

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବିଭିନ୍ନ ଅଂଚଳରୁ ସପ୍ତହର କେତେକ ନିର୍ଦ୍ଦିଷ୍ଟ ଦିନରେ ବଡବଡ କଣ୍ଟେନରରେ ବହୁ ଗୋରୁ ଗାଈଙ୍କୁ ନେଇ କୋଲକତା ଓ ବାଂଲାଦେଶ ଚାଲାଣ ହୋଇ ଆସୁଛି । ଜାତୀୟ ରାଜପଥ ଗୁଡିକରେ ଏପରି ଯାନ ରାତିରେ ଚଳାଚଳ କରୁଥିବା ବେଳେ ପ୍ରଶାସନ ସେଥିପ୍ରତି ଆଖିବୁଜି ଦେଇଛି । ଫଳରେ ରାଜ୍ୟରୁ ଗୋରୁ ଗାଈ ସଂଖ୍ୟା କମିବାରେ ଲାଗିଛି । ଉତ୍ତର ବାଲେଶ୍ୱରର ନିର୍ଦ୍ଦିଷ୍ଟ କେତେକ ରାସ୍ତାରେ ଓଡିଶା ଅଂଚଳରୁ ଗୋରୁ, ଗାଈ ଓ ବାଛୁରୀ ଧରି କେତେକ ନିର୍ଦ୍ଦିଷ୍ଟ କଣ୍ଟେନର ପଶ୍ଚିମବଂଗକୁ ଗୋ-ଚାଲାଣ କରିଆସୁଛି । ରାଜ୍ୟର ବିଭିନ୍ନ ଅଂଚଳରୁ ଏହି ଗୋରୁ, ଗାଈ ଅମାନୁସିକଭାବେ କଣ୍ଟେନରରେ ଅଣାଯାଉଥିବା ବେଳେ ଯାତୀୟ ରାଜପଥ କଡରେ ଥିବା ଥାନା, ଓ ଅନ୍ୟ କେତେକ ପ୍ରଶାସନୀକ ଅଧିକାରୀଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ସେମାନେ ନିରବଦ୍ରଷ୍ଟା ସାଜିଛନ୍ତି । ଗୋଟିଏ ଗୋଟି କଣ୍ଟେନରରେ ୧୬ଟି ଗୋରୁ ଯିବାର ନିୟମ ଥିବା ବେଳେ କଣ୍ଟେନରରେ ଛାତସୃଷ୍ଟିକରି ବସ୍ତା ଉପରେ ବସ୍ତା ରଖିଲା ଭଳି ନିଆଯାଉଛି । କେତେକ ଗୋରୁ ଗାଈଙ୍କୁ କଣ୍ଟେନରରେ ଗୋଡ ଓ ବେକ ବାନ୍ଧି ଝାଲନ୍ତା ଅବସ୍ଥାରେ ନିଆଯାଉଛି । ପ୍ରଶାସନର ନଜର ଏଡାଇବା ପାଇଁ ଏହି ଗୋ ଚାଲାଣ କଣ୍ଟେନର ପଛପଟେ ଡାକ୍ ପାର୍ସଲ ବୋଲି ଲେଖାଯାଉଛି । ଗୋରୁ ଗୁଡିକୁ ପଠାଯିବା ପୂର୍ବରୁ ଜଣେ ପ୍ରାଣୀ ଚିକିତ୍ସକ ଙ୍କ ସୁପାରିଶ କ୍ରମେ ପଠାଯିବାର ନିୟମ ଥିବା ବେଳେ ତାହାର ଖୋଲାଖୋଲି ଉଲଙ୍ଘନ ହେଉଥିବା ଜଣାଯାଇଛି । ସେହିପରି ୬୦ନଂ ଜାତୀୟ ରାଜପଥ ବାଲେଶ୍ୱରର ନହରପାଟଣା ଠାରୁ ଜଳେଶ୍ୱର ମଧ୍ୟରେ ପ୍ରାୟ ୫୦କି.