ଓଡିଶା କର୍ମଚାରୀ ମହାମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ସରକାରଙ୍କୁ ଚେତାବନୀ:ଆଚରଣ ବିଧି ଲାଗୁ ପୂର୍ବରୁ ସମସ୍ୟା ସମାଧାନ କର, ନଚେତ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା କର୍ମଚାରୀ ମହାମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଚରଣ ବିଧି ଲାଗୁ ପୂର୍ବରୁ ଆଉଟସୋର୍ସିଙ୍ଗ, ଠିକା ଓ ଡ଼ିଏଲଆର ତଥା କେନ୍ଦୁପତ୍ର କର୍ମଚାରୀଙ୍କ ସମସ୍ୟା ସମାଧାନ କର, ନଚେତ ପରିଣାମ ଭୋଗିବା ପାଇଁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ଦିଆଯାଇଛି । ମାଗଣା ଯୋଜନା ସହ ଅନ୍ୟାନ୍ୟ ସବୁ ପ୍ରକାରର ସରକାରୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ରାଜ୍ୟର ତୃଣମୂଳ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ଆଉଟସୋର୍ସିଙ୍ଗ ଓ ଠିକାରେ ନିଯୁକ୍ତ କର୍ମଚାରୀମାନେ ଦିନ ରାତିକୁ ଏକ କରି ପରିଶ୍ରମ କରି ସରକାରଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରୁଥିବା ବେଳେ ଲକ୍ଷ ଲକ୍ଷ ସ୍ଥାୟୀ କର୍ମଚାରୀଙ୍କ ଅଭାବ ରହିଛି । ଗତ ୧୫ ବର୍ଷ ଧରି ପାରମ୍ପରିକ କାର୍ଯ୍ୟପରେ ବି ସୃଷ୍ଟି କରାଯାଇଥିବା ଏକାଧିକ ଯୋଜନାକୁ ହାତ ଗଣତି କେତୋଟି ପ୍ରାପ୍ୟକୁ ନେଇ କେତେ ଦିନ ଧରି ଏହି ବର୍ଗର କର୍ମଚାରୀମାନେ ପେଟ ଭୋକକୁ ପେଟରେ ମାରି ଜୀବନ ଯାତ୍ରାରେ ସଂଘର୍ଷ କରୁଛନ୍ତି । ହେଲେ ଏହି ବିଷୟରେ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅନୁନୟ ବିନୟ, ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ମାଧ୍ୟମରେ ନିଜର ହକ ଓ ଦାବି ଉପସ୍ଥାପନା କଲେ ମଧ୍ୟ କୌଣସି ନ୍ୟାୟ ମିଳୁନାହିଁ । ସରକାରଙ୍କ ମୌଖିକ ଓ ଲିଖିତ ପ୍ରତିଶ୍ରୁତି ନିଷ୍ଠୁର ପ୍ରତାରଣାରେ ପରିଣତ ହୋଇଛି । ସତେ ଯେମିତି ଏହି ବର୍ଗର କର୍ମଚାରୀମାନେ ଏ ଦେଶ ବା ରାଜ୍ୟର ନାଗରିକ ନୁହନ୍ତି । ଭୋଟ କାଙ୍ଗାଳ ସରକାର, କ୍ଷମତାକୁ ଫେରିବା ପାଇଁ ଅଯଥା ଓ ଅନାବଶ୍ୟକ ମାଗଣା ଯୋଜନା ଓ ଦାନଧ୍ୟାନରେ ରାଜ୍ୟ ରାଜକୋଷକୁ ଯେଉଁଭଳି ବରବାଦ କରୁଛନ୍ତି, ସେହି ରାଜକୋଷ କଣ ଏହି ବର୍ଗର କର୍ମଚାରୀଙ୍କ ଲୁହଲହୁର ଅଂଶ ବିଶେଷ ନୁହେଁ, ସେଥିରୁ ତାଙ୍କ ହକ ପାଇବା ପାଇଁ ସେମାନଙ୍କୁ କାହିଁକି ବଞ୍ଚିତ କରାଯାଉଛି ? ବୋଲି ପ୍ରଶ୍ନ କରାଯାଇଛି । ଆଜି କର୍ମଚାରୀ ମହାମଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କର୍ମଚାରୀ ନେତା ପ୍ରଭାତ ମହାନ୍ତି କହିଲେ ଯେ ଆଉଟସୋର୍ସି ଓ ଠିକା ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, ଚାକିରୀ ସୁରକ୍ଷା, ସମାନ କାମକୁ ସମାନ ଦରମା, କେନ୍ଦୁପତ୍ର କର୍ମଚାରୀମାନଙ୍କୁ ନ୍ୟାୟ ପ୍ରଦାନ କରି ଅବସର ବୟସ ବୃଦ୍ଧି, କାର୍ଯ୍ୟକାଳ ୧ବର୍ଷକୁ ବୃଦ୍ଧି, ଟେମ୍ପୋରାରୀ ଷ୍ଟାଟସ କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ ଓ କେନ୍ଦ୍ରୀୟ ଆର୍ଥିକ ଦେୟରେ କାର୍ଯ୍ୟରତ ଏକଲବ୍ୟ ଓ କୃଷି ବିଜ୍ଞାନ କେନ୍ଦ୍ର କର୍ମଚାରୀଙ୍କୁ ଧାର୍ଯ୍ୟଦରମା ଓ ସ୍ଥାୟୀ ନିଯୁକ୍ତି, ୧୩.୪.୧୯୯୩ ମସିହା ପରଠାରୁ କାମ କରୁଥିବା ଡିଏଲଆର କର୍ମଚାରୀଙ୍କୁ ଅବିଳମ୍ବେ ସ୍ଥାୟୀ କରିବାର ସମସ୍ତ ପ୍ରତିଶୃତି ସତ୍ତ୍ଵେ ଦୈନିକ ନୂଆ ନୂଆ ବାହାନା କରି ସମାଧାନକୁ ଟାଳି ଆସୁଛନ୍ତି ବୋଲି ଶ୍ରୀ ମହାନ୍ତି କ୍ଷୋଭର ସହ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ନରହନ୍ତା, ହାଡ଼କୋର ନକ୍ସଲମାନଙ୍କୁ ମୁଖ୍ୟଶ୍ରୋତକୁ ଆଣିବା ପାଇଁ କୋଟି କୋଟି ଟଙ୍କାର ଯୋଜନା ସହିତ ପ୍ରୋତ୍ସାହନ ଯୋଗାଉଥିବା ବେଳେ, ଚରମ ପାରିବାରିକ, ଆର୍ଥିକ ଦୁରାବସ୍ଥା ପାଇଁ ଏ ରାଜ୍ୟର ଲକ୍ଷ ଲକ୍ଷ ଉଚ୍ଚ ଶିକ୍ଷିତ ଯୁବକ ବାଧ୍ୟବାଧ୍ୟକତାରେ ଏଭଳି କୁତ୍ସିତ ଶୋଷଣକାରୀ ବ୍ୟବସ୍ଥାକୁ ଗ୍ରହଣ କରିଥିଲେ ବି ସ୍ଥାୟୀ ହେବା ଓ ଆର୍ଥିକ ଅଭାବ ପୁରଣ ଲକ୍ଷ ରଖିଥିଲେ । କିନ୍ତୁ ସବୁ ଆଶା ଓ ସମ୍ଭାବନା ଧୀରେ ଧୀରେ ଭୋଟ ରାଜନୀତି ପାଇଁ ଧ୍ୱଂଶ ହେବାରେ ଲାଗିଛି । ଏଠି ନ୍ୟାୟ ସଂଗତ, ଯୁକ୍ତିଯୁକ୍ତ ଗଣତାନ୍ତ୍ରିକ ଦାବି ଦୁବା ଓ ପ୍ରତିବାଦ ନିଷ୍ପଳ ହେଉଛି । ତାର କାରଣ ରାଜ୍ୟର ସବୁଦାୟ ଭୋଟରଙ୍କ ସଂଖାର ଏହି କର୍ମଚାରୀମାନେ ଦୁଇ ଶତାଂଶ ମାତ୍ର । କିନ୍ତୁ ଏକଥା ସରକାର ଭୁଲି ଯାଇଛନ୍ତି ଯେ, ଏହି ଅସହାୟ ସ୍ୱଳ୍ପ ଦରମାର ଦୁର୍ବୀ ସହ ଜୀବନ ବିତାଉଥିବା ମଣିଷ ଓ ସେମାଙ୍କ ଉପରେ ନିର୍ଭର କରୁଥିବା ପରିବାରର ସଭ୍ୟମାନଙ୍କ ଦୀର୍ଘଶ୍ଵାସ ଓ ଭୋକର ନିଆଁରେ ସରକାରଙ୍କ ସବୁ ସ୍ୱପ୍ନକୁ ଧୁଳିସାତ କରିଦେବ ଓ ଏହି ବର୍ଗର କର୍ମଚାରୀଙ୍କ ପଞ୍ଜୀଭୁତ କ୍ରୋଧ ତଥା ଯିଦ ସବୁ ଗଣିତକୁ ଓଲଟାଇ ଦେବ । ଯଦି କ୍ଷେତ୍ର ବାସ୍ତବତାକୁ ସରକାର ଉପଲବ୍ଧି କରିବେ ନାହିଁ, ଉଚ୍ଚ ଶିକ୍ଷିତ ଆଉଟସୋର୍ସିଂ, ଠିକା/ଚୁକ୍ତିଭିତ୍ତିକ, ଡ଼ିଏଲଆର ଓ କେନ୍ଦୁପତ୍ର ଅସ୍ଥାୟୀ କର୍ମଚାରୀମାନଙ୍କ ସମସ୍ୟାକୁ ସମାଧାନ ପାଇଁ ଆନ୍ତରିକତା ପ୍ରକାଶ କରିବେ ନାହିଁ, ଦେଇଥିବା ପ୍ରତିଶୃତି ପୂରଣ କରିବେ ନାହିଁ, ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି ଅଳରେ ଦାବି ସମାଧାନ ବଦଳରେ ନିର୍ବାଚନ ପର୍ଯ୍ୟନ୍ତ ଉଦ୍ଦେଶ୍ୟମୂଳକ ଭାବେ ସମୟ ଟାଳି ଭୁଆଁ ବୁଲେଇବାର ଅପଚେଷ୍ଟା କରିବେ, ତେବେ ଆସନ୍ତା ଫେବୃଆରୀ ୨୩ ତାରିଖ ଶନିବାର ଦିନ ସାରା ରାଜ୍ୟର, ସବୁ ବିଭାଗ, ନିଗମ, ବୋର୍ଡ ଓ ଅନ୍ୟାନ୍ୟ ସଂସ୍ଥାରେ କାର୍ଯ୍ୟରତ ଆଉଟସୋର୍ସିଂ, ଚୁକ୍ତିଭିତ୍ତିକ ବା ଠିକା ଓ ଡେଲି ଓ଼ଜେସ, କେନ୍ଦୁପତ୍ର କର୍ମଚାରୀମାନେ ରାମ ମନ୍ଦିର ଛକରୁ ଏକ ବିରାଟ ପଟୁଆରରେ ଆସି, ଗାନ୍ଧୀମାର୍ଗଠାରେ ଏକ ପ୍ରତିବାଦ ସଭା କରାଯିବା ନିଷ୍ପତି ନିଆଯାଇଛି । ପ୍ରତିବାଦ ସଭା ସ୍ଥଳରୁ ଦିନ ୩ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ସମାଧାନ ପାଇଁ ଚେତାବନୀ ଦିଆଯିବା ସହ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଆଜି ରାଜ୍ୟର ସର୍ବ ବୃହତ କର୍ମଚାରୀ ସଂଗଠନ “ଓଡିଶା କର୍ମଚାରୀ ମହାମଞ୍ଚ’ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ପ୍ରାରମ୍ଭରେ ଫୁଲୱାମା ଠାରେ ଆତଙ୍କବାଦୀ ମାନକ ଦ୍ୱାରା ନିହତ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ମିଳନୀରେ ଓଡିଶା କର୍ମଚାରୀ ମହାମଞ୍ଚର ରାଜ୍ୟ ଆବାହକ ଶ୍ରୀ ପ୍ରଭାତ ମହାନ୍ତି, ରାଜ୍ୟ ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘର ସଭାପତି ସଞ୍ଜୟ କୁମାର ପଟ୍ଟନାୟକ, ଉପସଭାପତି ସତ୍ୟବ୍ରତ ବାରିକ, ସାଧାରଣ ସମ୍ପାଦକ ମାନସ ରଞ୍ଜନ ଦାସ, ଚୁକ୍ତିଭିତ୍ତିକ ସଙ୍ଘର ସଭାପତି ବିଜୟ କୁମାର ମଲ୍ଲ, ଉପସଭାପତି କ୍ଷୀତିଷ ପଣ୍ଡା, ଓଡିଶା ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ସଭାପତି ଶୁଭ୍ରଜିତ ପ୍ରତିହାରୀ, ଓଡିଶା ଏକଲବ୍ୟ ଶିକ୍ଷକ ସଙ୍ଘର ରାଜ୍ୟ ସମ୍ପାଦକ ଶିଶିର କୁମାର ସାମଲ, କୃଷିବିଜ୍ଞାନ କେନ୍ଦ୍ରର ଜୟନ୍ତ ପତି, କେନ୍ଦୁପତ୍ର ନେତା ଚିତ୍ରସେନ ବଗର୍ତ୍ତୀ, ନାରାୟଣ ସାହୁ, ଶ୍ୟାମଳୀ ପଟ୍ଟନାୟକ, ପ୍ରକାଶ ବେଦାନ୍ତ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଗୌତମ ମହାରଣ୍ୟ, ସ୍ନେହାଶିଷ ମିଶ୍ର, ସମ୍ବିତ ଦାସ, ଅରୁଣଧୋତି ମିଶ୍ର, ଦେବ ସାହୁ, ପ୍ରତାପ କୁମାର ମିଶ୍ର, ରାଜୀବ କୁମାର ହାତି, ରଶ୍ମିରଂଜନ ପାଢ଼ୀ, ଶ୍ରୀକାନ୍ତ ମିଶ୍ର, ପ୍ରଦ୍ୟୁମ୍ନ ବେହେରା, ରଜତ ରଞ୍ଜନ ରାଉତ, ଗୁରୁପ୍ରସାଦ ଶତପଥୀ, ଶ୍ରୀଧର ଭଟ୍ଟ, ଶ୍ରୀନିବାସ ସେଠି ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ବିଜୟ ମାଲ୍ଲ।