ଜଳେଶ୍ୱର (ସମୃଦ୍ଧ ଓଡିଶା) ଏବେବି ସେବା ସମିତି ଗୁଡିକ ଚାଷୀଙ୍କ ଠାରୁ ଧାନ କିଣାରେ ହଇରାଣ ହରକତ କରି ଆସୁଥିବାରୁ ଚାଷୀମାନେ ପଶ୍ଚିମବଙ୍ଗକୁ ସିଧାସଳଖ ଧାନ ପଠାଇ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଆଜି ଏକ ଧାନ ଭର୍ତ୍ତି ଟ୍ରାକ୍ଟର ଗଲାବେଳେ ଉପାଜିଲାପାଳ ନିଲୁ ମହାପାତ୍ର ଏହାକୁ ଜବତ୍ କରିଛନ୍ତି । ମଧ୍ୟାହ୍ନରେ ବାଲେଶ୍ୱର ଉପଜିଲାପାଳ ନିଲୁ ମହାପାତ୍ର, ସିଏସ୍ଓ ରବିନ୍ଦ୍ର ପୁଷ୍ଟି ଓ ଏସିଏସ୍ଓ ଅଜୟ ମଲ୍ଲିକ ଓ ଅନ୍ୟ କେତେକ ଅଧିକାରୀ ବିଭିନ୍ନ ସେବା ସମବାୟ ସମିତି ଯାଇ ସରକାରୀ ଧାନ କିଣା ସଂପର୍କରେ ରିପୋର୍ଟ ସଂଗ୍ରହ କରିଥିଲେ । ରାଇବଣିଆ ଥାନା ଅନ୍ତର୍ଗତ ଚାଫଲାରୁ ଫେରୁଥିବା ବେଳେ ଏକ ନମ୍ବର ବିହିନ ଟ୍ରାକ୍ଟରେ ୭୨ବୁରା ଧାନ ଆସୁଥିବାର ଦେଖିବାକୁ ପାଇଥିଲେ । କିନ୍ତୁ ଧାନର କୌଣସି କାଗଜପତ୍ର ନ ଥିବା ଜାଣି ଏସିଏସ୍ଓଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ଉପସ୍ଥିତିରେ ଏହି ଧାନ ନାମ୍ପୋ ସମବାୟ ସମିତିରେ ଜବତ୍ କରି ରଖାଯାଇଛି । ପରେ ସେ ଆମ୍ବଳିଅଠା, ସୁଗୋ, ବର୍ତ୍ତନା ଓ ନାମ୍ପୋ ସମବାୟ ସମିତି ଯାଇ ଧାନକିଣା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା