

ଭୁବନେଶ୍ବର(ସମୃଦ୍ଧ ଓଡିଶା)ହସେଇ ହସେଇ ବେଦମ୍ କରୁଥିବା ସଲିଲ ଶେଷରେ ସମସ୍ତଙ୍କୁ ଦୁଃଖର ସାଗରରେ ଭସେଇ ଚାଲିଗଲେ ଆରପାରିକୁ। ହଜାରେ ଦୁଃଖରେ ଥିଲେ ମଧ୍ୟ ଯାହାଙ୍କ ଅଭିନୟ ସମସ୍ତଙ୍କୁ ହସାଇ ଦେଉଥିଲା ସେ ଆଜି ସମସ୍ତଙ୍କ ଆଖିରେ ଲୁହ ଭରିଦେଲେ। ଦୁର୍ଘଟଣାରେ ଆହତ ହୋଇ କିମ୍ସ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ହାସ୍ୟ ଅଭିନେତା ସଲିଲ ମିତ୍ର ଆଜି ରାତି ପ୍ରାୟ ୧୨ଟା ୧୫ ମିନିଟ୍ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୨ ଝିଅ ଉପସ୍ଥିତ ଥିଲେ। ମେ ୧୨ ତାରିଖରେ ଶ୍ରୀ ମିତ୍ର କେନ୍ଦୁଝରରୁ ସୁଟିଂ ଶେଷ କରି କାର୍ରେ କଟକ ଫେରୁଥିବା ବେଳେ ଘଟଗାଁ କଲେଜ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ସେ ଏବଂ କାର୍ ଚାଳକ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଛାତିରେ ମଧ୍ୟ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମ କଟକ ବଡ଼ ମେଡିକାଲ୍ରେ ଭର୍ତି କରାଯାଇଥିଲା। ପରେ ସେଠାରୁ କିମ୍ସ ସ୍ଥାନାନ୍ତର କରାଯାଇଥିଲା।
ରିପୋର୍ଟ : ଆକାଶ ମିଶ୍ର