ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅନ୍ତର୍ଜାତୀୟ ପାୱାରଲିଫଟିଙ୍ଗ ତଥା ଏସିଆନ୍ କ୍ଲାସିକ୍ ପାୱାରଲିଫଟିଙ୍ଗ ଚାମ୍ପିଅନସିପ୍ ରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ରଞ୍ଜିତା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ବ୍ରହ୍ମପୁର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ବ୍ରହ୍ମପୁରରେ ଜନ୍ମିତ ରଞ୍ଜିତା ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସର ଅନୁରୋଧ ରକ୍ଷାକରି ରଞ୍ଜିତା ଛାତ୍ରାବାସ ପରିଦର୍ଶନ କରି ନିଜ ସଂଘର୍ଷମୟ ଖେଳଜୀବନ ସଂପର୍କରେ ସୂଚନା ଦେବାସହ ଖେଳରେ ଶୀର୍ଷତା ଲାଭ କରିବା ପାଇଁ ବୟସକୁ ପ୍ରାଧାନ୍ୟ ଦିଆଯାଇପାରିବ ନାହିଁ ବୋଲି କହିଥିଲେ । ଇଚ୍ଛାଶକ୍ତି ନିକଟରେ ବୟସ ମାତ୍ର ଏକ ସଂଖ୍ୟା ବୋଲି ରଞ୍ଜିତା କହିଥିଲେ । ୨ ଟି ସନ୍ତାନର ମା’ ରଞ୍ଜିତାଙ୍କ କ୍ରୀଡ଼ା ଜୀବନକୁ ନେଇ ଛାତ୍ରାବାସର ଅନ୍ତେବାସୀ ବହୁ ପ୍ରେରଣା ଲାଭ କରି ଉତ୍ସାହିତ ହୋଇଥିଲେ । ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ଅଶୋକ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଖେଳକୁଦ ପ୍ରଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକ, ବାସ୍କେଟବଲ ପ୍ରଶିକ୍ଷକ ବାଦଲ କୁମାର ସାହୁ, ମୁଷ୍ଟିଯୁଦ୍ଧ ପ୍ରଶିକ୍ଷକ ଶିଶିର ପାଣିଗ୍ରାହୀ, ଭାରୋତଳନ ପ୍ରଶିକ୍ଷକ କୁମାରୀ ସୀତା ଜେନା ଯୋଗଦେଇ ରଞ୍ଜିତାଙ୍କୁ ପ୍ରଶଂସା କରିଥିଲେ । ଶ୍ରୀମତି ମିଶ୍ରଙ୍କ ବାପା ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର୍ ଜଗନ ମୋହନ ମହାପାତ୍ର, ନୃସିଂହ ପାଢ଼ୀଙ୍କ ସମେତ ସହରର ବହୁ ପୁରୁଖା ଖେଳାଳୀ ଏହି ସଭାରେ ଉପସ୍ଥିତ ଥିଲେ । ବ୍ରହ୍ମପୁର ଷ୍ଟାଡ଼ିୟମର ଭାରପ୍ରାପ୍ତ ଅଧିକାରୀ ସଚ୍ଚିନ୍ଦ୍ର ମାଝୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା