କରିଛନ୍ତି । ଚାଞ୍ଚେରାରେ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ପୁଣି ପାଣ୍ଡୀରୀପଡା ପଂଚାୟତର ପାହାଡ଼ ଉପରେ ଥିବା ତୋସିଙ୍ଗ ଗାଁକୁ ଚାଲି ଚାଲି ଯାଇଥିଲେ । ସେଠାରେ ଆବଶ୍ୟକତା ଅନୁଯାୟୀ କିଛି ହିତାଧିକାରୀଙ୍କୁ ନୂତନ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ । ପରେ ଉପସ୍ଥିତ ଗ୍ରାମର ପ୍ରତ୍ୟେକଟି ସମସ୍ୟା ସମ୍ପର୍କରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଡ଼ିଓ ଓ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ପଞ୍ଚାୟତର ବହୁ ଆଦିବାସୀ ଓ ଶବର ଶ୍ରେଣୀର ଲୋକମାନେ ସଚେତନତା ଅଭାବରୁ ନିଜର ମୌଳିକ ଅଧିକାରରୁ ଅଭାବରୁ ନିଜର ମୌଳିକ ଅଧିକାରରୁ ବଞ୍ଚିତ ରହିଯାଉଛନ୍ତି । ଏଭଳି ସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଗସ୍ତରେ ବିଭିନ୍ନ ସମସ୍ୟାର ସମାଧାନ ହେବା ସହ ଦୁର୍ଗମ ଅଞ୍ଚଳର ବିକାଶ ବହୁତ ଶୀଘ୍ର ହୋଇପାରିବ ବୋଲି ୩୮ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଅଶୋକ ବିଷୋୟୀ ମତ ପ୍ରକାଶ କରିଛନ୍ତି । ଏହି ଦୁର୍ଗମ ଅଞ୍ଚଳ ପରିଦର୍ଶନରେ ଜିପିଓ ଗୋପବନ୍ଧୁ ବେହେରା, ବରିଷ୍ଠ ରାଜସ୍ୱ ସହାୟକ ରବିନାରାୟଣ ସେଠି, କନିଷ୍ଠ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ଶତପଥୀ, ଭି.ଏଲ.ଡବ୍ଲ୍ୟୁ କିଶୋର ଚନ୍ଦ୍ର ସାହୁ, ସନ୍ତୋଷ ଦଳାଇ, ଡିଆରଏସ ସଞ୍ଜୟ ନାୟକ, ଜ୍ୟୋତ୍ସାରାଣୀ ପଣ୍ଡା, ବ୍ଲକ ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ ସାହୁ, ସରପଞ୍ଚ ସୁରେନ୍ଦ୍ର ଶବର ଓ ମନୋରଞ୍ଜନ ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








