ଓଡ଼ିଶା ବନ୍ଦକୁ ବିଜେପିର ସମର୍ଥନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗଣତନ୍ତ୍ର ବଞ୍ଚାଅ ଓ ଚାଷୀ ବଞ୍ଚାଅ ଆହ୍ୱାନରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ତେବେ ନବ ନିର୍ମାଣ କୃଷକ ସଂଗଠନର ଏହି ପ୍ରସ୍ତାବିତ ବନ୍ଦ ଡାକରାକୁ ବିଜେପି ସମର୍ଥନ କରିବ । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ପ୍ରକାଶ ଯେ, ଆସନ୍ତା ୨୧ ତାରିଖ ଦିନ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ପୂର୍ବରୁ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ । ସେ କହିଥିଲେ ଯେ, ରାଜ୍ୟରେ ତାନାସାହି ଚାଲିଛି । ଏକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କର ମତବ୍ୟକ୍ତ କରିବାର ଅଧିକାର ଓ ଆନେ୍ଦାଳନର ଅଧିକାର ରହିଛି । କିନ୍ତୁ ଚାଷୀଙ୍କୁ ଭୁବନେଶ୍ୱର ପ୍ରବେଶ ଉପରେ ସରକାର ରୋକ ଲଗାଇଛନ୍ତି । ପୁଲିସ ଚାଷୀଙ୍କ ଉପରେ ବଳ ପ୍ରୟୋଗ କରୁଛି । ଗଣତାନ୍ତ୍ରିକ ଅଧିକାର ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ବିରୋଧରେ ଆସନ୍ତା ୨୧ ତାରିଖ ଦିନ ଓଡ଼ିଶା ବନ୍ଦ ପାଳନ କରାଯିବ ବୋଲି ସେ କହିଥିଲେ ।

ରିପୋର୍ଟ : ଆକାଶ ମିଶ୍ର