ଭୁବନେଶ୍ୱର(ସମୃଦ୍ଧଓଡିଶା)ଉଦଯାପିତ ହୋଇଯାଇଛି ଓଡ଼ିଶା ଖଦି ମେଳା-୨୦୨୪ । ଉଦଯାପନୀ ସଂଧ୍ୟାରେ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (ପୂର୍ବାଞ୍ଚଳ) ର ସଦସ୍ୟ ମନୋଜ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ମେଳା ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରଗତି ଓ ଗ୍ରାମ୍ୟ କାରିଗରମାନଙ୍କର ଆର୍ଥିକ ସମୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । ସୂଚନାଯୋଗ୍ୟ, ଏହି ପ୍ରଦର୍ଶନୀରେ ପ୍ରାୟ ଦୁଇ କୋଟି ଟଙ୍କାରୁ ଅଧିକ କାରବାର ହୋଇଛି । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ଚଳିତଥର ସମୁଦାୟ ୧୦୦ଗୋଟି ଷ୍ଟଲର ଆୟୋଜନ କରାଯାଇଥିଲା I ସେଥି ମଧ୍ୟରୁ ୩୨ ଗୋଟି ଖଦି, ୬୩ ଗୋଟି ଗ୍ରାମୋଦ୍ୟୋଗ ଓ ୫ ଗୋଟି ଖାଦ୍ୟ ଷ୍ଟଲ ଖୋଲା ଯାଇଥିଲା I ଚଳିତବର୍ଷ ଡିସେମ୍ବର ୧୦ ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ମେଳାରେ ଡେମନଷ୍ଟ୍ରେସନ ଷ୍ଟଲରେ କାରିଗରମାନେ ତାଙ୍କ ହସ୍ତର ନିପୁଣତା ପ୍ରଦର୍ଶନ କରି ଯୁବପିଢିଙ୍କୁ ଆକୃଷ୍ଟ କରିଥିଲେ I ପ୍ରତ୍ୟେକ ଦିନ ଅପରାହ୍ନ ୩ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଷ୍ଟଲ ଖୋଲା ଯାଉଥିଲା I ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଆନ୍ଦ୍ରପ୍ରଦେଶ, ଜାମ୍ମୁକାଶ୍ମିର୍ ରାଜ୍ୟର କୁଶଳୀ କାରିଗରମାନେ ଏହି ମେଳାରେ ଅଂଶ ଗ୍ରହଣକରି ସେମାନଙ୍କ ସାମଗ୍ରୀଗୁଡ଼ିକ ବିକ୍ରୟ କରିଥିଲେ I ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଉଦଯାପନୀ ସଂଧ୍ୟାରେ ସମ୍ମାନନୀୟ ଅତିଥି ଭାବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବିଭୂତି ଭୂଷଣ ଦାସ, ଖଦି ଗ୍ରାମଦ୍ୟୋଗ ଆୟୋଗର ରାଜ୍ୟ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ଛେତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଚିବ ସଞ୍ଜୟ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ଅଂଶ ଗ୍ରହଣ କରିଥିବା ସମସ୍ତ କାରିଗରମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରିଥିଲେ I ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ଯୋଜନା ଜରିଆରେ ଋଣ ନେଇ ଗ୍ରାମୋଦ୍ୟୋଗ ପ୍ରକଳ୍ପ ସ୍ଥାପନ କରିଥିବା ନୂତନ ଉଦ୍ୟୋଗୀ ଗଞ୍ଜାମ ଜିଲ୍ଲାର ମିନାକ୍ଷୀ ଦାସ, ଖୋର୍ଦ୍ଧାର ଅମ୍ବୁଜା ପଟ୍ଟନାୟକ, ଯାଜପୁରର ବିଜୟ କୁମାର ଦାସଙ୍କୁ ମାନପତ୍ର, ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା ।
ରିପୋର୍ଟ : ରଜତ ମହାପାତ୍ର