ଭୁବନେଶ୍ୱର(ସମୃଦ୍ଧଓଡିଶା) ଚାକିରୀ ଜୀବନରେ ବିଭିନ୍ନ ସମୟରେ ଅନେକ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଏହାକୁ ସଫଳଭାବେ ମୁକାବିଲା ପାଇଁ ଦୃଢ଼ ଇଚ୍ଛାଶକ୍ତି ସହିତ ନିଜ ମଧ୍ୟରେ ନୈତିକତା, ସାଧୁତା ଓ କର୍ତ୍ତବ୍ୟପରାୟଣତାକୁ ସର୍ବଦା ପ୍ରାଧାନ୍ୟ ଦେବା ଉପରେ ରାଜ୍ୟପାଳ ରଘୁବର ଦାସ ଗୁରୁତ୍ୱରୋପ କରିଛନ୍ତି। ଆଜି ରାଜଭବନର ଅଭିଷେକ ହଲ୍ଠାରେ ମଧୁସୂଦନ ଦାସ ରିଜିଓନାଲ ଏକାଡ଼େମୀ ଅଫ୍ ଫାଇନାନ୍ସିଆଲ ମ୍ୟାନେଜମେଂଟରେ ପ୍ରଶିକ୍ଷଣ ଲାଭ କରୁଥିବା ଓଡ଼ିଶା ଅର୍ଥ ସେବା ୨୦୨୧ ବ୍ୟାଚ୍ର ୪୮ ଜଣ ପ୍ରୋବେସନରଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଜ୍ୟପାଳ ଅର୍ଥ ଉପରେ ରାଜ୍ୟର ବିକାଶ ନିର୍ଭର କରୁଛି ଓ ରାଜ୍ୟ ଅର୍ଥ ସେବାର ଅଧିକାରୀ ଭାବେ ସେମାନଙ୍କର ଏକ ଗୁରୁ ଦାୟିତ୍ୱ ରହିଛି ବୋଲି କହିଥିଲେ। ଏହାକୁ ସୁଚାରୁରୂପେ ନିର୍ବାହ କରିବା ପାଇଁ ନିୟମ କାନୁନ୍ ସଂପର୍କରେ ଅଧିକ ଜ୍ଞାନ ହାସଲ ସହିତ ସ୍ୱଚ୍ଛତା ଓ ସଚ୍ଚୋଟତା ଓ ସତର୍କତା ଅବଲମ୍ବନ କରି କୌଣସି ପ୍ରକାର ଅନିୟମିତତାକୁ ପ୍ରଶୟ ନଦେବାକୁ ତଥା ରାଜ୍ୟର ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ୍ ନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ। ନିଜର ଜ୍ଞାନର ପରିସରକୁ ଓ ଦକ୍ଷତାକୁ ବଢ଼ାଇବା ପାଇଁ ଅଧ୍ୟୟନ ଓ ଅନୁଧ୍ୟାନକୁ ଗୁରୁତ୍ୱ ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ। ରାଜ୍ୟର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରି ବିକଶିତ ଓଡ଼ିଶା ଗଠନରେ ସେମାନଙ୍କର ମହତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ରାଜ୍ୟପାଳ କହିଥିଲେ। ନୂତନ ବର୍ଷଠାରୁ ନୂତନ ଦାୟିତ୍ୱ ଗ୍ରହଣ କରୁଥିବାରୁ ରାଜ୍ୟପାଳ ପ୍ରୋବେସନର୍ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଓ ସଫଳ ଭବିଷ୍ୟତ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ୍ ରାଜପୁତ ନିଜ ଉଦ୍ବୋଧନରେ ପ୍ରୋବେସନର୍ମାନଙ୍କୁ ଟେକ୍ନୋଲୋଜିର ବହୁଳ ବ୍ୟବହାର ପାଇଁ ପରାମର୍ଶ ଦେବା ସହିତ କାର୍ଯ୍ୟକୁ ସରଳ, ଶୀଘ୍ର ଏବଂ ସଠିକ୍ ଢ଼ଙ୍ଗରେ କରିବା ପାଇଁ ଟେକ୍ନୋଲୋଜି ସଂପର୍କିତ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ସର୍ବଦା ଚେଷ୍ଟିତ ରହିବାକୁ କହିଥିଲେ। ପ୍ରାରମ୍ଭରେ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ଏକାଡ଼େମୀର ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ମହାନ୍ତି ଏକାଡ଼େମୀର କାର୍ଯ୍ୟଧାରା ସହିତ ପ୍ରଦାନ କରାଯାଉଥିବା ପ୍ରଶିକ୍ଷଣର ବିବିଧ ଦିଗ ସଂପର୍କରେ ସୂଚନା ସହିତ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଏକାଡେମୀର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ବିଭୁଦତ୍ତ ଆଚାରୀଙ୍କ ସମେତ ଅନ୍ୟ ପଦାଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ରିପୋର୍ଟ : ସଂଜୀବ ବାରିକ, ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