ମି ରାସ୍ତାର ପାଶ୍ୱର୍ରେ କିମ୍ବା ଅନତି ଦୂରେ ଥିବା ଥାନା ଓ ଫାଣ୍ଡି ଗୁଡିକ ରହିଥିଲେ ମଧ୍ୟ ସେପରି କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାନଥିବା ଜଣାଯାଇଛି । ଏଭଳି ଗାଡି ଗୁଡିକ ରାତ୍ରିର ଶେଷ ପ୍ରହରରେ ଓଡିଶା ପଶ୍ଚିମବଂଗ ଉପାନ୍ତ ଲକ୍ଷ୍ମଣନାଥ ପାରିକରିବାକୁ ଥିବାରୁ ଅତି ଦ୍ରୁତ ଗତିରେ ଗଡା ଚଳାଚଳ ଯୋଗୁଁ ବାରମ୍ବାର ଦର୍ଘଟଣା ଘଟି ବହୁ ଜନଜୀବନ ନଷ୍ଟ ହେବା ସହିତ ଗୋରୁଗାଈ ଗୁଡିକ ମୃତ୍ୟୁ ମୁଖରେ ପଡୁଛନ୍ତି । ଗୋ-ଚାଲାଣକାରୀମାନେ ପୋଲିସ୍ ପ୍ରଶାସନକୁ ହାତବାରିସୀ କରି ଏପରି କାର୍ଯ୍ୟ ଭିଆଉଥିବା ସାଧାରଣରେ ଅଭିଯୋଗ ହେଉଛି । ଏପରିକି ଗୋ-ଚାଲାଣକାରୀ ମାନେ ଏକ ଅଭିନବ ଉପାୟରେ ଗୋ-ମାଂସ ଗୁଡିକ ରେଫ୍ରିଜେଟର କେରିଆର୍ ମାଧ୍ୟମରେ ଚାଲାଣ ହେଉଥିବାରୁ ସ୍ଥାନୀୟ ଚାଷୀ ଓ ଜନସାଧାରଣଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଯଦି ପ୍ରଶାସନର ଉଦାସୀନତାର ସୁଯୋଗ ନେଇ ଏପରି କାର୍ଯ୍ୟ ଚାଲୁ ରହେ ତେବେ ଭବିଷ୍ୟତରେ ଏକ ଜନଆନ୍ଦୋଳନ ହେବାର ଦାନା ବାନ୍ଧୁଥିବା ଜଣାଯାଇଛି । ସରକାର ତଥା ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ କେତେକ ସମାଜସେବୀ ଓ ନେତୃଶ୍ରେଣୀୟ ବ୍ୟକ୍ତିମାନେ ଜଣାଇଛନ୍ତି । ବାଲେଶ୍ୱର ଜିଲାପାଳ ଏଥିପ୍ରତି ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି । ଅନ୍ୟଥା ଏକଦା ଓଡିଶା ଗୋ ଶୂନ୍ୟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି । କେବଳ ପୁଲିସ୍ ନୁହେଁ ପୁଲିସ୍ର ଇଙ୍ଗିତରେ କେତେକ ଯୁବକ ୬୦ନଂ ଜାତୀୟ ରାଜପଥରେ ଗୋରୁ ବୋଝେଇ କଣ୍ଟେନର ଠାରୁ ବଟି ଆଦାୟ କରୁଛନ୍ତି । କେବଳ କଣ୍ଟେନର ନୁହେଁ ଉତ୍ତର ବାଲେଶ୍ୱରର ବିଭିନ୍ନ ରାସ୍ତାଦେଇ ପିକ୍ଅପ୍ ଦ୍ୱାରା ପଶ୍ଚିମ ବଂଗକୁ ମଧ୍ୟ ଗୋ-ଚାଲାଣ ହେଉଥିବା ନଜରକୁ ଆସିଛି ।
ରିପୋର୍ଟ : ଭୂପତି କୁମାର ପରିଡା